୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ରୁପ୍ରାରୋଡର ନାବାଳକ ଗୁରୁତର ଘଟଣା, ସହାୟତା ପାଇଁ ନିବେଦନ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରାରୋଡ ବସ୍ତିର ସ୍ବର୍ଗତ ବିନୋଦ ଅଗ୍ରୱାଲଙ୍କ ୧୭ ବର୍ଷିୟ ପୁଅ ନିଶାନ୍ତ କୁମାର ଅଗ୍ରୱାଲ ଗତ ୨୦୨୧ ଜୁଲାଇ ମାସ ୨୪ ତାରିଖ ରାତି ୮ଟା ସମୟରେ ସାଙ୍ଗ ସାଥିଙ୍କ ସହ ଖେଳୁଥିବା ସମୟରେ କୋଠାର ମାତ୍ର ୨ ଫୁଟ ଉଚ୍ଚତାରେ ଯାଇଥିବା ୩୩ କେଭି ନନ ଇନସୁଲେଟେଡ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇ ପଡ଼ିଥିଲେ । ତାଙ୍କ ଦେହର ୬୦ ରୁ ୭୦ ଶତକଡା ପୋଡି ହୋଇ ଯାଇଥିଲା । ପରିବାରବର୍ଗ ତାଙ୍କୁ ପ୍ରଥମେ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରୁ ଭବାନୀପାଟଣା ଏବଂ ଶେଷରେ ଭିଲାଇ ସ୍ଥିତ ଜେଏଲଏନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନିଶାନ୍ତ ସେଠାରେ ମାସେ ଚିକିତ୍ସିତ ହେବାପରେ ଘରକୁ ଫେରିଥିଲେ । ଭିଲାଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ପାଇଁ ମୋଟ ୨୫ ଲକ୍ଷ ଖର୍ଚ୍ଚ ହୋଇଥିଲା । ବର୍ତ୍ତମାନ ତାଙ୍କର ଗୋଡ ସଂପୂର୍ଣ୍ଣ ଭଲ ହୋଇନଥିବାରୁ ସେ ଛୋଟେଇ ଛୋଟେଇ ଚାଲୁଛନ୍ତି । ତାଙ୍କର ସର୍ଜରୀର ଆବଶ୍ୟକତା ଥିବା ଡ଼ାକ୍ତର କହିଛନ୍ତିି କିନ୍ତୁ ଅର୍ଥ ବାଧକ ସାଜିଛି । ନିଶାନ୍ତଙ୍କ ପିତା ପୂର୍ବରୁ ପରଲୋକ ଗମନ କରିଥିବା ବେଳେ ବିଧବା ମାଁ ପୁଅର ଚିକିତ୍ସା ପାଇଁ ଆଉ ଅଧିକ ଅର୍ଥ ଯୋଗାଡ଼ କରିପାରୁ ନାହାନ୍ତି । ନିଶାନ୍ତ +୨ ଛାତ୍ର ଥିବାବେଳେ ତାଙ୍କ ପାଠପଢ଼ା ମଧ୍ୟ ଠପ୍ ହୋଇ ପଡ଼ିଛି । ଏପଟେ ନିଶାନ୍ତଙ୍କ ପରିବାରବର୍ଗ ଓଡିଶା ଇଲେକ୍ଟ୍ରିସିଟି ରେଗୁଲେଟାରୀ କମିଶନ, ଟିପିଡବ୍ଲୁଓଡିଏଲ କର୍ତ୍ତୁପକ୍ଷ, ଜାତୀୟ ମାନବାଧିକାର କମିଶନଙ୍କ ପାଖରେ ସହାୟତା ପାଇଁ ନିବେଦନ କରିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଟିପିଡବ୍ଲୁଓଡିଏଲ ପକ୍ଷରୁ କୌଣସି ସହାୟତା ମିଳି ପାରିନାହିଁ । ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ନିଶାନ୍ତ ଏହି ଦୁର୍ଘଟଣାର ଶିକାର ହୋଇଛି ତେଣୁ ତାଙ୍କୁ ତୁରନ୍ତ ସହାୟତା ରାଶି ପ୍ରଦାନ କଲେ ଉତ୍ତମ ଚିକିତ୍ସା ହୋଇ ପାରିବ ବୋଲି ନିଶାନ୍ତଙ୍କ କାକା ସୁଶିଲ କୁମାର ଅଗ୍ରୱାଲ କହିଛନ୍ତି । ତେଣୁ ଟିପିଡବ୍ଲୁଓଡିଏଲ ପକ୍ଷରୁ ତୁରନ୍ତ ସହାୟତା ରାଶି ପ୍ରଦାନ କରାଯିବା ଉଚିତ ବୋଲି ସ୍ଥାନୀୟ ବାସିନ୍ଦା ମତ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.