ଅଲ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସାମ୍ମୁଖ୍ୟର ବୈଠକ
ରାୟଗଡ: ରାୟଗଡ ଜିଲ୍ଳା କଲ୍ୟାଣସିଂହପୁର ବ୍ଳକ ଅଙ୍ଗନୱାଡି କେନ୍ଦ୍ରଗୁଡିକରେ ପ୍ରାକ୍ ବିଦ୍ୟାଳୟ ପିଲାଙ୍କୁ ପୋଷାକ ବଂଟନରେ ଅନିୟମିତତା ଓ ନିମ୍ନମାନର ପୋଷାକ ବିତରଣ ଅଭିଯୋଗ ନେଇ କଲ୍ୟାଣସିଂହପୁର ବ୍ଳକ ଅଲ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସାମ୍ମୁଖ୍ୟ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯିବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କଲ୍ୟାଣସିଂହପୁର ବ୍ଳକର କରପା ଗ୍ରାମ ପଂଚାୟତ ଅନ୍ତର୍ଗତ ଶୁଳିପଦର ଠାରେ ଅନୁଷ୍ଠିତ ବୈଠକରେ ଜିଲ୍ଳା ସଭାନେତ୍ରୀ ପ୍ରଭାତ ନଳିନୀ ଜେନା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଜୁ ଶ୍ରମିକ ସାମ୍ମୁଖ୍ୟର ସଂଯୋଜକ ନିରଂଜନ ପାତ୍ର ଓ ଜିଲ୍ଳା ସଂପାଦିକା ସଂଧ୍ୟାରାଣୀ ବାରିକ ଉପସ୍ଥିତ ରହିଥିଲେ ।
ରାଜ୍ୟ ସଂଘର ନିଷ୍ପତି କ୍ରମେ ପ୍ରାକ୍ ବିଦ୍ୟାଳୟ ଶିଶୁଙ୍କ ପାଇଁ ସ୍ୱଂୟ ସହାୟିକା ଗୋଷ୍ଠୀର ପୋଷାକ ସିଲେଇ କରି ଦେବେ ନଚେତ କର୍ମୀ ନିଜେ କିଣିବେ ବୋଲି ପରାମର୍ଶ ଦିଆଯାଇଥିଲା । ରାଜ୍ୟ ସରକାର ମଧ୍ୟ ମହିଳା ଗୋଷ୍ଠୀଙ୍କୁ ପୋଷାକ ସିଲେଇ କରି ଦେବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ କଲ୍ୟାଣସିଂହପୁର ଶିଶୁ ବିକାଶ ଯୋଜନା ଅଧିକାରୀ ଓ ବ୍ଳକ ଯୋଜନା ଅଧିକାରୀଙ୍କ ନିର୍ଦ୍ଦେଶରେ କେତେକ ସ୍ୱଂୟ ସହାୟିକା ଗୋଷ୍ଠୀ ଖୋଲା ବଜାରରୁ ନିମ୍ନମାନର ପୋଷାକ କିଣି କେତୋଟି କେନ୍ଦ୍ରରେ ବିତରଣ କରିଥିବା ଅଭିଯୋଗ ହୋଇଛି । ତେବେ ଜିଲ୍ଳା ସମାଜ ମଙ୍ଗଳ ଅଧିକାରୀଙ୍କ ଚିଠି ଅନୁଯାୟରେ ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀ ଦିନ ପୋଷାକ ବଂଟନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସ୍ୱଂୟ ସହାୟିକା ଗୋଷ୍ଠୀ ପୋଷାକ ସିଲେଇ କରି ଯୋଗାଇ ପାରିଲେ ନାହିଁ । ତେବେ ଅଙ୍ଗନୱାଡି ସଂଘ ପକ୍ଷରୁ ପୂର୍ବ ଭଳି ଉକ୍ତ ଦିନ ମଧ୍ୟ ଦୁଇ ହଳ ଲେଖାଁଏ ପୋଷାକ ବଂଟନ କରଥିଲେ । ତେବେ ଗତ ୮ତାରିଖରେ କିଛି ସ୍ୱଂୟ ସହାୟକ ଗୋଷ୍ଠୀ ଶିଶୁ ବିକାଶ ପ୍ରକଳ୍ପକୁ ଆସି ସେଠାରୁ କର୍ମୀମାନଙ୍କୁ ଫୋନରେ ଧମକ ଦେଇ ପୋଷାକ ନେବା ପାଇଁ ବାଧ୍ୟ କରିଥିବା ଅଭିଯୋଗ କରିଛନ୍ତି । ସେହିପରି ସ୍ୱଂୟ ସହାୟକ ଗୋଷ୍ଠୀ ପକ୍ଷରୁ କେତୋଟି ଅଙ୍ଗନୱାଡି କେନ୍ଦ୍ରଗୁଡିକରେ ୯୦ଟଙ୍କା ଓ ଆଉ କେତୋଟି କେନ୍ଦ୍ରରେ ୧୦୦ଟଙ୍କା ହିସାବରେ ପୋଷାକ ବାଂଟିଥିବା ଅଭିଯୋଗ କରିଛନ୍ତି । ତେବେ ସ୍ୱଂୟ ସହାୟିକା ଗୋଷ୍ଠୀ ପକ୍ଷରୁ ପୋଷାକ ବଂଟନରେ ସିଧାସଳଖ ଶିଶୁ ବିକାଶ ଯୋଜନା ଅଧିକାରୀ ସଂଜୁରାଣୀ ଓ ମିଶନଶକ୍ତି ସହ ସଂଯୋଜକ ପ୍ରିୟଙ୍କା ପ୍ରିୟଦର୍ଶନୀ ମୂଳିଆଙ୍କ ପିସି କାରବାର ଥିବା ଜଣାପଡୁଛି ବୋଲି ଅଭିଯୋଗ ଆଣିଛନ୍ତି ।
ସେହିପରି ବ୍ଳକରେ ଶିଶୁ ବିକାଶ ଯୋଜନା ଅଧିକାରୀ ସଂଜୁରାଣୀ ମିଶ୍ରଙ୍କ ମନମୁଖୀ କାର୍ଯ୍ୟ କଳାପଗୁଡିକ ଉପରେ ସ୍ଥାନୀୟ ଅଙ୍ଗନୱାଡି ସଂଘ ଅତିଷ୍ଠ ହୋଇ ପଡିଲେଣି । ତେଣୁ ଅନ୍ୟତ୍ର ବଦଳି କରାଯାଇଥିବା ସଂଜୁରାଣୀ ମିଶ୍ରଙ୍କୁ ରିଲିଫ୍ ନ କରାଯାଏ ତେବେ ଆଗାମୀ ଦିନରେ ସଂଘ ରାଜରାସ୍ତାକୁ ଓହ୍ଳାଇବାକୁ ବାଧ୍ୟ ହେବେ ବୋଲି ବୈଠକରେ ନିଷ୍ପତି ନିଆଯାଇଥିବା ନେଇ ଦାବିପତ୍ରରେ ଉଲ୍ଳେଖ କରିଛନ୍ତି । ଏହି ବୈଠକରେ ବ୍ଳକ ସଭାନେତ୍ରୀ ପଦ୍ମିନୀ ବେହେରା, ଉପସଭାନେତ୍ରୀ ସୈରେନ୍ଦ୍ରୀ ଝୋଡିଆ, ସଂପାଦିକା ନାରୀ କୋଠିଆ, କୋଷାଧ୍ୟକ୍ଷ ଜୟନ୍ତୀ ମହାଙ୍କୁଡ ସହିତ ସୁଦଶା ପାଢୀ, ସ୍ନେହଲତା, ମାଳତୀ ଦେଇ, ଏ.ସୁମିତ୍ରା, ମାଣିକ, ବବିତା ଓ ଅନ୍ୟମାନେ ଉପସ୍ଥିତ ଥିଲେ । ବ୍ଳକର କେନ୍ଦ୍ରଗୁଡିକରେ ପୋଷାକ ବଂଟନରେ ଅନିୟମିତତା ଦେଖାଦେଇଥିବାରୁ ଅଙ୍ଗନୱାଡି କେନ୍ଦ୍ର ମାନଙ୍କରେ ସିଲେଇ କରି ପୋଷାକ ବଂଟନ କରାଗଲେ ସମସ୍ତ ପ୍ରାକ୍ ବିଦ୍ୟାଳୟ ଶିଶୁମାନେ ଉଚ୍ଚ ମାନର ପୋଷାକ ପାଇପାରିବେ ବୋଲି ଜିଲ୍ଳା ସଭାନେତ୍ରୀ ପ୍ରଭାତ ନଳିନୀ ଜେନା ପ୍ରକାଶ କରିଥିଲେ ।
ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in
Click here to get 24×7 News & Views alerts
https://facebook.com/odiabarta