ଧାନ ପଡ଼ିଆ ଜମି ପରିଚାଳନା ଯୋଜନାରେ ୨୫.୦୩ ଲକ୍ଷ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗ
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାରେ ଧାନ ପଡ଼ିଆ ଜମି ପରିଚାଳନା ଯୋଜନା ଅଧୀନରେ ୨୫.୦୩ ଲକ୍ଷ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗ ଦୁଇଜଣ ବରିଷ୍ଠ କୃଷି ଅଧିକାରୀଙ୍କ ସମେତ ଏକ ଅଣସରକାରୀ ସଂସ୍ଥାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ୱରର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବିଶ୍ୱଜିତ ପଣ୍ଡା, ପୂର୍ବତନ କୃଷି ଜିଲ୍ଲା ଅଧିକାରୀ ସରୋଜ କୁମାର ଗିରି ଏବଂ ମୟୂରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ଶକ୍ତି ଶିକ୍ଷା ଡେଭଲପମେଣ୍ଟ ସୋସାଇଟିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତୁଷାର କାନ୍ତ ବେହେରା।
ଭିଜିଲାନ୍ସ ବିଭାଗର ସୂଚନା ଅନୁଯାୟୀ, ଏହି ଯୋଜନାରେ ହୋଇଥିବା ଅନିୟମିତତା ସମ୍ପର୍କରେ ତଦନ୍ତ ବେଳେ ଅନେକ ତଥ୍ୟ ସାମ୍ନାକୁ ଆସିଛି। ବାଲେଶ୍ୱର ଜିଲ୍ଲାରେ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସମ୍ପୃକ୍ତ ଅଣସରକାରୀ ସଂସ୍ଥାକୁ ବୃତ୍ତିଗତ କାର୍ଯ୍ୟକାରୀ ସଂସ୍ଥା ଭାବେ ଚୟନ କରାଯାଇଥିଲା। କିନ୍ତୁ ସଂସ୍ଥାଟି ହିତାଧିକାରୀ ଚୟନ, କୃଷକମାନଙ୍କୁ ସଂଗଠିତ କରିବା, ସଚେତନତା ଅଭିଯାନ ଏବଂ କୃଷି ଉପକରଣର ତଦାରଖ ଭଳି ନିର୍ଦ୍ଧାରିତ କାର୍ଯ୍ୟ କରିନଥିବା ଅଭିଯୋଗ ହୋଇଛି।
ତଦନ୍ତରୁ ଜଣାପଡ଼ିଛି ଯେ, ତିନି ଅଭିଯୁକ୍ତ ପରସ୍ପର ମଧ୍ୟରେ ଷଡ଼ଯନ୍ତ୍ର କରି ମିଥ୍ୟା ବିଲ୍ ପ୍ରସ୍ତୁତ କରିବା ସହିତ କ୍ଷେତ୍ରସ୍ତରୀୟ ଯାଞ୍ଚ ଓ ଆବଶ୍ୟକ ପ୍ରମାଣୀକରଣ ବିନା ଅର୍ଥ ପୈଠ କରି ୨୫ ଲକ୍ଷ ୩ ହଜାର ୨୪୯ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗ ରହିଛି। ଜିଲ୍ଲାର ସମସ୍ତ ୧୨ଟି ବ୍ଲକ୍ର କୃଷି ଅଧିକାରୀମାନେ ସମ୍ପୃକ୍ତ ସଂସ୍ଥା ନିର୍ଦ୍ଧାରିତ କୌଣସି କାର୍ଯ୍ୟ କରିନଥିବା ନେଇ ତଥ୍ୟ ଦେଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ଏହି ଯୋଜନା ଅଧୀନରେ ବାଲେଶ୍ୱର ଜିଲ୍ଲାରେ ୧୨ ହଜାର ହେକ୍ଟର ଜମିରେ ମୁଗ ଏବଂ ୩ ହଜାର ୫୦୦ ହେକ୍ଟର ଜମିରେ ବିରି ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଅଭିଯୁକ୍ତମାନେ ନିଜ ନିଜ ସରକାରୀ ପଦବୀର ଅପବ୍ୟବହାର କରି ରାଜ୍ୟ ରାଜକୋଷର କ୍ଷତି ଘଟାଇଥିବା ଭିଜିଲାନ୍ସ ବିଭାଗ ଅଭିଯୋଗ କରିଛି। ଏହି ଘଟଣାରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୨୭/୨୦୨୬ ରୁଜୁ କରାଯାଇଛି। ଦୁର୍ନୀତି ନିବାରଣ ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତାର ସମ୍ପୃକ୍ତ ଧାରା ଅନୁଯାୟୀ ତିନି ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।ଗିରଫ ତିନି ଅଭିଯୁକ୍ତଙ୍କୁ ବାଲେଶ୍ୱରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯିବ। ଘଟଣାର ଅଧିକ ତଦନ୍ତ ଜାରି ରହିଛି।





