ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକର ବଙ୍ଗୋମୁଣ୍ଡା ପେଟ୍ରୋଲ ପମ୍ପ ଛକଠାରୁ କୁଲେରଗୁଡା କୁ ସଂଯୋଗ କରୁଥିବା ଆରଡି ରାସ୍ତାର ଉଭୟ ପାର୍ଶ୍ବରେ ଅନାବନା ଗଛ ଭରି ରହିଛି। ଯାହା ଫଳରେ ଦୁର୍ଘଟଣା ଘଟିବାର ବହୁ ଆଶଙ୍କା ରହିଛି। ବିଭାଗ ପକ୍ଷରୁ କିମ୍ବା ଠିକା ସଂସ୍ଥା ପକ୍ଷରୁ ଅନାବନା ଗଛ ପତ୍ର କାଟି ସଫା କରିବା କଥା,ହେଲେ ତାହା ବର୍ଷ ବର୍ଷ ଧରି କରାଯାଉ ନାହିଁ। ଯାହା ଫଳରେ ବଙ୍ଗୋମୁଣ୍ଡା ଛକ କେନାଲ ବୁଲାଣିରେ ଦୁର୍ଘଟଣା ଘଟିବା ଅନେକ ନଜିର ରହିଛି। ଯାହାକୁ ନେଇ ସ୍ଥାନୀୟ ସ୍ବେଚ୍ଛାସେବୀ ଯୁବକ ମାନେ ଏକଜୁଟ୍ ହୋଇ ରାସ୍ତାର ଉଭୟ ପାର୍ଶ୍ବରେ ଥିବା ଅନାବନା ଗଛ ପତ୍ର ସଫା କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ହୋଇଥିବା ଉକ୍ତ ରାସ୍ତା ନିର୍ମାଣର ଶେଷ ଦିନ ଠାରୁ ୫ବର୍ଷ ପର୍ଯ୍ୟନ୍ତ ମରାମତି କରିବା, ରାସ୍ତା ପାର୍ଶ୍ବର ଅନାବନା ଗଛ କାଟିବା ଭଲି ଅନେକ କାମ କରିବାର ଦାୟିତ୍ବ ଠିକା ସଂସ୍ଥାର ରହିଛି। ହେଲେ ଠିକା ସଂସ୍ଥା ଏସବୁ କରିବାରେ ଆଖି ବୁଜି ଦେଇଥିବା ବେଳେ ସମ୍ପୃକ୍ତ ବିଭାଗର ନଜର ମଧ୍ୟ ପଡୁନାହିଁ। ଯାହା ଦ୍ବାରା ଉକ୍ତ ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟିବାରେ ଲାଗିଛି। ଯାହାକୁ ନେଇ ଜନ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ସ୍ଥାନୀୟ ଯୁବକ ଲାଲୁ ଖାଁ, ତୁଳସୀ ରାମ ପୁଝାରୀ, ନବୀନ ପୁଝାରୀ, ଜିତ ପୁଝାରୀ, ତ୍ରିନାଥ ପୁଝାରୀ, ପରେଶ ପୁଝାରୀ, ଡମ୍ବରୁଧର ପୁଝାରୀ, ଭୁପିନ ପୁଝାରୀ, ବୁଲୁ ପୁଝାରୀ, ବେଣୁ ପୁଝାରୀ ପ୍ରମୁଖ ଯୁବକ ଏକଜୁଟ ହୋଇ ରାସ୍ତା ପାର୍ଶ୍ବରେ ସୃଷ୍ଟି ହୋଇଥିବା ଅନାବନା ଗଛ ପତ୍ର କାଟି ସଫା କରିଛନ୍ତି। ଯୁବକ ମାନଙ୍କ ଏହି ପ୍ରୟାସ କୁ ଲୋକେ ପ୍ରଶଂସା କରିଥିବା ବେଳେ ବିଭାଗୀୟ ଅବହେଳା କୁ ନିନ୍ଦା କରିବା ସହ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ତୁରନ୍ତ ଦୃଷ୍ଟି ଦେଇ ରାସ୍ତା ପାର୍ଶ୍ବର ଅନାବନା ଗଛ ପତ୍ର ସଫା କରିବା ପାଇଁ ଦାବି ହୋଇଛି। ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ସାହୁଙ୍କ ମତାମତ ନେବାରୁ ଠିକା ସଂସ୍ଥାର ୫ବର୍ଷ ଅବଧି ସରି ଯାଇଛି, ଆମେ ପ୍ରସ୍ତାବ ଦେଇଛୁ ଅନୁଦାନ ଆସିଲେ ସଫା କରିବା ବୋଲି କହିଛନ୍ତି।





