ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଲକ୍ଷ୍ମୀ ବିକାଶ ଉଚ୍ଚ ଶିକ୍ଷାନୁଷ୍ଠାନ ଅଧୀନରେ ପରିଚାଳିତ ସରସ୍ୱତୀ ଇନଷ୍ଟିଚ୍ୟୁଟ୍ ଅଫ୍ ଆଇଟି ଆଣ୍ଡ ମ୍ୟାନେଜମେଣ୍ଟ ପକ୍ଷରୁ ୧୩ ନଭେମ୍ବର ୨୦୨୬ ତାରିଖରେ ବିକାଶ ଡିଗ୍ରୀ କଲେଜର ସମ୍ମିଳନୀ କକ୍ଷରେ “ଡିଜିଟାଲ୍ ବ୍ୟାଙ୍କିଂ, ଫିନ୍ଟେକ୍ ଏବଂ କ୍ୟାରିୟର ରେଡିନେସ୍ : ଭବିଷ୍ୟତ କର୍ମକ୍ଷେତ୍ର ପାଇଁ ବ୍ୟବସାୟ ଓ ପ୍ରଯୁକ୍ତିବିଦ୍ୟାର ସମନ୍ୱୟ” ଶୀର୍ଷକରେ ଏକ ଜ୍ଞାନବର୍ଦ୍ଧକ ସେମିନାର ଆୟୋଜିତ ହୋଇଥିଲା। ଏହି ସେମିନାରରେ ଉଦ୍ୟୋଗୀ ତଥା ଆକ୍ସିସ୍ ବ୍ୟାଙ୍କ ଲିମିଟେଡ୍ର ପୂର୍ବତନ ଆସିଷ୍ଟାଣ୍ଟ ଭାଇସ୍ ପ୍ରେସିଡେଣ୍ଟ ସିଦ୍ଧାନ୍ତ କଶ୍ୟପ ପଣ୍ଡା ସମ୍ବଳ ବ୍ୟକ୍ତି ଭାବେ ଯୋଗଦେଇଥିଲେ। ବ୍ୟାଙ୍କିଂ ଓ ଆର୍ଥିକ କ୍ଷେତ୍ରରେ ୧୫ ବର୍ଷରୁ ଊର୍ଦ୍ଧ୍ୱ ଅଭିଜ୍ଞତା ଥିବା ଶ୍ରୀ ପଣ୍ଡା ଡିଜିଟାଲ୍ ବ୍ୟାଙ୍କିଂର ପରିବର୍ତ୍ତନ, ଫିନ୍ଟେକ୍ର ନୂତନ ଉଦ୍ଭାବନ, ଶିଳ୍ପକ୍ଷେତ୍ରର ଆବଶ୍ୟକତା ଏବଂ ବୃତ୍ତିଗତ ଜୀବନରେ ସଫଳତା ପାଇଁ ଆବଶ୍ୟକ ଦକ୍ଷତା ସମ୍ପର୍କରେ ଆଲୋକପାତ କରିଥିଲେ। ତାଙ୍କର ବ୍ୟବହାରିକ ଅନୁଭୂତି ଓ ମାର୍ଗଦର୍ଶନ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତର କ୍ୟାରିୟର ସୁଯୋଗ ସମ୍ପର୍କରେ ଏକ ସ୍ପଷ୍ଟ ଧାରଣା ପ୍ରଦାନ କରିଥିଲା। ଏହି ଅବସରରେ ଲକ୍ଷ୍ମୀ ବିକାଶ ଉଚ୍ଚ ଶିକ୍ଷାନୁଷ୍ଠାନର ମୁଖ୍ୟ ଶିକ୍ଷାଧିକାରୀ ଡି. ପଦ୍ମିନୀ,ବିକାଶ ଇନଷ୍ଟିଚ୍ୟୁଟ୍ ଅଫ୍ ଆଇଟି ଆଣ୍ଡ ମ୍ୟାନେଜମେଣ୍ଟର ପ୍ରିନ୍ସିପାଲ ଡ଼. ସୁଦୀପ୍ତ କୁମାର ଜାନା ଏବଂ ବିକାଶ ଡିଗ୍ରୀ କଲେଜର ପ୍ରିନ୍ସିପାଲ ଡ଼. ଆଦିତ୍ୟ କୁମାର ପଟ୍ଟନାୟକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ସମ୍ବଳ ବ୍ୟକ୍ତି ଶ୍ରୀ ପଣ୍ଡାଙ୍କୁ ପୁଷ୍ପଗୁଚ୍ଛ ଓ ସ୍ମୃତିଚିହ୍ନ ପ୍ରଦାନ କରି ଅତିଥିମାନଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସେମିନାର ଛାତ୍ରଛାତ୍ରୀମାନଙ୍କୁ ଡିଜିଟାଲ୍ ବ୍ୟାଙ୍କିଂ ଓ ଆର୍ଥିକ ପ୍ରଯୁକ୍ତିବିଦ୍ୟାର ନୂତନ ଧାରା ସହ ପରିଚିତ କରାଇବା ସହ ଭବିଷ୍ୟତର ବୃତ୍ତିଗତ ଜୀବନ ପାଇଁ ଆବଶ୍ୟକ ଜ୍ଞାନ ଓ ପ୍ରେରଣା ଯୋଗାଇଥିଲା।





