ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର: କେ.କେ.ଏସ୍. ମହିଳା ମହାବିଦ୍ୟାଳୟର ଶିକ୍ଷକ-ଶିକ୍ଷା ବିଭାଗ ପକ୍ଷରୁ ‘Teaching in Different Circumstances: Teaching Low-Proficient Learners’ ଶୀର୍ଷକ ଏକ ପାଠଚକ୍ର ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ ବକ୍ତା ତଥା ବିଷୟ ବିଶେଷଜ୍ଞ ଭାବେ ପ୍ରଫେସର ମନ୍ମଥ କୁଣ୍ଡୁ ଓ ଡକ୍ଟର ସୁବାସ ପାତ୍ର ଯୋଗଦେଇ ସ୍ୱଳ୍ପ ଦକ୍ଷତାସମ୍ପନ୍ନ ଶିକ୍ଷାର୍ଥୀଙ୍କ ଶିକ୍ଷାଦାନର ବିଭିନ୍ନ ଦିଗ, ଶିକ୍ଷଣ ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ଆଲୋକପାତ କରିଥିଲେ।ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ଝାନ୍ସୀ ଜେନା ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରି ଶିକ୍ଷକ-ଛାତ୍ରୀମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ମହାବିଦ୍ୟାଳୟର IQAC ଓ ITEP କୋ-ଅର୍ଡିନେଟର୍ ଡକ୍ଟର ନାରାୟଣ ସୁରଜିତ ବେହେରା ଶିକ୍ଷକ-ଶିକ୍ଷା ବିଭାଗ ଖୋଲିବା ସମ୍ପର୍କରେ ଆଲୋକପାତ କରିଥିଲେ । ଶିକ୍ଷକ-ଶିକ୍ଷା ବିଭାଗର ମୁଖ୍ୟ ଡକ୍ଟର ପଦ୍ମାଳୟା ନାଥ ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହିତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ।
ପ୍ରଫେସର କୁଣ୍ଡୁ କହିଥିଲେ ଯେ, ଶ୍ରେଣୀଗୃହରେ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କର ଶିକ୍ଷଣ କ୍ଷମତା, ଗ୍ରହଣଶୀଳତା ଓ ଶିକ୍ଷଣ ଗତି ସମାନ ନୁହେଁ। ତେଣୁ ଶିକ୍ଷକମାନେ ଶିକ୍ଷାର୍ଥୀଙ୍କ ବ୍ୟକ୍ତିଗତ ଆବଶ୍ୟକତା ଓ ଦକ୍ଷତାକୁ ଚିହ୍ନଟ କରି ଉପଯୁକ୍ତ ଶିକ୍ଷଣ ପଦ୍ଧତି, ସରଳ ଶିକ୍ଷଣ ସାମଗ୍ରୀ, ବ୍ୟକ୍ତିଗତ ମାର୍ଗଦର୍ଶନ ମାଧ୍ୟମରେ ସମସ୍ତଙ୍କୁ ଶିକ୍ଷଣ ପ୍ରକ୍ରିୟାରେ ସାମିଲ କରିବା ଆବଶ୍ୟକ। ଜଣେ ଶିକ୍ଷକଙ୍କର ପ୍ରକୃତ ସଫଳତା ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ଅନ୍ତର୍ନିହିତ ପ୍ରତିଭା ଓ ସମ୍ଭାବନାର ବିକାଶରେ ନିହିତ ବୋଲି ମତବ୍ୟକ୍ତ କରିଥିଲେ। ଏହା ସହିତ ସମ୍ପ୍ରତି ବିଦ୍ୟାଳୟର ପାଠ୍ଯପୁସ୍ତକରେ ରହିଥିବା ତ୍ରୁଟି ସମ୍ପର୍କରେ ସେ ଆଲୋକପାତ କରିଥିଲେ ।

ମହାବିଦ୍ୟାଳୟର ଅଧ୍ୟକ୍ଷାଙ୍କ ପ୍ରେରଣା ଓ ମାର୍ଗଦର୍ଶନରେ ଆୟୋଜିତ ଏହି ପାଠଚକ୍ରରେ ଆର୍ଡମିନିଷ୍ଟ୍ରେଟିଭ୍ ବରସର୍ ଡକ୍ଟର ସଞ୍ଜୟ ସ, ଏକାଡେମିକ୍ ବରସର୍ ଡକ୍ଟର ସଂଜୀବିତା ଦାସଙ୍କ ସହ ବିଭିନ୍ନ ବିଭାଗର ବିଭାଗ ମୁଖ୍ୟ ଓ ଅଧ୍ୟାପକ-ଅଧ୍ୟାପିକା ତଥା ଛାତ୍ରୀମାନେ ଯୋଗଦେଇଥିଲେ। ଏହି ପାଠଚକ୍ର ଅଂଶଗ୍ରହଣକାରୀଙ୍କ ପାଇଁ ଶିକ୍ଷାଦାନର ବିଭିନ୍ନ ପରିସ୍ଥିତିକୁ ବୁଝିବା ସହ ଶିକ୍ଷାର୍ଥୀକୈନ୍ଦ୍ରିକ ଶିକ୍ଷଣ ପଦ୍ଧତି ସମ୍ପର୍କରେ ନୂତନ ଦୃଷ୍ଟିକୋଣ ପ୍ରଦାନ କରିଥିଲା। କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପକ ଅଭିମନ୍ୟୁ ବିଶ୍ବାଳ ବିଷୟ ବିଶେଷଜ୍ଞ, ମହାବିଦ୍ୟାଳୟର ଅଧ୍ୟକ୍ଷା, ବିଭିନ୍ନ ବିଭାଗର ବିଭାଗ ମୁଖ୍ୟ, ଅଧ୍ୟାପକ-ଅଧ୍ୟାପିକା ଓ ଛାତ୍ରୀମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଶିକ୍ଷକ-ଶିକ୍ଷା ବିଭାଗର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରୀମାନଙ୍କ ସକ୍ରୀୟ ଅଂଶଗ୍ରହଣ ଫଳରେ ଏହି ପାଠଚକ୍ର ସଫଳ ହୋଇଥିବାରୁ ଶିକ୍ଷକ-ଶିକ୍ଷା ବିଭାଗ ମୁଖ୍ୟ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।





