ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଏକ ଅଣ ଜଳସେଚିତ ଅଞ୍ଚଳ ହୋଇଥିବା ବେଳେ ଏଠିକାର ଚାଷୀ ଇନ୍ଦ୍ର ଦେବତାଙ୍କୁ ଭରଷା କରି ଚାଷ କାର୍ଯ୍ୟ କରିଥାନ୍ତି । ଠିକ ଭାବରେ ବର୍ଷା ହେଲାତ ଠିକ ନହେଲେ ଚାଷୀଙ୍କ ମେରୁଦଣ୍ଡ ଦୋହଲି ଯାଇଥାଏ । ଚାଷୀ ରୋଗ, ପୋକ କୁ ମୁକାବିଲା କରି ପ୍ରତିବର୍ଷ ନୟାନ୍ତ ହୋଇ ପଡିଥାନ୍ତି । ଏହା ଉପରେ ଯଦି ଧୋଇ କିମ୍ବା ମରୁଡି ହେଲା ତ କଥା ସରିଲା । ଚଳିତ ବର୍ଷ ଅକ୍ଟୋବର ମାସରେ ଆସିଲା ବାତ୍ୟା “ଅର୍ଣ୍ଣବ” । ହେଲେ ଏହା ଆନ୍ଧ୍ର ମୁହାଁ ହେବାରୁ କଳାହାଣ୍ଡି ପ୍ରତି ସେତେଟା ପ୍ରଭାବ ରହିଲା ନାହିଁ । ସେପ୍ଟେମ୍ବର ମାସ ନୂଆଖାଇ ପରଠୁଁ ଆଉ ବର୍ଷା ନହେବାରୁ ଜମି ଗୁଡିକ ର ମାଟି ଫାଟି ଆଁ କରିଥିଲା । ବାତ୍ୟା “ଅର୍ଣ୍ଣବ” ଆସି ବରଦାନ ସାଜିଲା ନର୍ଲା ଅଞ୍ଚଳର ଚାଷୀଙ୍କ ପାଇଁ । ନର୍ଲାରେ “ଅର୍ଣ୍ଣବ”ର ପ୍ରଭାବ ସେତେଟା ରହିଲା ନାହିଁ । ନା ବାତ୍ୟା, ନା ପବନ, ନା ଯୋରରେ ବର୍ଷା । ମୌଷୁମୀ ବର୍ଷା ଭଳି ଗୋଟିଏ ରାତି ର ବର୍ଷା ନର୍ଲା ଅଞ୍ଚଳର ଫାଟି ଆଁ କରିଥିବା ଚାଷ ଜମି ଗୁଡିକ ପାଇଁ ମହୌଷଧି ସାଜିଲା। ଏହାପରେ ନଭେମ୍ବର ପ୍ରଥମ ସପ୍ତାହରେ ଆସିଲା ବାତ୍ୟା “ମୁରାସୁ”। ଏହା ଦକ୍ଷିଣ ଓଡିଶାର ଜିଲ୍ଲା ମାଲକାନଗିରି, ଗଞ୍ଜାମ, ଗଜପତି, କୋରାପୁଟ ଓ ରାୟଗଡା ପ୍ରଭୃତି ଜିଲ୍ଲାରେ ତାଣ୍ଡବ ରଚି ଅନେକ କ୍ଷତି କଲା । ହେଲେ ଏହାର ପ୍ରଭାବ ନର୍ଲାରେ ସେତେଟା ରହିଲା ନାହିଁ । କେବଳ ଆକାଶ ମେଘାଛନ୍ନ ରହିଲା ଓ ଅଳ୍ପ ଟିକେ ଟିକେ ଝିପି ଝିପି ବର୍ଷା ହୋଇଥିଲା । ଅବଶ୍ୟ ଜିଲ୍ଲା ପ୍ରଶାସନ ବାତ୍ୟା “ଅର୍ଣ୍ଣବ” ଓ “ମୁରାସୁ” କୁ ନେଇ ବହୁତ ତତ୍ପର ରହିଥିଲେ । ଦୁଇଦିନ ଲେଖାଏଁ ଧରି ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ଗୁଡିକ ଛୁଟି ରହିଥିଲା । ବାତ୍ୟା “ମୁରାସୁ” ଯାଇଛି କି ନାହିଁ । ଏବେ ଆସି ପହଞ୍ଚିଛି ବାତ୍ୟା “ଅକୱନ” । ଏହା ଧିରେ ଧିରେ ଆନ୍ଧ୍ରରୁ ଓଡିଶା ମୁହାଁ ହେଉଥିବା କହୁଛି ପାଣିପାଗ ବିଭାଗ । ଏବଂ ଏହା ଭୀଷଣ ବାତ୍ୟାର ରୁପ ନେବ । ପବନର ବେଗ ୧୦୦ କି.ମି. ରୁ ଉର୍ଦ୍ଧ୍ୱ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରୁଥିବା ବେଳେ ଏହାକୁ ନେଇ ଚିନ୍ତାରେ ରହିଛନ୍ତି ନର୍ଲାର ଚାଷୀ । ନର୍ଲା ରେ ଧାନ ଅମଳ ଆରମ୍ଭ ହୋଇ ଗଲାଣି । ୩୦ ପ୍ରତିଶତ ଧାନ ଅମଳ ହୋଇ ସାରିଥିବା ବେଳେ ୫୦ ପ୍ରତିଶତ ଧାନ ବିଲରେ ପାଚି ସାରିଛି । କେବଳ କାଟିବା ବାକି ରହିଛି । ଆଉ ମାତ୍ର ୨୦ ପ୍ରତିଶତ ବଡ ଧାନ ପରିପକ୍ୱ ହୋଇନି । ଅମଳ ହୋଇ ସାରିଥିବା ଚୁନା ଧାନ ସବୁକୁ ଚାଷୀ ଗାଁ ଦାଣ୍ଡ କଂକ୍ରୀଟ ରାସ୍ତାରେ ଶୁଖାଉଛି । ଘରେ ଧାନ ରଖିବା କିମ୍ବା ସୁଖାଇବା ପାଇଁ ଜାଗା ନାହିଁ । ଆଉ ବାତ୍ୟା ଅକ୍ୱାନ ପ୍ରଭାବରେ ନର୍ଲାରେ ଆଜି ପୂର୍ବାହ୍ନ ୧୧ ଘଣ୍ଟା ସମୟରୁ ଝିପି ଝିପି ବର୍ଷା ଆରମ୍ଭ ହୋଇଗଲାଣି । ଗାଁ ଦାଣ୍ଡରେ ସୁଖାଇ ଥିବା ଚୁନା ଧାନର ସ୍ଥିତି କଣ ହେବ ତାହା ଚିନ୍ତାରେ ପକାଇଛି ଚାଷୀଙ୍କୁ । ବାତ୍ୟା ଆରମ୍ଭ ହେଲେ ପବନ ବୋହିବ । ପାଚିଲା ଧାନ ଗଛ ଗୁଡିକ କାଦୁଅରେ ପଡିଯିବ । ଏହାକୁ କାଟିବା ମୁସ୍କିଲ ହୋଇ ପଡିବ । ସେହିଭଳି କାନ୍ଦୁଲ ଗଛ ସବୁ ଫୁଲ ଧରିଛି । ଯୋର ରେ ପବନ ହେଲେ ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ । ସେହିଭଳି ନର୍ଲା ଅଞ୍ଚଳ କାହିଁକୁ କଳାହାଣ୍ଡି ଜିଲ୍ଲାର ଅନ୍ୟତମ ଅର୍ଥକାରୀ ଫସଲ ଧଳାସୁନା କୁହାଯାଉଥିବା କପା ମଧ୍ୟ ଫଳିକି ଫୁଟି ସାରିଛି । ଫୁଟିଲା କପା ଉପରେ ପାଣି ପଡିଲେ ଏହା କଳା ହୋଇ ନଷ୍ଟ ହୋଇଯିବ । ବ୍ୟାଙ୍କରୁ ଋଣ, ମହାଜନ ଠୁଁ ଧାର, କରଜ କରି ବଡ କଷ୍ଟରେ ନିଜ ଜମିରେ ଚାଷ ଗଣ୍ଡାକ କରିଛି ଚାଷୀ । ଏହାକୁ ନେଇ ଅନେକ ଆଶା, ଅନେକ ସ୍ୱପ୍ନ ରଖିଛି ସେ । ଧାନ ଅମଳ କରି ଭଲ ଭାବରେ ସୁଖାଇ ତାକୁ ମଣ୍ଡିରେ ନେଇକି ବିକିବ । ଏଥିରୁ ଉପାର୍ଜିତ ଟଙ୍କାରେ ପୁଅ, ଝିଅ ବାହା ଘର ଖର୍ଚ୍ଚ କରିବ । ପରିବାର ପ୍ରତିପୋଷଣ କରିବ, ମହାଜନୀ ଋଣ ସୁଝିବ । ହେଲେ ବାତ୍ୟା “ଅକୱନ” ର କରାଳ ରୁପ କଥା ଶୁଣି ନର୍ଲା ଅଞ୍ଚଳର ଚାଷୀ ମୁଣ୍ଡରେ ହାତ ଦେଲେଣି । ସେମାନଙ୍କ ବହୁ କଷ୍ଟର ବର୍ଷକର ଫସଲର ଅବସ୍ଥା କଣ ହେବ? କିଏ ଶୁଣିବ ଆମର ଦୁଃଖ ବୋଲି ଅନେକ ଚିନ୍ତାରେ ରହିଛନ୍ତି ନର୍ଲା ଅଞ୍ଚଳର ଚାଷୀ ।





