ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାର ସୁପରିଚିତ ବରିଷ୍ଠ ଆଇନଜୀବୀ, ଦେୱାନୀ ଓ ଫୌଜଦାରୀ ମାମଲାର ଦକ୍ଷ ଆଇନ ବିଶେଷଜ୍ଞ ତଥା ବାଲେଶ୍ୱର ଅଦାଲତର ପୂର୍ବତନ ଅତିରିକ୍ତ ସରକାରୀ ଓକିଲ ସ୍ୱର୍ଗତ କୃଷ୍ଣଚନ୍ଦ୍ର ରାହୁଳଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ବାଲେଶ୍ୱର ସହରର ପଢୁଆଁପଦାସ୍ଥିତ ସର୍କିଟ ହାଉସ ନିକଟରେ ଥିବା ତାଙ୍କ ବାସଭବନରେ ଏହି ସ୍ମୃତିସଭା ଆୟୋଜିତ ହୋଇଥିଲା।
ଏହି ଅବସରରେ ଉପସ୍ଥିତ ଆଇନଜୀବୀ, ରାଜନେତା, ସାହିତ୍ୟିକ, ସମାଜସେବୀ, ପରିବାରବର୍ଗ ଓ ଶୁଭେଚ୍ଛୁମାନେ ସ୍ୱର୍ଗତ ରାହୁଳଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରି ତାଙ୍କର ବହୁମୁଖୀ ବ୍ୟକ୍ତିତ୍ୱ, ଆଇନ କ୍ଷେତ୍ରରେ ଅବଦାନ ଓ ସାମାଜିକ ଜୀବନର ସ୍ମୃତିଚାରଣ କରିଥିଲେ।
ଓକିଲାତିକୁ ନିଜର କର୍ମକ୍ଷେତ୍ର ଭାବେ ଗ୍ରହଣ କରିଥିବା ସ୍ୱର୍ଗତ ରାହୁଳ କେବଳ ଜଣେ ଦକ୍ଷ ଆଇନଜୀବୀ ନଥିଲେ, ବରଂ ରାଜନୀତି ଓ ସମାଜସେବା କ୍ଷେତ୍ରରେ ମଧ୍ୟ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶାସନ କାଳରେ ସେ ଯୁବ କଂଗ୍ରେସର ସଭାପତି ଦାୟିତ୍ୱ ତୁଲାଇଥିଲେ। ଏହି ସମୟରେ ଓଡ଼ିଶାର ପ୍ରତିନିଧି ଭାବେ ଦିଲ୍ଲୀରେ ଅନୁଷ୍ଠିତ ଅଖିଳ ଭାରତୀୟ ଯୁବ କଂଗ୍ରେସ ସଭାରେ ଯୋଗଦେଇ ନିଜର ରାଜନୈତିକ ଦକ୍ଷତା ଓ ସାଂଗଠନିକ ପ୍ରତିଭାର ପରିଚୟ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ବିଜୁ ଜନତା ଦଳରେ ଯୋଗଦେଇ ବାଲେଶ୍ୱର ଜିଲ୍ଲା ବିଜୁ ଜନତା ଦଳର କୃଷକ ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।
ଆଇନ କ୍ଷେତ୍ରରେ ମଧ୍ୟ ତାଙ୍କର ଅଭିଜ୍ଞତା ଓ ଦକ୍ଷତା ଉଲ୍ଲେଖନୀୟ ଥିଲା। ଓଡ଼ିଶା ହାଇକୋର୍ଟରେ ସରକାରଙ୍କ ପକ୍ଷରୁ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲା ପରିଚାଳନା ପାଇଁ ସେ ସ୍ୱତନ୍ତ୍ର ଭାବେ ନିଯୁକ୍ତି ପାଇଥିଲେ। ଏହି ଦାୟିତ୍ୱକୁ ନିଷ୍ଠା ଓ ଦକ୍ଷତାର ସହ ତୁଲାଇ ସେ ଆଇନଜୀବୀ ମହଲରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।
ସ୍ମୃତିସଭାରେ ବାଲେଶ୍ୱର ଓକିଲ ସଂଘର ସଭାପତି ମନୋଜ ନାୟକ, ସମ୍ପାଦକ ସମ୍ବିତ ନନ୍ଦୀ, ସହସମ୍ପାଦକ ଜିତେନ୍ଦ୍ର ଉପାଧ୍ୟାୟ, ବରିଷ୍ଠ ଆଇନଜୀବୀ ତୁଷାରକାନ୍ତି ମହାପାତ୍ର, ଚକ୍ରଧର ମହାନ୍ତି, ଉତ୍ପଳ ମହାନ୍ତି, ବିଚିତ୍ରାନନ୍ଦ ଦାସ, ବସନ୍ତ ପ୍ରଧାନ ଓ ଶକ୍ତିଧର ସାନ୍ତରାଙ୍କ ସମେତ ବାଲେଶ୍ୱର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ତପନ ଚକ୍ରବର୍ତ୍ତୀ ଯୋଗଦେଇ ସ୍ୱର୍ଗତ ରାହୁଳଙ୍କ ସହ ବିତାଇଥିବା ସ୍ମରଣୀୟ ମୁହୂର୍ତ୍ତ ଓ ତାଙ୍କର କାର୍ଯ୍ୟକଳାପ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
ଜଣେ ଅଭିଜ୍ଞ ଆଇନଜୀବୀ ଭାବେ ତାଙ୍କର ଦକ୍ଷତା, ସାମାଜିକ ଜୀବନରେ ସକ୍ରିୟ ଭୂମିକା ଓ ବିଭିନ୍ନ କ୍ଷେତ୍ରରେ ତାଙ୍କର ଅବଦାନକୁ ମନେ ପକାଇ ଉପସ୍ଥିତ ବ୍ୟକ୍ତିମାନେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ସ୍ମୃତିସଭାରେ ବହୁ ବିଶିଷ୍ଟ ଆଇନଜୀବୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତା, ସାହିତ୍ୟିକ, ସମାଜସେବୀ, ପରିବାର ସଦସ୍ୟ, ବନ୍ଧୁବାନ୍ଧବ ଓ ଶୁଭେଚ୍ଛୁମାନେ ଯୋଗଦେଇ ତାଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଅର୍ପଣ କରିଥିଲେ। ଶେଷରେ ସ୍ୱର୍ଗତ ରାହୁଳଙ୍କ ବଡ଼ପୁଅ ତଥା ଆଇନଜୀବୀ ଗୌରହରି ରାହୁଳ ଉପସ୍ଥିତ ସମସ୍ତ ଅତିଥି, ଆତ୍ମୀୟସ୍ୱଜନ ଓ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଜଣାଇଥିଲେ।





