ଉତ୍କେଲାରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା

କେସିଙ୍ଗା, (ମଧୁସୂଦନ ଠାକୁର): କେସିଙ୍ଗା ବ୍ଲକ ଉତ୍କେଳା ଗ୍ରାମରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଏଠାରେ ସବୁଠୁ ବଡ଼ ସମସ୍ୟା ହେଲା ଡ୍ରେନେଜ ସିଷ୍ଟମ। ଗ୍ରାମରେ ଆଜି ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ଡ୍ରେନ ନିର୍ମାଣ ହୋଇ ନାହିଁ। ଯେଉଁଠି ଡ୍ରେନ ନିର୍ମାଣ ହୋଇଛି ତାହା ଅତି ସଂକୀର୍ଣ୍ଣ ହୋଇ ଥିବାରୁ ମଇଲା ପାଣି ରାସ୍ତା ଉପରେ ବହୁଛି। ଜନସାଧାରଣ ବାଧ୍ୟ ହୋଇ ମଇଲା ପାଣି ମାଡ଼ି ଯିବା ଆସିବା କରିଥାନ୍ତି।

ଗ୍ରାମର ଅନେକ ସ୍ଥାନରେ ଆବର୍ଜନା କୁଣ୍ଡ ଥିଲେ ମଧ୍ୟ ରକ୍ଷଣା ବେକ୍ଷଣ ଅଭାବରୁ ମାସ ମାସ ଆବର୍ଜନା କୁଣ୍ଡରେ ପଡ଼ି ରହିଛି। ଏଥିପ୍ରତି ଉତ୍କେଲା ଗ୍ରାମପଞ୍ଚାୟତ କତୃପକ୍ଷ ଧ୍ୟାନ ଦେଉନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ବିଶେଷ କରି ଉତ୍କେଲାର ତ୍ରିବେଣୀ ଛକ ଓ ଜଗନ୍ନାଥ ମନ୍ଦିର ପାଖରେ ସମସ୍ୟା ଜଟିଳ ହୋଇପଡିଛି।

ଏହି ସମସ୍ୟାର ଦୂରିକରଣ ପାଇଁ ବିଜେପି ନେତା ବସନ୍ତ ପୁରୋହିତଙ୍କ ନେତୃତ୍ୱରେ ଏକ ଦସ୍ତଖତ ଅଭିଯାନ କରି କେସିଙ୍ଗା ବିଡ଼ିଓଙ୍କୁ ପ୍ରଦାନ କରାଯାଇ ଉପଯୁକ୍ତ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଥିଲା। ତେବେ ଦରଖାସ୍ତ ଦେବାର ୨୦ରୁ ଉର୍ଦ୍ଧ୍ବ ଦିନ ବିତିଯାଇଥିଲେ ମଧ୍ୟ ବ୍ଲକ ତରଫରୁ କୋଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଗ୍ରାମବାସୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେଣୁ ପ୍ରଶାସନ ଏଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.