୬,୫୦୭ ବିଦ୍ୟୁତ୍ କର୍ମଚାରୀ ମୁତୟନ; ଜରୁରୀ ସେବା ପାଇଁ ଆବଶ୍ୟକ ଉପକରଣ ଓ ସାମଗ୍ରୀ ପ୍ରସ୍ତୁତ
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅକୱାନ’ ଏବଂ ଉତ୍ତର ଓଡ଼ିଶାର କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍ଓଡିଏଲ୍) ପକ୍ଷରୁ ବାତ୍ୟା ମୁକାବିଲା ପ୍ରସ୍ତୁତିକୁ ସୁଦୃଢ଼ କରାଯାଇଛି। ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ବିଦ୍ୟୁତ୍ କର୍ମଚାରୀଙ୍କ ମୁତୟନ, ଜରୁରୀ ସାମଗ୍ରୀ ପରିବହନ, ବିଦ୍ୟୁତ୍ ନେଟ୍ୱର୍କର ନିରୀକ୍ଷଣ ଏବଂ ଉପଭୋକ୍ତା ସହାୟତା ବ୍ୟବସ୍ଥାକୁ ଅଧିକ ସକ୍ରିୟ କରାଯାଇଛି। ବାତ୍ୟାଜନିତ ବିଦ୍ୟୁତ୍ ବିଭ୍ରାଟର ତ୍ୱରିତ ମୁକାବିଲା ପାଇଁ ୬,୫୦୭ ଜଣ ବିଦ୍ୟୁତ୍ କର୍ମଚାରୀ ମୁତୟନ କରାଯାଇଛି। ଏଥିସହିତ ଅତିରିକ୍ତ ସହାୟତା ପାଇଁ ପ୍ରାୟ ୮୦୦ ଜଣ ପ୍ରକଳ୍ପ କର୍ମୀଙ୍କୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି।
ଜରୁରୀ ସେବା ପାଇଁ ୯ଟି ମୋବାଇଲ୍ ବିଦ୍ୟୁତ୍ ବିତରଣ ସବ୍ଷ୍ଟେସନ୍, ୨୬୦ଟି ରକ୍ଷଣାବେକ୍ଷଣ ଯାନ, ୫୦ଟି ପୋଲ୍ ମାଷ୍ଟର ଏବଂ ୧୧୨ଟି ଡିଜେଲ୍ ଜେନେରେଟର ପ୍ରସ୍ତୁତ ରଖାଯାଇଛି। ରାତିରେ ମରାମତି କାର୍ଯ୍ୟ ପାଇଁ ଆଲୋକ ବ୍ୟବସ୍ଥା, ଭାଙ୍ଗିପଡ଼ିଥିବା ଗଛଡାଳ ହଟାଇବା ପାଇଁ ଉପକରଣ ଏବଂ କେବୁଲ୍ ତ୍ରୁଟି ଚିହ୍ନଟ ଯନ୍ତ୍ର ମଧ୍ୟ ଉପଲବ୍ଧ ରଖାଯାଇଛି।
ସେହିପରି ବିଦ୍ୟୁତ୍ ମରାମତି ପାଇଁ ଟ୍ରାନ୍ସଫର୍ମର, ବିଦ୍ୟୁତ୍ ଖୁଣ୍ଟ, ତାର ଓ କେବୁଲ୍ ମହଜୁଦ ରଖାଯାଇଛି। ଚାରିଟି ମୁଖ୍ୟ ଷ୍ଟୋର ଏବଂ ଛଅଟି ଟ୍ରାନ୍ଜିଟ୍ ଷ୍ଟୋର ମାଧ୍ୟମରେ ଆବଶ୍ୟକ ସାମଗ୍ରୀକୁ ତ୍ୱରିତ ଭାବେ କ୍ଷେତ୍ରସ୍ତରକୁ ପହଞ୍ଚାଇବାର ବ୍ୟବସ୍ଥା ହୋଇଛି।
ବାଲେଶ୍ୱରସ୍ଥିତ କେନ୍ଦ୍ରୀୟ ଜରୁରୀକାଳୀନ ନିୟନ୍ତ୍ରଣ କେନ୍ଦ୍ର ଏବଂ ପାୱାର ସିଷ୍ଟମ୍ କଣ୍ଟ୍ରୋଲ୍ ସେଣ୍ଟର ମାଧ୍ୟମରେ ୨୪ ଘଣ୍ଟିଆ ନିରୀକ୍ଷଣ ଓ ସମନ୍ୱୟ କରାଯିବ। ଅଧୀକ୍ଷଣ ଯନ୍ତ୍ରୀ ଓ ଜିଲ୍ଲାସ୍ତରୀୟ ସଂଯୋଜକମାନେ ଜିଲ୍ଲା ପ୍ରଶାସନ, ଜରୁରୀ ସେବା ସଂସ୍ଥା ଏବଂ ବିଦ୍ୟୁତ୍ କ୍ଷେତ୍ରର ସହଯୋଗୀ ସଂସ୍ଥାଙ୍କ ସହ ନିରନ୍ତର ସମନ୍ୱୟ ରଖିବେ। ଅତ୍ୟାବଶ୍ୟକ ସେବାର ସୁରକ୍ଷା ସହ ଉପଭୋକ୍ତା ଓ କ୍ଷେତ୍ର କର୍ମଚାରୀଙ୍କ ନିରାପତ୍ତାକୁ ସର୍ବାଧିକ ପ୍ରାଥମିକତା ଦିଆଯିବ।
ପ୍ରସ୍ତୁତି ସମ୍ପର୍କରେ ଟିପିଏନ୍ଓଡିଏଲ୍ର ମୁଖ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଦୁଷ୍ୟନ୍ତ କୁମାର ତ୍ୟାଗୀ କହିଛନ୍ତି ଯେ, ଉପଭୋକ୍ତା ଓ କ୍ଷେତ୍ର କର୍ମଚାରୀଙ୍କ ସୁରକ୍ଷା ସଂସ୍ଥାର ସର୍ବୋଚ୍ଚ ପ୍ରାଥମିକତା। ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଅଧିକାରୀ, ଉପକରଣ ଓ ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତ ରଖାଯାଇଛି। ଉପଭୋକ୍ତାମାନେ ବିଦ୍ୟୁତ୍ ସୁରକ୍ଷା ସମ୍ପର୍କିତ ପରାମର୍ଶ ପାଳନ କରିବା ସହ କୌଣସି ବିପଦଜନକ ପରିସ୍ଥିତି ସମ୍ପର୍କରେ ତୁରନ୍ତ ସୂଚନା ଦେବାକୁ ସେ ଅନୁରୋଧ କରିଛନ୍ତି।
ବିଦ୍ୟୁତ୍ ସୁରକ୍ଷା ପାଇଁ ଜନସାଧାରଣଙ୍କୁ ପରାମର୍ଶ
ବାତ୍ୟା ସମୟରେ ଛିଣ୍ଡିପଡ଼ିଥିବା କିମ୍ବା ଝୁଲୁଥିବା ବିଦ୍ୟୁତ୍ ତାର ଏବଂ ଜଳମଗ୍ନ ଅଞ୍ଚଳରେ ଥିବା ବିଦ୍ୟୁତ୍ ସ୍ଥାପନାଠାରୁ ଦୂରେଇ ରହିବାକୁ ଟିପିଏନ୍ଓଡିଏଲ୍ ପକ୍ଷରୁ ଅନୁରୋଧ କରାଯାଇଛି। ଓଦା ହାତରେ କିମ୍ବା ପାଣିରେ ଠିଆ ହୋଇ ବିଦ୍ୟୁତ୍ ଉପକରଣ ଛୁଇଁବା ଏବଂ ନିଜେ ବିଦ୍ୟୁତ୍ ମରାମତି କରିବାରୁ ନିବୃତ୍ତ ରହିବାକୁ କୁହାଯାଇଛି। ଶିଶୁମାନଙ୍କୁ ଖୋଲା ବିଦ୍ୟୁତ୍ ତାର ଓ ବନ୍ୟାଜଳଠାରୁ ଦୂରରେ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ବିଦ୍ୟୁତ୍ଜନିତ ବିପଦ, ବିଦ୍ୟୁତ୍ ସେବାରେ ବିଭ୍ରାଟ କିମ୍ବା ଜରୁରୀ ସହାୟତା ପାଇଁ ଉପଭୋକ୍ତାମାନେ ୨୪ ଘଣ୍ଟିଆ ଦେୟମୁକ୍ତ ଗ୍ରାହକ ସେବା ନମ୍ବର ୧୯୧୨ କିମ୍ବା ୧୮୦୦-୩୪୫-୬୭୧୮ରେ ଯୋଗାଯୋଗ କରିପାରିବେ।





