ଗୋପୀନାଥ ଶବରଙ୍କୁ ‘ଦେବଗିରି ଲୋକନୃତ୍ୟ ସମ୍ମାନ’

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦରଠାରେ ଆସନ୍ତା ନଭେମ୍ବର ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୪ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ ଅବସରରେ ‘ଗୋସିଂହ ଦୈତ୍ୟ ଦରବାର’ରେ ଉଦୀୟମାନ ଲୋକନୃତ୍ୟ କଳାକାର ଗୋପୀନାଥ ଶବରଙ୍କୁ ‘ଦେବଗିରି ଲୋକନୃତ୍ୟ ସମ୍ମାନ’ରେ ସମ୍ମାନିତ କରାଯିବ। ନର୍ଲା ଥାନା ଅନ୍ତର୍ଗତ ଉଲିକୁପା ଗ୍ରାମର ମନ୍ଧର ଶବର ଏବଂ ଶ୍ରୀମତୀ ଯମୁନା ଶବରଙ୍କ ସୁପୁତ୍ର ଗୋପୀନାଥ ପିଲାଟି ଦିନରୁ କଳା ଓ ସଂସ୍କୃତି ପ୍ରତି ଗଭୀର ଆଗ୍ରହ ରଖିଥିବା ବେଳେ ଲୋକନୃତ୍ୟ, ଓଡ଼ିଶୀ ନୃତ୍ୟ, ସଙ୍ଗୀତ, ଅଭିନୟ, ଚିତ୍ରାଙ୍କନ ତଥା ଚିତ୍ରକଳା, ଶିଳ୍ପକଳା ଭଳି ବିଭିନ୍ନ କଳାରେ ନିଜର ଦକ୍ଷତା ପ୍ରଦର୍ଶନ କରିଆସୁଛନ୍ତି। ବିଶେଷକରି ଲୋକନୃତ୍ୟ ଏବଂ ଓଡ଼ିଶୀ ନୃତ୍ୟର ପ୍ରଚାର ଓ ପ୍ରସାର ପାଇଁ ସେ ନିରନ୍ତର ପ୍ରୟାସ କରି ଆସୁଛନ୍ତି। ତାଙ୍କର ଏହି କଳା ପ୍ରତି ଥିବା ନିଷ୍ଠା ଓ ସମର୍ପଣକୁ ସ୍ୱୀକୃତି ଦେବା ପାଇଁ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି। ଏହି ସମ୍ମାନ ଘୋଷଣା ହେବାପରେ କଳାପ୍ରେମୀମାନେ ଶ୍ରୀ ଶବରଙ୍କୁ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.