କଳାହାଣ୍ଡି: ପନ୍ଦର ଲକ୍ଷ ଜନସଂଖ୍ୟା ବିଶିଷ୍ଟ କଳାହାଣ୍ଡି ଜିଲ୍ଲା ବିକାଶ ପଥରେ ଯାତ୍ରୀ ହୋଇଥିଲେ ହେଁ ଭୌଗଳିକ ପରିସ୍ଥିତି ତଥା ଅନେକ ମୌଳିକ ସମସ୍ୟା ଜର୍ଜରିତ ହେବା ଫଳରେ ବିକାଶ ପଥରେ ବାଧା ସୃଷ୍ଟି ହେଉଛି । ସେଥିମଧ୍ୟରୁ ଆଜିର ଏକ ପ୍ରମୁଖ ଆବଶ୍ୟକତା ଟେଲି ଯୋଗାଯୋଗ ଓ ଇଣ୍ଟରନେଟ୍ ସେବା ହୋଇଥିବାବେଳେ ଏହାର ଅଭାବ ଯୋଗୁଁ ଜିଲ୍ଲାର ଅନେକତ୍ର ଡିଜିଟାଲ ଇଣ୍ଡିଆ ଓ ସମସ୍ତ ଅନଲାଇନ୍ ସରକାରୀ ସେବା ଭଳି ମହତ୍ୱପୂର୍ଣ୍ଣ ଯୋଜନା ବିଫଳ ହେଉଛି । ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଯୋଜନା କେବଳ ଏଥିଯୋଗୁଁ ସଠିକ୍ ସମୟରେ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁନାହିଁ । ଏହିପରି ଭାବେ ଜିଲ୍ଲାର ବଣପାହାଡ଼ ଘେରା, ଆଦିବାସୀ ଓ ଅନୁସୂଚିତ ଜାତି ବହୁଳ ଲାଞ୍ଜିଗଡ଼ ବ୍ଲକର ପାହାଡ଼ପଦର, ବିଜେପୁର, ଲାଖବାହାଲି, ମାଳିଯୁବାଙ୍ଗ, ବିଜେପୁର, ତ୍ରିଲୋଚନପୁର, ବେନଗାଁ, କାନକୁଟ୍ରୁ, ବେଡ଼ାଗାଁ, ବନ୍ଧପାରି, କୁମଖାଲ, ଲାଞ୍ଜି ସମେତ ଭୁର୍ଟିଗଡ଼, କଦମ୍ବଗୁଡ଼ା, ଗୁଣ୍ଡରୀ, ଭଟାଙ୍ଗପଦର ଆଦି ୧୬ଗୋଟି ଗ୍ରାମପଞ୍ଚାୟତର ଦୁଇଶହରୁ ଅଧିକ ଗାଁର ୩୦ ହଜାର ଜନସାଧାରଣ ଏକବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧ ତଥା ଦେଶବ୍ୟାପି ସୂଚନା ପ୍ରଯୁକ୍ତିର କ୍ରାନ୍ତି ସମୟରେ ମୋବାଇଲ୍ ଯୋଗାଯୋଗ ଓ ଇଂଟରନେଟ୍ ସେବା ପାଇବାରୁ ବଂଚିତ ରହିବା ନିଶ୍ଚିତ ଭାବେ ଏକ ବିଡ଼ମ୍ବନାର ବିଷୟ । ଏହି ଅବସରରେ ଦେଶର ପ୍ରତି ଗାଁକୁ ଟେଲି ଯୋଗାଯୋଗ ଓ ଇଂଟରନେଟ୍ ସେବା ସଂପର୍କରେ ଏକ ମହତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି କେନ୍ଦ୍ର ରେଳ ତଥା ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ବିଭାଗର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରାଜ୍ୟସଭାରେ ଓଡ଼ିଶାର ପ୍ରତିନିଧିତ୍ୱ କରୁଥିବା ଶ୍ରୀ ବୈଷ୍ଣବଙ୍କ ଏତାଦୃଶ ଘୋଷଣା ଲାଞ୍ଜିଗଡ ବ୍ଲକର ଦୁର୍ଗମ ଅଞ୍ଚଳବାସୀଙ୍କ ମନରେ ନୂତନ ଆଶା ସଂଚାରିତ କରିଛି । ପୂର୍ବରୁ ଏ ସଂପର୍କରେ କଳାହାଣ୍ଡି ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ମାନ୍ୟବର ରାଜ୍ୟସଭା ସାଂସଦ ସୁଜିତ କୁମାର ମଧ୍ୟ ସଂସଦରେ ଏ ସଂପର୍କିତ ପ୍ରଶ୍ନ ଉତ୍ଥାପନ କରିଥିଲେ । ତେବେ ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀଙ୍କ ଘୋଷଣା ପରେ ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଦୀର୍ଘ ବର୍ଷ ହେଲା ସାମ୍ବାଦିକତା ଓ ସମାଜସେବା କରୁଥିବା ଯୁବଲେଖକ ସୁଶୀଲ କୁମାର ବାଗ ଉପରୋକ୍ତ ଅଞ୍ଚଳକୁ ମୋବାଇଲ ଯୋଗାଯୋଗ ଓ ଇଣ୍ଟରନେଟ୍ ସେବା ଯୋଗାଇଦେବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହାସହିତ ଶ୍ରୀ ବାଗ ଚିଠିର ପ୍ରତିଲିପି ବିଭାଗୀୟ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ରାଜ୍ୟସଭା ସାଂସଦ ସୁଜିତ କୁମାର, ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା, ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରି, କଳାହାଣ୍ଡି ଜିଲ୍ଲାପାଳ ଡ. ପରାଗ ହର୍ଷଦ ଗାଭାଲି, ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ପ୍ରେରଣ କରିଥିବା ଜଣାପଡିଛି ।