କସ୍ତୁରବା ଗାନ୍ଧୀ ଛାତ୍ରୀ ନିବାସ ପରିଦର୍ଶନ କଲେ ଜିଲ୍ଲା ଶିକ୍ଷାଧିକାରୀ

ଶିକ୍ଷାଦାନର ମାନ ବୃଦ୍ଧି ସହ ସ୍ୱଚ୍ଛତା ରକ୍ଷା ଉପରେ ଗୁରୁତ୍ୱ

ଓଡ଼ିଆ ବାର୍ତ୍ତା/ ଖପ୍ରାଖୋଲ: ଛାତ୍ରୀମାନଙ୍କୁ ଉନ୍ନତ ଶିକ୍ଷାଦାନ ସହ ଏକ ସୁସ୍ଥ ଓ ସ୍ୱଚ୍ଛ ପରିବେଶ ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ସୁଧାଂଶୁ ଶେଖର ମିଶ୍ର। ଏହି ଉଦ୍ଦେଶ୍ୟରେ ସେ ଖପ୍ରାଖୋଲ ବ୍ଲକ ସଦର ମହକୁମାସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଛାତ୍ରୀ ନିବାସ ପରିଦର୍ଶନ କରି ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ପରିଦର୍ଶନ ସମୟରେ ଶ୍ରୀ ମିଶ୍ର ଛାତ୍ରୀ ନିବାସରେ ରହୁଥିବା ଅନ୍ତେବାସିନୀ ମାନଙ୍କ ସହ ପାଠପଢ଼ା ଓ ଶିକ୍ଷାଦାନର ମାନ ସମ୍ପର୍କରେ ପ୍ରତ୍ୟକ୍ଷ ଆଲୋଚନା କରିଥିଲେ। ନିୟମିତ ଶ୍ରେଣୀ ଶିକ୍ଷାଦାନ ହେଉଛି କି ନାହିଁ ଏବଂ ଛାତ୍ରୀମାନେ ପାଠପଢ଼ାରେ କେତେ ଆଗ୍ରହ ଦେଖାଉଛନ୍ତି, ସେନେଇ ପଚାରି ବୁଝିଥିଲେ। ଶିକ୍ଷାଦାନ କେବଳ ନିୟମ ପାଳନରେ ସୀମିତ ନରହି ଛାତ୍ରୀମାନଙ୍କ ଶିକ୍ଷାଗତ ଦକ୍ଷତା ଓ ଜ୍ଞାନ ବୃଦ୍ଧିରେ ସହାୟକ ହେବା ଆବଶ୍ୟକ ବୋଲି ସେ ଶିକ୍ଷୟିତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏଥିସହ ଛାତ୍ରୀ ନିବାସର ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ଉପରେ ସେ ବିଶେଷ ଗୁରୁତ୍ୱ ଦେଇଥିଲେ। ଛାତ୍ରୀମାନଙ୍କ ସୁସ୍ଥ ସ୍ୱାସ୍ଥ୍ୟ ଓ ଉତ୍ତମ ଶିକ୍ଷା ପାଇଁ ସ୍ୱଚ୍ଛ ପରିବେଶ ଅତ୍ୟନ୍ତ ଜରୁରୀ ବୋଲି ମତବ୍ୟକ୍ତ କରିବା ସହ ହଷ୍ଟେଲ ପରିସର, କୋଠାର ଚତୁଃପାର୍ଶ୍ୱ, ଡ୍ରେନ୍‌ ଓ ଅନ୍ୟାନ୍ୟ ସ୍ଥାନର ନିୟମିତ ସଫେଇ କରିବାକୁ ନିର୍ଦ୍ଦେଶାତ୍ମକ ପରାମର୍ଶ ଦେଇଥିଲେ। ଏହାବ୍ୟତୀତ ଏବିଇଓ ଓ ସିଆରସିସି ଙ୍କୁ ନିୟମିତ ଭାବେ ହଷ୍ଟେଲ ପରିଦର୍ଶନ କରି ତଦାରଖ କରିବାକୁ କହିବା ସହ ପୁରୁଣା କୋଠାର ଆବଶ୍ୟକୀୟ ମରାମତି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ କନିଷ୍ଠ ଯନ୍ତ୍ରୀ (ଜେଇ) ବଳଭଦ୍ର ନାଏକଙ୍କୁ ପରାମର୍ଶ ଦେଇଥିଲେ। ଏହି ପରିଦର୍ଶନ ସମୟରେ ସହଗୋଷ୍ଠୀ ଶିକ୍ଷାଧିକାରୀ (ଏବିଇଓ କମ୍ ବିଆରସିସି) ମିନିକେତନ ବରିହା, ଖପ୍ରାଖୋଲ ସିଆରସିସି ପ୍ରଦୀପ୍ କୁମ୍ଭାର, ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ବାସନ୍ତୀ ଛୁରା ଏବଂ ୱାର୍ଡେନ ଅନିତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.