ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଧର୍ମଗଡ଼ ବେହେରା ସ୍ଥିତ ଭଣ୍ଡାର ଡ଼ଙ୍ଗରି ରେ ଗତ ୬ ଦିନ ତଳେ ନିଖୋଜ ପ୍ରେମୀ ଯୁଗଳଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ପରେ କୋକସରା ଓ ଧର୍ମଗଡ଼ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ପରିବାର ଲୋକେ ହତ୍ୟା ପରେ ଘଟଣାକୁ ଆତ୍ମହତ୍ୟା ରୂପ ଦେବାକୁ ପ୍ରେମୀ ଯୁଗଳଙ୍କୁ ଗଛ ଉପରେ ଝୁଲେଇ ଦେଇଥିବା ଅଭିଯୋଗ ହୋଇଛି। ଯାହାକୁ ଆଜି ଖଣ୍ଡନ କରିଛନ୍ତି କଳାହାଣ୍ଡି ଏସପି ନାଗରାଜ ଦେବରକୋଣ୍ଡା। ପରିବାର ଲୋକେ ଏହାକୁ ହତ୍ୟା ଘଟଣା ବୋଲି ଦାବି କରୁଥିବା ବେଳେ ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ସେ ସ୍ପଷ୍ଟ କରିଛନ୍ତି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାଇ ମୃତକଙ୍କ ଦେହ ସାରା ରକ୍ତ ଛିଟା ଥିବା ଓ ଦୁଇ ହାତ ପଛ ପଟେ ବନ୍ଧା ଥିବା ଅବସ୍ଥାରେ ଉଭୟ କେମିତି ଆତ୍ମହତ୍ୟା କଲେ ବୋଲି ପୁଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି। ତେବେ ଦେହରେ ରକ୍ତଛିଟା ନୁହେଁ ଏହା ସିନ୍ଦୁର ଏବଂ ଦେହରେ କୌଣସି ପ୍ରକାର ମାରପିଟ ଭଳି କୌଣସି ଚି଼ହ୍ନ ନଥିବା ଓ ମୁଣ୍ଡରେ ଏସିଡ ଢ଼ାଳିବା ଘଟଣାକୁ ସେ ଅସ୍ବୀକାର କରିଛନ୍ତି। ଆମେ ସମସ୍ତ ଦିଗରେ ତଦନ୍ତ କରୁଛୁ ବୋଲି ଏସପି ଶ୍ରୀ ଦେବରକୋଣ୍ଡା ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି। ତେବେ ଏହି ଘଟଣାକୁ ନେଇ ବର୍ତ୍ତମାନ ମଧ୍ୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଉଛି। ସୂଚନା ଅନୁଯାୟୀ କୋକସରା ଥାନା ଅନ୍ତର୍ଗତ ଟେଣ୍ଡାପାଲି ଗ୍ରାମର ପ୍ରହଲ୍ଲାଦ ନାଏକ ଙ୍କ ପୁଅ ଅଜିତ କୁମାର ନାଏକ ଓ ଧର୍ମଗଡ ସହର ଅନ୍ତର୍ଗତ କେନ୍ଦୁମୁଡ଼ି ପଡା ର ପ୍ରିୟଦର୍ଶିନୀ ନାଏକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ସେମାନେ ଗତ ୧୭ତାରିଖ ରାତିରୁ ନିଖୋଜ ହୋଇ ଯାଇଥିଲେ। ଏନେଇ ପୁଅ ଓ ଝିଅ ଙ୍କ ପରିବାର ପକ୍ଷରୁ କୋକସରା ଓ ଧର୍ମଗଡ ଥାନା ରେ ନିଖୋଜ ମାମଲା ଦାୟର କରିଥିଲେ। ତେବେ ଗୁରୁବାର ସକାଳେ କିଛି ଲୋକ ବେହେରା ସ୍ଥିତ ଭଣ୍ଡାର ଡଙ୍ଗରୀକୁ କାଠ ସଂଗ୍ରହ କରିବାକୁ ଯାଇ ଝଲନ୍ତା ମୃତ ଦେହକୁ ଦେଖିଥିଲେ। ପରେ ଏହି ଘଟଣା ଲୋକଙ୍କ ମଧ୍ୟରେ ପ୍ରଚାରିତ ହେବାପରେ ଧିରେ ଧିରେ ଘଟଣା ସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା। ମୃତ ଦେହ ଦୁଇଟି ପ୍ରାୟ ପଚି ଯାଇଥିବା ବେଳେ ମୁଣ୍ଡ ବାଳ ତଳେ ଝଡି ପଡିଯାଇଥିଲା। ପରେ ଘଟଣା ସମ୍ପର୍କ ରେ ଉଭୟ ଙ୍କ ପରିବାର ଲୋକେ ଆସି ଶବ ଚିହ୍ନଟ କରିଥିଲେ ଓ ଏହା ଏକ ପ୍ରେମ ଜନିତ ହତ୍ୟା କାଣ୍ଡ ଏବଂ ମୁଣ୍ଡରେ ଏସିଡ ଦେଇ ନୃଶଂସ ଭାବେ ହତ୍ୟା କରାଯାଇଛି ବୋଲି ସାଧାରଣରେ ପ୍ରଚାର ହେବାପରେ ପରିବାର ଲୋକେ ଓ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।ତେବେ ଘଟଣା ବିଷୟରେ ଖବର ପାଇ ଧର୍ମଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହ ତଦନ୍ତ ଜାରି ରଖିଛନ୍ତି। ତେବେ ପୁଅଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ନିଜର ସମ୍ମାନ ବଞ୍ଚେଇବା ପାଇଁ ଝିଅଙ୍କ ପରିବାର ଲୋକ ହତ୍ୟା କରିଥିବା ସେମାନେ ସନ୍ଦେହ କରୁଛନ୍ତି। ତେବେ ପ୍ରାଥମିକ ତଦନ୍ତ ରୁ ଏହା ଏକ ପ୍ରେମ ଜନିତ ଆତ୍ମହତ୍ୟା ଘଟଣା ଓ ଉଭୟଙ୍କ ଗୋଟିଏ ଲେଖାଏଁ ହାତ ବନ୍ଧା ଯାଇଥିବା ବେଳେ ମୁଣ୍ଡରେ ଏସିଡ ଢ଼ାଳିବା ଘଟଣା ପୁଲିସ ତଦନ୍ତ ରେ ଜଣାପଡି ନଥିବା ଏସପି ସୂଚନା ଦେଇଛନ୍ତି। ତେବେ ଏହା ଏକ ଆତ୍ମହତ୍ୟା ଘଟଣା ନା ଅନର କିଲିଙ୍ଗ ଘଟଣା ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ଜଣାପଡିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।





