ଡା. ଦୀନବନ୍ଧୁ ସାହୁ ଓ ନିର୍ମଳ ଚନ୍ଦ୍ର ଭୋଇଙ୍କୁ ଦେବଗିରି କଳା ସମ୍ମାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଶିଷ୍ଟ ଚିତ୍ରକର, କବି ତଥା ଅଭିନେତା ଡା. ଦୀନବନ୍ଧୁ ସାହୁଙ୍କୁ ୨୦୨୫ ବର୍ଷ ପାଇଁ ଏବଂ ବରିଷ୍ଠ କଳାକାର ନିର୍ମଳ ଚନ୍ଦ୍ର ଭୋଇଙ୍କୁ ୨୦୨୬ ବର୍ଷ ପାଇଁ ମର୍ଯ୍ୟଦାଜନକ ‘ଦେବଗିରି କଳା ସମ୍ମାନ’ ପ୍ରଦାନ କରାଯିବ। ଭବାନୀପାଟଣା ସ୍ଥିତ ଶହୀଦ ରେଣ୍ଡୋ ମାଝୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଭେଷଜ ବିଶେଷଜ୍ଞ ଭାବେ କାର୍ଯ୍ୟରତ ଡା. ସାହୁ କେବଳ ଚିକିତ୍ସା କ୍ଷେତ୍ର ନୁହେଁ, କଳା ଓ ସାହିତ୍ୟ କ୍ଷେତ୍ରରେ ମଧ୍ୟ ଏକ ପ୍ରଚଣ୍ଡ ପ୍ରତିଭା। ଏଯାବତ୍ ସେ ଦେଶର ବିଭିନ୍ନ ସ୍ଥାନରେ ୨୧ରୁ ଉର୍ଦ୍ଧ୍ୱ ଏକକ ଚିତ୍ରକଳା ପ୍ରଦର୍ଶନୀ ଏବଂ ୧୦ରୁ ଉର୍ଦ୍ଧ୍ୱ ଦଳଗତ ଚିତ୍ରକଳା ପ୍ରଦର୍ଶନୀରେ ଅଂଶଗ୍ରହଣ କରିଛନ୍ତି। ୧୯୮୯ ମସିହାରୁ ଆଜି ପର୍ଯ୍ୟନ୍ତ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ୩୩ରୁ ଅଧିକ ପ୍ରଦର୍ଶନୀରେ ସେ ନିଜର ଚିତ୍ରକଳା ପ୍ରଦର୍ଶନ କରି ପ୍ରଶଂସିତ ହୋଇଛନ୍ତି। ଏଥିସହ ସେ ନୂଆଦିଲ୍ଲୀଠାରେ ଆୟୋଜିତ ଜାତୀୟ କଳା ମେଳା, ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କଳା ଶିବିର ସହ ସଂଗୀତ ଓ ଚିତ୍ରକଳା ଯୁଗଳବନ୍ଦୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଜଣେ କବି ଭାବେ ମଧ୍ୟ ସେ ସୁପରିଚିତ। ତାଙ୍କର ୫୦୦ରୁ ଅଧିକ କବିତା ରାଜ୍ୟର ବିଭିନ୍ନ ପ୍ରତିଷ୍ଠିତ ଖବରକାଗଜ ଓ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇଛି। ଏଯାବତ୍ ତାଙ୍କର ‘ମଧୁଗନ୍ଧା’, ‘ଖେଦ୍ୟାତିକା’, ‘ଅନାଭରଣ’, ‘ନୀଳନଈ’, ‘କଥା କାଦମ୍ବରୀ’, ‘ଯୋଗୀଚରିତ’, ‘ଏକ ପ୍ରଜାପତିର ମୃତ୍ୟୁ’ ଓ ‘ଜୀବନଭୋଗ’ ସମେତ ୮ଟି କବିତା ପୁସ୍ତକ ପ୍ରକାଶିତ ହୋଇଛି। ଏହାଛଡା ପଦ୍ମଶ୍ରୀ ଶ୍ରୀନିବାସ ଉଦ୍ଗାତାଙ୍କ ଦ୍ୱାରା ତାଙ୍କର ‘ଜୀବନଭୋଗ’ କବିତା ସଂକଳନର ହିନ୍ଦୀରେ ଅନୁବାଦ ମଧ୍ୟ ପ୍ରକାଶିତ ହୋଇଛି। ଛାତ୍ର ଜୀବନରୁ ମଞ୍ଚ କଳା ପ୍ରତି ଆକୃଷ୍ଟ ହୋଇ ଡା. ସାହୁ ୩୦ରୁ ଉର୍ଦ୍ଧ୍ୱ ନାଟକରେ ଅଂଶଗ୍ରହଣ କରିଥିବା ବେଳେ ଗାୟକ ଭୂମିକାରେ ୧୦ରୁ ଉର୍ଦ୍ଧ୍ୱ ପାଲା ପରିବେଷଣ କରିଛନ୍ତି। ସେ ବେହେଲା ବାଦନ ଏବଂ ଶାସ୍ତ୍ରୀୟ ସଙ୍ଗୀତରେ ମଧ୍ୟ ପାରଙ୍ଗମ ଅଟନ୍ତି। ଏଥିସହ ଏକାଦିକ୍ରମେ ୩୦ରୁ ଉର୍ଦ୍ଧ୍ୱ ପଶୁପକ୍ଷୀ ଓ ଯାନବାହାନର ସ୍ୱର ଅନୁକରଣ କରିପାରନ୍ତି। ସେହିଭଳି ଭାବେ ବରିଷ୍ଠ କଳାକାର ତଥା ଅବସରପ୍ରାପ୍ତ ଶିକ୍ଷକ ନିର୍ମଳ ଚନ୍ଦ୍ର ଭୋଇଙ୍କୁ ‘ଦେବଗିରି କଳା ସମ୍ମାନ-୨୦୨୬’ ପାଇବେ। ନର୍ଲା ବ୍ଳକ୍ ସରିଆଁ ଗ୍ରାମର ସ୍ବର୍ଗତ ବିନାୟକ ଭୋଇ ଓ ଇଲାବତୀ ଭୋଇଙ୍କ ସୁପୁତ୍ର ନିର୍ମଳ ଏକାଧାରରେ ଜଣେ କଣ୍ଠଶିଳ୍ପୀ, ଗୀତିକାର, ବାଦ୍ୟକାର, ନୃତ୍ୟ ନିର୍ଦ୍ଦେଶକ ଓ ଅଭିନେତା ଭାବେ କଳାହାଣ୍ଡିର କଳା ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚିତି ଲାଭ କରିଛନ୍ତି। ମେଣ୍ଡୋଲିନ ବାଦନରେ ଶ୍ରୀ ଭୋଇଙ୍କ ବିଶେଷ ଦକ୍ଷତା ରହିଛି। ସାମାଜିକ ନାଟକ ସମ୍ଭବାମୀ ଯୁଗେ ଯୁଗେ, ଧର୍ମ ବିପ୍ଲବ, ଭାଇ ଭଗାରୀ, ବଗୁଳୀ ଝରାଏ ଲୁହ, ଏହାରୀ ନାମ ସଂସାର, ଜଗନ୍ନାଥଙ୍କୁ ଖୋଳା ଚିଠି ପରି ୩୦ରୁ ଉର୍ଦ୍ଧ୍ବ ନାଟକରେ ସେ ଅଭିନୟ କରି ଦର୍ଶକ ମହଲରେ ବେଶ ପ୍ରଶଂସିତ ହୋଇଛନ୍ତି। ୧୯୮୦ ମସିହାରୁ ୨୦୨୦ ପର୍ଯ୍ୟନ୍ତ ଶିକ୍ଷକତା କରିଥିବା ଶ୍ରୀ ଭୋଇ ଜଣେ ଉତ୍ତମ ଗୁରୁ ଭାବରେ ଅନେକ ସୁଯୋଗ୍ୟ ଶିଷ୍ୟ ସୃଷ୍ଟି କରିଛନ୍ତି। କଳା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ନିର୍ମଳ ଚନ୍ଦ୍ର ଭୋଇଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦରଠାରେ ଆସନ୍ତା ନଭେମ୍ବର ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୪ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ ଅବସରରେ ‘ଗୋସିଂହ ଦୈତ୍ୟ ଦରବାର’ରେ ଚୟନିତ ପ୍ରତିଭାମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.