ଢେପଗୁଡ଼ା ଅଣଓସାରିଆ ପୋଲରେ ଓଲଟିଲା କଣ୍ଟେନର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ବଞ୍ଜାରୀ ଘାଟିରୁ ଢେପଗୁଡ଼ା ଘାଟି ପର୍ଯ୍ୟନ୍ତ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ପୂର୍ତ୍ତ ବିଭାଗର ଅବହେଳା ଯୋଗୁଁ ଏହି ରାସ୍ତାରେ ବହୁ ଲୋକଙ୍କ ଜୀବନ ଯାଇସାରିଲାଣି ବୋଲି ଲୋକେ ଅଭିଯୋଗ କରିଛନ୍ତି। ସୋମବାର ବିଳମ୍ବିତ ରାତିରେ ପୁଣି ଏକ ଦୁର୍ଘଟଣା ଘଟିଛି। ଲାଞ୍ଜିଗଡ଼ ବେଦାନ୍ତରୁ ଆଲୁମିନିୟମ ବୋଝେଇ କରି ଝାରସୁଗୁଡ଼ା ଅଭିମୁଖେ ଯାଉଥିବା ଓଡ଼ି ୧୫ ଜେ ୭୫୯୩ ନମ୍ବର ବିଶିଷ୍ଟ କଣ୍ଟେନରଟି ଢେପଗୁଡ଼ା ନିକଟରେ ଥିବା ଅଣଓସାରିଆ ଓ ଜରାଜୀର୍ଣ୍ଣ ପୋଲ ଉପରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଚାଳକ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି ପୋଲଟି ବହୁ ଦିନ ହେଲା ଅଣଓସାରିଆ ଓ ଭାଙ୍ଗିରୁଜି ଅବସ୍ଥାରେ ରହିଛି। ଦୁଇଟି ବଡ଼ ଗାଡି ଏକାସାଙ୍ଗେ ଯାଇ ପାରୁନାହିଁ। ଏହି କାରଣରୁ ପୂର୍ବରୁ ଏଠାରେ ଅନେକ ଦୁର୍ଘଟଣାରେ ବହୁ ଅମୂଲ୍ୟ ଜୀବନ ଯାଇଛି। ବାରମ୍ବାର ଅଭିଯୋଗ ପରେ ବି ପୂର୍ତ୍ତ ବିଭାଗ ଏହାର ମରାମତି କିମ୍ବା ପ୍ରଶସ୍ତିକରଣ କରୁନାହିଁ। ତେବେ ମଙ୍ଗଳବାର ଦିନ ତମାମ କଣ୍ଟେନରଟି ଅଣଓସାରିଆ ରାସ୍ତାର ଅଧା ଭାଗରେ ପଡି ରହିଥିବା ବେଳେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ତୁରନ୍ତ ପୋଲର ପ୍ରଶସ୍ତିକରଣ ଓ ଘାଟି ରାସ୍ତାର ମରାମତି ପାଇଁ ଲୋକେ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.