ସୋନପୁର,୨୬/୧୨ : ସୁବର୍ଣ୍ଣପୁର ଜିଲା ଏକ କୃଷି ବହୁଳ ଅଞ୍ଚଳ ରୂପେ ପରିଚିତ । ଏହି ଜିଲାର ଚାଷୀ ବିଭିନ୍ନ ସମସ୍ୟାରେ ରହିଥିବା ଚାଷୀକୂଳ ଅଭିଯୋଗ କରିଛନ୍ତି । ଚାଷୀଙ୍କ କହିବା ଅନୁସାରେ ସୁବର୍ଣ୍ଣପୁର ଜିଲାରେ ଖରି ଋତୁ ଚାଷ ସମୟରେ ଉନ୍ନତମାନର ଧାନ ବିହନ ମିଳୁ ନ ଥିବା ବେଳେ ଠିକ୍ ସମୟରେ ୟୁରିଆ, ପଟାସ୍ ଓ ଅନ୍ୟ ସାରର ଅଭାବ ରହୁଛି । ଯାହାଦ୍ୱାରା ଚାଷୀକୂଳ ପ୍ରଭାବିତ ହେଉଛି । ଚଳିତ ବର୍ଷ ଧାନ ଚାଷ ସମୟରେ ପ୍ରବଳ ୟୁରିଆ ଅଭାବ ଯୋଗୁଁ ଚାଷୀ ବାହାର ଜିଲ୍ଲା ଠାରୁ ସାର ଆଣି ଚାଷ କରିଥିବା ଅଭିଯୋଗ କରିଛନ୍ତି । ବିଗତ ଦିନଙ୍କରେ କିଛି ମାତ୍ରା ରେ ଚାଷୀଙ୍କ ନିମନ୍ତେ ରିହାତି ଦରରେ ଉନ୍ନତମାନର ବିହନ, ସାର, ଓ କୀଟନାଶକ ତଥା ବିଭିନ୍ନ ପ୍ରକାରର ରୋଗ ନିୟନ୍ତ୍ରଣ ନିମନ୍ତେ ଔଷଧ ଚାଷୀଙ୍କୁ ଯୋଗାଇ ଦିଆଯାଉଥିଲା । ବର୍ତ୍ତମାନ ରବି ଚାଷ ସମୟରେ ଉନ୍ନତ ମାନର ବିହନ ଓ ସାର ତଥା ରିହାତି ଦରରେ କିଟନାସକ ଔଷଧର ବ୍ୟବସ୍ଥା ନଥିବା ଯୋଗୁଁ ଚାଷୀ ଚଢା ଦରରେ ବଜାରରୁ କିଣି ଚାଷ କାମ କରୁଥିବାର ପ୍ରକାଶ କରିଛନ୍ତି । ଚାଷୀଙ୍କୁ ଚାଷ କାମରେ ସହଯୋଗ ଓ ସୂଚନା ନିମନ୍ତେ ବିଭିନ୍ନ ଗ୍ରାମାଞ୍ଚଳରେ ଗ୍ରାମସେବକଙ୍କୁ ନିୟୋଜିତ କରାଯାଇଛି । ଏହା ବ୍ୟତୀତ ପ୍ରତି ବ୍ଲକରେ ସ୍ୱତନ୍ତ୍ର କୃଷି ଅଧିକାରୀ ତଥା ଅନେକ କର୍ମଚାରୀଙ୍କୁ ଚାଷୀଙ୍କ ଉନ୍ନତି ପାଇଁ ସ୍ୱତନ୍ତ୍ର ଭାବେ ନିୟୋଜିତ କରାଯାଇଛି । ଏହି ବାବୁମାନେ ଚାଷୀଙ୍କ କ୍ଷେତରେ ପାଦ ପକାଇ ନ ଥିବା ଅଭିଯୋଗ ହୋଇଛି । ଅନ୍ୟଦିଗରେ କାଳିଆ ଯୋଜନା ଟଙ୍କା ପ୍ରକୃତ ଚାଷୀଙ୍କୁ ଚିହ୍ନଟ କରା ନ ଯାଇ ଅନିୟମିତ ଭାବେ ଲୋକଙ୍କୁ ପ୍ରଦାନ କରାଯାଇଛି । ପ୍ରକୃତ ଚାଷୀ ଏହି ଯୋଜନାରୁ ବଞ୍ଚିତ ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି । କେତେକ ଚାଷୀ ୫ରୁ ୧୦ ଏକର ଜମିରେ ଚାଷ କରୁଛନ୍ତି । ସେମାନଙ୍କ ପାଇଁ କାଳିଆ ଯୋଜନାର ୫ ହଜାର ଟଙ୍କା ସମୁଦ୍ରକୁ ଶଙ୍ଖେ ବୋଲି ପ୍ରକାଶ କରିଛନ୍ତି । ପ୍ରକୃତରେ ସରକାର ଚାଷୀଙ୍କୁ ସହାୟତା କରିବାକୁ ହେଲେ ବିଭିନ୍ନ ଯୋଜନା ଗୁଡିକ କରାଯାଇ ସାର, ବିହନ ଓ କିଟନାସକ ଔଷଧରେ ସବସିଡି ବ୍ୟବସ୍ଥା କରାଯାଇ ଚାଷୀଙ୍କୁ ରିହାତି ଦରରେ ଚାଷ ସାମଗ୍ରୀ ପ୍ରଦାନ କରାଗଲେ ଚାଷୀଙ୍କ ଉନ୍ନତି ହୋଇପାରିବ ବୋଲି ସେମାନେ ପ୍ରକାଶ କରିଛନ୍ତି ।
ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in
________________________________________