ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ-୨୦୨୬ ଅବସରରେ ପ୍ରତିଭାମୟୀ ଶିଶୁ କଳାକାର ରେଣୁ ବିଶିଙ୍କୁ ମର୍ଯ୍ୟାଦାଜନକ ‘ଦେବଗିରି ଲୋକନୃତ୍ୟ ସମ୍ମାନ’ ପ୍ରଦାନ କରାଯିବ। ଭବାନୀପାଟଣା ଟିଭି ସେଣ୍ଟର ପଡ଼ାର ଯୋଗେଶ୍ୱର ବିଶି ଓ ରେବତୀ ବିଶିଙ୍କ ସୁପୁତ୍ରୀ ରେଣୁ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଅଧୀନସ୍ଥ ସିସିଆରଟି ତରଫରୁ ଜାତୀୟ ଶିଶୁ କଳାକାର ବୃତ୍ତି ପାଇ କଳାହାଣ୍ଡି ପାଇଁ ଗର୍ବ ଓ ଗୌରବ ଆଣି ଆସିଛନ୍ତି। ଲୋକନୃତ୍ୟ ଓ ଶାସ୍ତ୍ରୀୟ ନୃତ୍ୟରେ ବେଶ୍ ଦକ୍ଷ ରେଣୁ ରାଜ୍ୟର ବିଭିନ୍ନ ମଞ୍ଚରେ ନୃତ୍ୟ ପ୍ରଦର୍ଶନ କରି ଦର୍ଶକଙ୍କ ଦ୍ୱାରା ପ୍ରଶଂସିତ ହୋଇଛନ୍ତି। ସେ ସକ୍ଷମ ନୃତ୍ୟ ଏକାଡେମୀରେ ଗୁରୁ ଲିପ୍ସା ରାଣୀ ବାରିକଙ୍କ ଠାରୁ ନୃତ୍ୟ ପ୍ରଶିକ୍ଷଣ ନେଇ ଏହି ସଫଳତା ହାସଲ କରିଛନ୍ତି। ବର୍ତ୍ତମାନ ସେ ଭାରତ ସରକାରଙ୍କ ଦ୍ବାରା ଜାତୀୟ ଶିଶୁ କଳାକାର ବୃତ୍ତି ପାଇ କଳାହାଣ୍ଡିର ଲୋକନୃତ୍ୟରେ ୭ ବର୍ଷ ପାଇଁ ଶିକ୍ଷା ଗ୍ରହଣ କରୁଛନ୍ତି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦରଠାରେ ଆସନ୍ତା ନଭେମ୍ବର ୨୨ରୁ ୨୫ ତାରିଖ ଯାଏଁ ଆୟୋଜିତ ହେବାକୁଥିବା ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୪ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବର ‘ଗୋସିଙ୍ଗ ଦୈତ୍ୟ ଦରବାର’ରେ ତାଙ୍କୁ ସମ୍ମାନିତ କରାଯିବ। ଏନେଇ ସୂଚନା ଦେଇଛନ୍ତି ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡାମାଝୀ ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ।





