ଏବେ ବି ଲାଞ୍ଜିଗଡ଼ର ଅନେକ ସମ୍ବେଦନଶୀଳ ଅଞ୍ଚଳ ଖୋଲା ମୁକୁଳା
ଲାଞ୍ଜିଗଡରେ ନିୟମ ବଦଳି ଯାଉଛି କେମିତି!
ଲାଞ୍ଜିଗଡ଼: କରୋନାରେ ଜଣକର ମୃତ୍ୟୁ ଓ ସଂକ୍ରମଣ ବଢି ଚାଲିଥିବା ଦୃଷ୍ଟିରୁ ଲାଞ୍ଜିଗଡ଼କୁ କଣ୍ଟେନମେଣ୍ଟ ଜୋନ ଓ ସଟଡାଉନ କରିବାକୁ ଦାବି କରି ଆସୁଥିଲେ ସ୍ଥାନୀୟ ଜନତା। କିନ୍ତୁ ଲୋକଙ୍କ ଦାବିକୁ ଅଣଦେଖା କରାଯାଉଥିଲା। ବେଦାନ୍ତ କମ୍ପାନୀର ସ୍ବାର୍ଥ ପାଇଁ ଲୋକଙ୍କୁ ବିପଦ ମଧ୍ୟକୁ ଠେଳି ଦିଆଯାଉଥିବା ଚର୍ଚ୍ଚା ଚାଲିଥିଲା। ଶେଷରେ ଲାଞ୍ଜିଗଡ଼ ସହରର ଆଶ୍ରମପଡାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବାବେଳେ ତାକୁ ଲାଗି ରହିଥିବା ସ୍କୁଲପଡାକୁ ବଫର ଜୋନ ଘୋଷଣା କରାଯାଇଛି। ରବିବାର ବ୍ଲକ ପ୍ରଶାସନ ଓ ଲାଞ୍ଜିଗଡବାସୀଙ୍କ ଆଲୋଚନା ତଥା ଅଞ୍ଚଳବାସୀଙ୍କ ଉଦ୍ବେଗକୁ ଦୃଷ୍ଟିରେ ରଖି ଲାଞ୍ଜିଗଡ ତହସିଲଦାର ଲାଞ୍ଜିଗଡ ସହରରେ କଣ୍ଟେନମେଣ୍ଟ ଜୋନ ଘୋଷଣା ପାଇଁ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ। ଫଳସ୍ୱରୂପ ଆଜି ଉଭୟ ଜିଲ୍ଲା ଓ ବ୍ଲକ ପ୍ରଶାସନର ନିର୍ଦ୍ଦେଶରେ ଲାଞ୍ଜିଗଡ ପଞ୍ଚାୟତ କର୍ତ୍ତୃପକ୍ଷ ସହରର ଆଶ୍ରମପଡା ଓ ସ୍କୁଲପଡାରେ ବ୍ୟାରିକେଡ ନିର୍ମାଣ କରିଛନ୍ତି। ଲାଞ୍ଜିଗଡ ସରପଞ୍ଚ ମଣି ମାଝୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପରମେଶ୍ୱର ସେନାପତି, ଯୋଗାଣ ସହାୟକ ରାଜେନ୍ଦ୍ର କୁମାର ମହାକୁଡ ପ୍ରମୁଖ କଣ୍ଟେନମେଣ୍ଟ ଜୋନ ଓ ବଫରଜୋନ ଅଞ୍ଚଳରେ ବୁଲି ଦେଖିବା ସହିତ ଲୋକଙ୍କୁ ଏ ସଂପର୍କରେ ସୂଚନା ଦେଇଥିଲେ। ସେହିପରି ଡାକ୍ତର ନରେନ୍ଦ୍ର କୁମାର ଦାସଙ୍କ ନେତୃତ୍ୱରେ ଏକ ହେଲ୍ଥ ଟିମ୍ ଆକ୍ରାନ୍ତମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଥିଲେ। ତେବେ ଲାଞ୍ଜିଗଡ଼ର ଆଶ୍ରମପଡ଼ା ବ୍ୟତୀତ ସହରର ଅନ୍ୟାନ୍ୟ ପଡା ଓ ବସ୍ତିରେ କରୋନା ଆକ୍ରାନ୍ତମାନେ ଥିବାବେଳେ ସେଇସବୁ ଅଞ୍ଚଳକୁ ଖୋଲା ଛାଡି ଦିଆଯାଇଥିବାରୁ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ରାଜ୍ୟ, ଜିଲ୍ଲା କିମ୍ବା ବ୍ଲକର ଅନ୍ୟ ଅଞ୍ଚଳରେ ପଜିଟିଭ ଚିହ୍ନଟ ହେଲେ ସମଗ୍ର ଅଞ୍ଚଳକୁ ସିଲ୍ କରିବା ସହିତ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଉଛି କିନ୍ତୁ ଲାଞ୍ଜିଗଡରେ ସେଇ ନିୟମ ବଦଳି ଯାଉଛି କେମିତି ବୋଲି ଲୋକେ ପ୍ରଶ୍ନ ଉଠାଉଛନ୍ତି। ଶିଳ୍ପାଞ୍ଚଳ ହୋଇଥିବାରୁ ଲାଞ୍ଜିଗଡକୁ ରାଜ୍ୟ ବାହାର ତଥା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଲୋକଙ୍କ ଆତଜାତ ଲାଗିରହିଛି, ଯାହା ସଂକ୍ରମଣକୁ ବୃଦ୍ଧି କରିପାରେ। ଏଥିପାଇଁ କଟକଣା ଲାଗୁ ହେବା ଜରୁରୀ ବୋଲି ସଚେତନ ନାଗରିକମାନେ ମତ ପ୍ରକାଶ କରିଛନ୍ତି। ଲୋକଙ୍କ ମତ ହେଲା ବେଦାନ୍ତ ପ୍ରତି ଅହେତୁକ ଅନୁକମ୍ପା ପାଇଁ ଏସବୁ ଚାଲିଛି। ଏଠି କମ୍ପାନୀ ସ୍ବାର୍ଥ ଆଗ ଲୋକଙ୍କ ସୁରକ୍ଷା ପଛ ବୋଲି ଚର୍ଚ୍ଚା ଚାଲିଛି। ଲାଞ୍ଜିଗଡ ଅଞ୍ଚଳବାସୀଙ୍କ ପ୍ରତି ଏପରି ପାତରଅନ୍ତର ନୀତି ବନ୍ଦ କରିବା ସହିତ ଲାଞ୍ଜିଗଡରେ ତୁରନ୍ତ ଏକ କୋଭିଡ ପରୀକ୍ଷଣ କେନ୍ଦ୍ର ସ୍ଥାପନ ଓ କୋଭିଡ କଟକଣାକୁ ଜୋରଦାର କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in