ଚାଷୀ ଓ ଚାଷର ଗାଁ ଭିର୍କୁପଡ଼ା ପୁଣି ହେଲେଣି ସଜ
କଳାହାଣ୍ଡି(ହେମନ୍ତ ସାହୁ): ଗତ ଛଅ ମାସ ହେଲା କରୋନା ମହାମାରୀ ତାର କାୟା ବିସ୍ତାର କରିଚାଲିଥିବାବେଳେ ଅନେକ ଙ୍କ ଜୀବନ ଓ ଜୀବିକାରେ ଦେଖାଦେଇଛି ଘୋର ଅନିୟମିତତା । ରୋଜଗାର ହରେଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଇଛନ୍ତି ବିଭିନ୍ନ ବୃତ୍ତି ଧାରୀ ଲୋକେ । ବୃତ୍ତିରେ ପରିବର୍ତ୍ତନ ବି ଦେଖାଯାଇଛି । ପେଟ ଚାଖଣ୍ଡ ପାଇଁ କିଏ ରାସ୍ତାକଡ଼ରେ ବସି ପନିପରିବା ବିକ୍ରି କରିଛି ତ ଆଉ କିଏ ବାଧ୍ୟ ହେଇ ହାତରେ ଧରିଛି ରଫା, ଗଇନ୍ତି । ତେବେ ଏତେ ସବୁ ଭିତରେ ଚାଷୀ ଓ ଚାଷର ଗାଁ ଭିର୍କୁପଡ଼ା ନିଜର ପରିଚୟ ହଜେଇନି କି କରୋନା ମାଡ଼ପରେ ଏମାନେ ଛତ୍ରଭଙ୍ଗ ଦେଇନାହାନ୍ତି କି ବୀଜଙ୍କର ସ୍ୱପ୍ନଭଙ୍ଗ ହେଇନି । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମୋହନଗିରୀ ଗ୍ରାମ ପଂଚାୟତର ପଣ୍ଡାପଦର ଗ୍ରାମର ନିକଟରେ ରହିଛି ଭିର୍କୁପଡ଼ା । ମାତ୍ର କୋଡ଼ିଏ ପରିବାର ର ଏକ ଛୋଟ ଗାଁ,ଗାଁକୁ ଯିବାକୁ ଭଲ ରାସ୍ତାଖଣ୍ଡେ ନାହିଁ । ବର୍ଷା ହେଲେ କାଦୁଅ ପଚ ପଚ ରାସ୍ତାରେ ପ୍ରାୟ ଦେଢକିଲୋମିଟର ପଣ୍ଡାପଦର ଯାଏଁ ଏହି ଗ୍ରାମବାସୀମାନେ ବହୁକଷ୍ଟରେ ଯାତାୟତ କରନ୍ତି । ଏହି କୋଡ଼ିଏ ପରିବାରର ଗାଁକୁ ଯାଇ ଦେଖିବାକୁ ପାଇଲୁ ଯେ, ଗାଁର ସମସ୍ତେ ପନିପରିବା ଚାଷ ଉପରେ ନିର୍ଭର କରନ୍ତି । ବିଶେଷ କରି ଖରିଫ ଧାନ ଅମଳ ପରେ ପରେ ପ୍ରତିଟି ଚାଷ ଜମିରେ ଟମାଟୋ, ବାଇଗଣ, ପୋଟଳ, ଭେଣ୍ଡି, କଲାରା, ଝୁଡ଼ଙ୍ଗ, ସାରୁ ଭଳି ପ୍ରାୟ ସମସ୍ତ ପ୍ରକାର ପନିପରିବା ଚାଷ ପ୍ରାୟ ୧୫ ଏକର ମଧ୍ୟରେ ହୋଇଥାଏ ।
ଗତ ମାର୍ଚ୍ଚ ମାସରେ ଯୋଉ ସମୟରେ ପନିପରିବା ଖୁବ୍ ପରିମାଣରେ ବାହାରିଥାଏ ଏବଂ ଭଲ ଦୁଇପଇସା ରୋଜଗାର ହୁଏ ସେହି ସମୟରେ କରୋନା ର ପ୍ରଭାବରେ ସାପ୍ତାହିକ, ଦୈନିକ ବଜାର ସବୁ ବନ୍ଦ ହେଇଯିବା ଫଳରେ ଅନେକ କ୍ଷତି ସହିଥିବା କହୁନ୍ତି ଚାଷୀ ମକୁନ୍ଦ ବାଗ,ଥାକ ବାଗ,ଚକ୍ରଧର ସା । ଏହି କରୋନା ପ୍ରଭାବ ଗାଁ ମାନଙ୍କୁ ବି ଏମିତି କବଳିତ କରିଥିଲା ଯେ, ଗୋଟିଏ ଗାଁରୁ ଅନ୍ୟଗାଁକୁ ପନିପରିବା ଧରି ବିକ୍ରୀ କରିଯିବା ବି ସମ୍ଭବପର ନଥିଲା । ସମସ୍ତ ଚାଷ ନଷ୍ଟ ହେଇଥିବାବେଳେ ଅନେକ କ୍ଷତି ସହିବାକୁ ପଡ଼ିଥିଲା ବୋଲି କହିଛନ୍ତି ଚାଷୀ ଟିକେଶ୍ୱର ସା, ସୋମନାଥ ସା, ଲାଲୁ ସା । ତଥାପି ଏହି ଗାଁରୁ ଜଣେ ହେଲେ କେହି ଧୈର୍ଯ୍ୟହରା ହେଇ ଗାଁ ଛାଡ଼ି ଦାଦନ ହେବାକୁ ଯାଇନାହାନ୍ତି । ଏବେ ପୁଣି ଛଅମାସ ପରେ ଆଗାମୀ ଖରିଫ ଧାନ ଅମଳପରେ ପରେ ପୁଣି ଥରେ ପନିପରିବା ଚାଷ କରିବାକୁ ତଳି ପକାଇବା ସହିତ ବେଡ଼ ପ୍ରସ୍ତୁତରେ ଲାଗିପଡ଼ିଛନ୍ତି । ଟମୋଟୋ, ଫୁଲକୋବି, ମରୀଚ ଚାରା ସବୁକୁ ଖୁବ୍ ଯତ୍ନରେ ମଶାରୀ ଏବଂ ଛାଉଣୀ କରି ବଢେଇବା ସହିତ ନିଜ ନିଜର ସ୍ୱପ୍ନକୁ ବାସ୍ତବତାର ରୂପ ଦେବାରେ ଲାଗିପଡ଼ିଛନ୍ତି ଏହି ଭିର୍କୋପଡ଼ା ଗ୍ରାମବାସୀ ।
ସବଠୁ ବଡ଼ କଥା ହେଲା,ଏହି ଗାଁର ସମସ୍ତ ଚାଷୀ ରାସାୟନିକ ସାର, ଔଷଧ, କୀଟନାଶକ ନିଜ ନିଜ ପନିପରିବାରେ ଦେବା ଛାଡ଼ିଦେଇ ହାଣ୍ଡିଖତ ଓ ମାଛ ହରମୋନକୁ ସାର ଆକାରରେ ବ୍ୟବହାର କରିବା ସହିତ ରୋଗପୋକ ଦାଉରୁ ରକ୍ଷା ପାଇବାକୁ ନିମାସ୍ତ୍ର ଏବଂ ଆଗ୍ନେୟ ଅସ୍ତ୍ର ବ୍ୟବହାର କରି ବିନାରାସାୟନିକ ବ୍ୟବାହାରର ପନିପରିବା ନିଜେ ଖାଇବା ସହିତ ଅନ୍ୟମାନଙ୍କୁ ବି ଖାଇବାକୁ ଦେଇପାରୁଛନ୍ତି । ଫଳରେ ରାସାୟନିକ ସାର ଓ ଔଷଧ ବ୍ୟବାହର ଫଳରେ ଯୋଉ ଅର୍ଥ ଖର୍ଚ୍ଚ ହେଉଥିଲା ତାହା ସଂପୂର୍ଣ୍ଣ ବଂଚିଯାଉଥିବାବେଳେ ପନିପରିବା ମଧ୍ୟ ସବୁଜ ହେଇପାରୁଛି । ଯାହା ରୋଜଗାର ହେବ ସବୁ ନିଜର ଲାଭ ହେଇପାରିବ ବୋଲି କୁହନ୍ତି ଚାଷୀ ପରମେଶ୍ୱର ସା । ଗାଁ ଟି ଯାକ ଲୋକଙ୍କ ଚାଷ ଉପରେ ନିର୍ଭରଶୀଳତା ସହିତ ସକାଳୁ ସେମାନେ ଚାଷ ଜମି ଓ ପନିପରିବା ବଗିଚାରେ ଦିନ କାଟୁଥିବା ଦେଖିବାକୁ ମିଳିଥାଏ । ଗାଁର ଚାଷ ଓ ଚାଷୀଙ୍କ ମନୋବଳକୁ ଦେଖି ମହାଶକ୍ତି ଫାଉଣ୍ଡେସନ ଏବେ ନାବାର୍ଡ଼ ସହାୟତାରେ ଏହି ଗାଁର ଚାଷୀଙ୍କୁ ବିଭିନ୍ନ ପ୍ରକାର ବୈଷୟିକ ସହାୟତା ପ୍ରଦାନ କରୁଥିବା ଜଣାଯାଇଛି । ଏହି ଗାଁକୁ କୃଷି ଓ ଉଦ୍ୟାନ ବିଭାଗ ତରଫରୁ ବିଭିନ୍ନ ସରକାରୀ ସୁବିଧା ଯୋଗାଇଦେଲେ ଆହୁରି ପନିପରିବା ସହିତ ଅନ୍ୟାନ୍ୟ ଚାଷ ଜୈବିକ ପଦ୍ଧତିରେ କରିବା ସହିତ ଆମକୁ ଯୋଗାଇପାରନ୍ତେ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି ।
Clickhere to get 24×7 News & Views alerts
https://facebook.com/odiabarta