ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥାପନ କରିଥିବା ୨୪,୧୫୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍କୁ ସ୍ୱାଗତ କରିଛନ୍ତି ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ। ଏହି ବଜେଟ୍ ରାଜ୍ୟର ସାମଗ୍ରିକ ବିକାଶ ସହ ସାଧାରଣ ଲୋକଙ୍କ ଜୀବନଧାରଣର ମାନ ବୃଦ୍ଧି ଏବଂ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି। ବିଧାୟକ ଶ୍ରୀ ଦତ୍ତଙ୍କ ମତରେ, ଏହି ଅତିରିକ୍ତ ବଜେଟ୍ରେ ଗରିବ, କୃଷକ, ମହିଳା, ଯୁବବର୍ଗ, ଛାତ୍ରଛାତ୍ରୀ ଏବଂ ସମାଜର ଅବହେଳିତ ବର୍ଗଙ୍କ କଲ୍ୟାଣକୁ ପ୍ରାଥମିକତା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ପାଇଁ ୮,୩୧୨ କୋଟି, ସୁଭଦ୍ରା ଯୋଜନାରେ ୫୫୦ କୋଟି ଏବଂ ଜାତୀୟ ଗ୍ରାମୀଣ ଜୀବିକା ମିଶନ ପାଇଁ ୬୯୭ କୋଟି ଟଙ୍କାର ବ୍ୟବସ୍ଥା ମହିଳାଙ୍କ ଆର୍ଥିକ ସ୍ୱାବଲମ୍ବନ ଓ ଗ୍ରାମୀଣ ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବ।
ସେହିପରି କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ପାଇଁ ଜ୍ଞାନୋଦୟ-ଶିକ୍ଷାରୁ ସମୃଦ୍ଧି ଯୋଜନାରେ ୪୮୫ କୋଟି ଏବଂ ସ୍ୱାସ୍ଥ୍ୟସେବା ପାଇଁ ୧,୨୪୬ କୋଟି ଟଙ୍କା ଆବଣ୍ଟନ କରାଯାଇଛି। କୃଷକ କଲ୍ୟାଣ ପାଇଁ ୧,୬୦୬ କୋଟି, ସାମାଜିକ ସୁରକ୍ଷା ପାଇଁ ୭୩୩ କୋଟି ଏବଂ ଜନଜାତି ଅଞ୍ଚଳର ବିକାଶ ପାଇଁ ୩,୭୬୫ କୋଟି ଟଙ୍କାର ବ୍ୟବସ୍ଥା ରହିଛି। ଏହା ରାଜ୍ୟର ସମାବେଶୀ ବିକାଶ ଲକ୍ଷ୍ୟକୁ ଆଗକୁ ନେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ଭିତ୍ତିଭୂମି ବିକାଶ ପାଇଁ ୨,୩୫୯ କୋଟି, ଶିଳ୍ପ ଓ ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ୮୪୩ କୋଟି ଏବଂ ନୂତନ ରେଳପଥ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ୫୫୦ କୋଟି ଟଙ୍କାର ବ୍ୟୟବରାଦ ରାଜ୍ୟର ଶିଳ୍ପାୟନ, ଯୋଗାଯୋଗ ବ୍ୟବସ୍ଥା ଓ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ଗତିଶୀଳ କରିବ। ଏଥିସହ ବିପର୍ଯ୍ୟୟ ପରିଚାଳନା, ରିଲିଫ୍ ଓ ପୁନର୍ବାସ ପାଇଁ ୫,୧୦୦ କୋଟି ଟଙ୍କାର ବ୍ୟବସ୍ଥା ବାତ୍ୟା ଓ ବନ୍ୟାପ୍ରବଣ ଓଡ଼ିଶା ପାଇଁ ବିଶେଷ ଗୁରୁତ୍ୱ ବହନ କରୁଛି।
ବାଲେଶ୍ୱର ଭଳି ଉପକୂଳବର୍ତ୍ତୀ ଜିଲ୍ଲାରେ ବିପର୍ଯ୍ୟୟ ପରିଚାଳନା, କୃଷି, ଗ୍ରାମୀଣ ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା ଓ ଶିଳ୍ପ ବିକାଶ କ୍ଷେତ୍ରରେ ଏହି ବଜେଟ୍ର ବ୍ୟବସ୍ଥାଗୁଡ଼ିକ ଉଲ୍ଲେଖନୀୟ ଭୂମିକା ନେବ ବୋଲି ବିଧାୟକ ଶ୍ରୀ ଦତ୍ତ କହିଛନ୍ତି। ଏହାର ସଫଳ ରୂପାୟନ ହେଲେ ଜିଲ୍ଲାର ବିକାଶ ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ ହେବା ସହ ଲୋକଙ୍କ ଜୀବନଧାରଣର ମାନରେ ଉନ୍ନତି ଆସିପାରିବ। ଏହି ଅତିରିକ୍ତ ବଜେଟ୍ କେବଳ ଏକ ଆର୍ଥିକ ବ୍ୟୟବରାଦ ନୁହେଁ, ବରଂ ଜନକଲ୍ୟାଣ, ସାମାଜିକ ସୁରକ୍ଷା ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ସରକାରଙ୍କ ପ୍ରତିବଦ୍ଧତାର ପ୍ରତିଫଳନ ବୋଲି ଶ୍ରୀ ଦତ୍ତ ମତ ଦେଇଛନ୍ତି। ରାଜ୍ୟର ବୃହତ୍ତର ସ୍ୱାର୍ଥ ଓ ସର୍ବାଙ୍ଗୀଣ ବିକାଶକୁ ଦୃଷ୍ଟିରେ ରଖି ବଜେଟ୍ ଉପସ୍ଥାପନ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।





