ସହୀଦ ଯବାନ ସରୋଜ କୁମାର ଶବରଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତୋପ ସଲାମୀ

ଜନ୍ମମାଟିରେ ବୀର ସନ୍ତାନଙ୍କୁ ଶେଷ ବିଦାୟ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଦେଶସେବାକୁ ବ୍ରତ ଭାଵି ୧୯୯୩ ରେ ଆସାମ ରାଇଫଳରେ ଯୋଗ ଦେଇଥିଲେ କୋକସରା ବ୍ଲକ ଚିକିଲି ଗ୍ରାମର ସରୋଜ କୁମାର ଶବର। ନିଜ ଜୀବନକୁ ସମର୍ପିତ କରି ୧୯୯୭ ରେ କୋହିମାରେ ଗୁଳିବଦ୍ଧ ହୋଇ ମଧ୍ୟ ଶତ୍ରୁକୁ ପରାଜୟ କରିଥିଲେ, ସେହି ପୁଅ ମାଁର ଶ୍ରାଦ୍ଧ ପାଇଁ ଗାଁକୁ ଛୁଟିରେ ଆସିଥିଲେ, କିନ୍ତୁ ଏକ ସଡକ ଦୂର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ। ସରୋଜ ଶବର ୨୯ ଆସାମ ରାଇଫଳରେ ହାବିଲଦାର ଭାବେ ନାଗାଲାଣ୍ଡ ଜୋନୋବୋଟୋ ସେନା ବାହିନୀ କ୍ୟାମ୍ପରେ ନିୟୋଜିତ ଥିଲେ।

ଗମ୍ଭାରୀଗୁଡା ପଞ୍ଚାୟତ ଚିକିଲି ଗ୍ରାମର ସେ ପ୍ରଥମ ଯବାନ ଭାବେ ସେନା ବାହିନୀରେ ଯୋଗ ଦେଇଥିଲେ। ସେ ଯେତେବେଳେ ଗାଁ କୁ ଛୁଟି ରେ ଆସିଲେ ଗ୍ରାମର ଯୁବକଙ୍କୁ ଭାରତୀୟ ସେନା ବାହିନୀରେ ଯୋଗ ଦେବାକୁ ଉତ୍ସାହିତ କରିବା ସହ ପ୍ରଶିକ୍ଷଣ ମଧ୍ୟ ଦେଉଥିଲେ। ଏମିତିକି ନିଜ ଭାଇଙ୍କୁ ମଧ୍ୟ ପ୍ରେରଣା ଦେଇ ଆସାମ ରାଇଫଳ ରେ କାର୍ଯ୍ୟକରିବାକୁ ପ୍ରବର୍ତ୍ତାଇ ଥିଲେ। ତାଙ୍କର ଏହି ପ୍ରୟାସରେ ଗ୍ରାମର ୧୦ଜଣ ଯୁବକ ଏବେ ସେନା ବାହିନୀରେ ଭର୍ତ୍ତି ହୋଇ ଦେଶସେବାରେ ନିୟୋଜିତ ଅଛନ୍ତି। ଗୁରୁବାର ସଡ଼କ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ପରେ ପରିବାର ବର୍ଗ ଆସାମ ରାଇଫଳ ରେଜିମେଣ୍ଟକୁ ସୂଚନା ଦେଇଥିଲେ। ଏହାପରେ ସାଥି ଯବାନଙ୍କୁ ରାଷ୍ଟ୍ରୀୟ ସମ୍ମାନ ଓ ତୋଫ ସଲାମୀ ଦେବାକୁ ଗୋପାଳପୁର ସେନା କ୍ୟାମ୍ପରୁ ଆର୍ମି ଏୟାର ଡିଫେନ୍ସ ରେଜିମେଣ୍ଟ ପକ୍ଷରୁ ୨୦ ଜଣ ଯବାନଙ୍କ ଟିମ ସଦସ୍ୟ ଚିକିଲି ଗ୍ରାମରେ ପହଞ୍ଚି ତାଙ୍କ ବାସଭବନରେ ଦିବଂଗତ ଯବାନଙ୍କ ପାର୍ଥିବ ଶରୀରରେ ଜାତୀୟ ପତାକାରେ ଶ୍ରଦ୍ଧାଞ୍ଜଳି ଦେବାସହ ସେନା ବାହିନୀର ଗାଡିରେ ମର ଶରୀରକୁ ନେଇ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଗାର୍ଡ ଅଫ ଅନର ଦେବାସହ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଯବାନଙ୍କ ଶବଧାରରେ ହଜାର ହଜାର ଗ୍ରାମବାସୀ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଯବାନଙ୍କ ଶବଧାରକୁ ସମ୍ମାନ ଜଣାଇ ଗ୍ରାମବାସୀ ମାନେ ରାସ୍ତା କଡରେ ବିର ଯବାନ ଅମର ରହେ ନାରା ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏକ ବିରାଟ ଶୋକ ଶୋଭାଯାତ୍ରାରେ ସହିଦଙ୍କ ପାର୍ଥିବ ଶରୀରକୁ ଗ୍ରାମ ନିକଟସ୍ଥ ମୁଟୁରା ନଦୀ ମଶାଣି ପର୍ଯ୍ୟନ୍ତ ନିଆ ଯାଇଥିବଲା। ସେଠାରେ ସେନା ବାହିନୀ ରେଜିମେଣ୍ଟ ର ମେଜର,ସୁବେଦାର ଙ୍କ ପକ୍ଷରୁ ଗାର୍ଡ ଅଫ ଅନର ଦିଆ ଯାଇଥିଲା।

ପରେ ଯବାନ ଙ୍କ ବିରତ୍ୱ ଓ ଦେଶସେବା କୁ ସମ୍ମାନ ଜଣାଇ ସେନା ବାହିନୀ ପକ୍ଷରୁ ତୋଫ ସଲାମୀ ଦିଆଯାଇଥିଲା। କଳାହାଣ୍ଡି ଜିଲ୍ଲା ଅବସର ସେନା କର୍ମଚାରୀ, ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ, କୋକସରା ଥାନା ଅଧିକାରୀ ସମେତ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ଶୋଭାଯାତ୍ରା ରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଗାଁ ମାଟି ର ବିର ଯବାନ କୁ ହରାଇ ଆତ୍ମୀୟ ସ୍ୱଜନ, ଗ୍ରାମବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.