ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଗଜଲକ୍ଷ୍ମୀ ପୂଜା ନିମନ୍ତେ ଶନିବାର ସନ୍ଧ୍ୟାରେ ସାନ୍ଦୁଲ ନଦୀରୁ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଛି। ଘଣ୍ଟ ଦଳ ସହ ଶତାଧିକ ମହିଳା ପୂର୍ଣ୍ଣ କଳସ ନେଇଆସି ପୂଜା ମଣ୍ଡପରେ ସ୍ଥାପନା କରିଥିଲେ। ଏହାପରେ ଅଧିବାସ କର୍ମ ଅନୁଷ୍ଠିତ ହୋଇଥିଲା। ରବିବାର ସକାଳ ୭ ଘଣ୍ଟାରୁ ଆରମ୍ଭ ହେବ ଗଜଲକ୍ଷ୍ମୀ ପୂଜା। ଚଳିତ ବର୍ଷ ପୂଜା କର୍ତ୍ତା ଭାବରେ ଅରୁଣ ଦତ୍ତା ଓ ତାଙ୍କ ସହଧର୍ମିଣୀ ଗୀତା ଦତ୍ତା ଥିବାବେଳେ ବ୍ରହ୍ମା ପୂଜକ ଭାବରେ ପଣ୍ଡିତ ଜନାର୍ଦ୍ଦନ ପାଢୀ ଓ ଲମ୍ବୋଦର ପାଢୀ ପୂଜା ପରିଚାଳନା କରୁଛନ୍ତି। ୨୭ ତାରିଖ ଦିନ ଅଘୋରୀ ନୃତ୍ୟ ସହ ବିସର୍ଜନ ହେବ ବୋଲି ଆୟୋଜକ ଗଜଲକ୍ଷ୍ମୀ ପୂଜା କମିଟି ସୂତ୍ରରୁ ପ୍ରକାଶ। ପବିତ୍ର ଗଜଲକ୍ଷ୍ମୀ ପୂଜା ଅବସରରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ବିଡିଓ ବିପିନ ବିହାରୀ ଦୀପ, ନର୍ଲା ଆଇଆଇସି କୈବଲ୍ୟ ସେଠ, ସମାଜବାଦୀ ପାର୍ଟିର ରାଜ୍ୟ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ, କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ନୀରଜ ଶର୍ମା, ଯୁବନେତା ତଥା ସମାଜସେବୀ ସମୀର ଚାନ୍ଦ (ବିଟୁ) ପ୍ରମୁଖ ଗଜଲକ୍ଷ୍ମୀ ପୂଜା କମିଟି ନର୍ଲାର କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇ ସେମାନଙ୍କ ଉତ୍ତରୋତ୍ତର ଉନ୍ନତି ସହ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି।





