ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ କୋରାପୁଟ ଜିଲ୍ଲାସ୍ତରୀୟ ସାରସ୍ୱତ ସମାରୋହ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): ଓଡ଼ିଶା ସାହିତ୍ୟ ଏକାଡେ଼ମୀ ଆନୁକୁଲ୍ୟରେ ଦାମନଯୋଡି ସ୍ଥିତ ନାଲ୍‌କୋ କମ୍ୟୁନିଟି ସେଣ୍ଟର୍ ସଭାକକ୍ଷରେ କୋରାପୁଟ ଜିଲ୍ଲା ସ୍ତରୀୟ ସାରସ୍ଵତ ସମାରୋହ ଅନୁଷ୍ଠିତ ହୋଇଯାଇଛି।ପଣ୍ଡିତ ବଳରାମଙ୍କ ବେଦମନ୍ତ୍ର ଉଚ୍ଚାରଣ ପରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ର ଛାତ୍ରୀଙ୍କ ଦ୍ଵାରା ବନ୍ଦେ ଉତ୍କଳ ଜନନୀ ଗାନ କରା ଯାଇଥିଲା। ଏହି ସମାରୋହକୁ ନାଲ୍‌କୋ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଇଂ ସୁଶୀଳ କୁମାର ପାଢ଼ୀ ଉଦ୍‌ଘାଟନ କରି ନିଜ ବକ୍ତବ୍ୟରେ କହିଥିଲେ ଯେ, ନାଲକୋ ସର୍ବଦା ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ପ୍ରୟାସରତ । ସିଏ ଓଡ଼ିଆ ସାହିତ୍ୟ ଏକାଡ଼େମୀର ଏଭଳି ଆୟୋଜନ ପ୍ରଶଂସନୀୟ ବୋଲି ମତବ୍ୟକ୍ତ କରିଥିଲେ। ପ୍ରଥମ ଅଧିବେଶନରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଦସ୍ୟ ପ୍ରାବନ୍ଧିକ ଲକ୍ଷ୍ମୀକାନ୍ତ ପାଢ଼ୀଙ୍କ ଅଧ୍ୟକ୍ଷତାରେ କଥାକାର ଗୋପୀନାଥ ମହାନ୍ତିଙ୍କ ସାହିତ୍ୟ ଆଲୋଚନା ହୋଇଥିଲା । ଏଥିରେ ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରୀତିସୁଧା ଜେନା ମୂଖ୍ୟ ଅତିଥି, ବରେଣ୍ୟ ଆଲୋଚକ ଭାବେ ମନମୋହନ ଆଚାର୍ଯ୍ୟ ଏବଂ ଡ ପ୍ରୀତି ଧାରା ସାମଲ, ସମ୍ମାନିତ ଅତିଥି ଭାବେ କବି ଜଳଧର ସ୍ଵାଇଁ, ସୁଶାନ୍ତ କୁମାର ନାୟକ ସଦସ୍ୟ, ଓ ସା ଏ ରାୟଗଡ଼ା ଏବଂ ବଲ୍ଲଭ ରାଉତ ସଦସ୍ୟ ଓ ସା ଏ ନବରଙ୍ଗପୁର, ଯୋଗ ଦେଇଥିଲେ। ଦ୍ଵିତୀୟ ଅଧିବେଶନରେ ଲୋକସାହିତ୍ୟରେ ଗୀତ୍‌କୁଡ଼ିଆ ପରମ୍ପରା ଆଲୋଚନା ଆସରରେ ଡ ରାଜେନ୍ଦ୍ର ପାଢ଼ୀ ଏବଂ ଡ ପ୍ରଦୀପ ମିଶ୍ର ବରେଣ୍ୟ ଆଲୋଚକ ଥିଲେ। ଏହାପରେ ବିଶିଷ୍ଟ ସଙ୍ଗୀତଜ୍ଞ ନୀଳାଚଳ ମହାନ୍ତି, ଗୀତ୍‌କୁଡ଼ିଆ ନରହରି ଗୌଡ଼ ଏବଂ ଗୀତ୍‌କୁଡ଼ିଆଣୀ ରାମବତୀ ଦୁରୁଆ ଗୀତମାରାନି କାର୍ଯ୍ୟକୁ ଖିଅ ଦେଇଥିଲେ। ଏହି ସମାରୋହରେ ଯଜ୍ଞେଶ୍ଵର ପଣ୍ଡାଙ୍କ ଜୁନିୟର୍ ସେବା ପ୍ରକାଶର ୪ର୍ଥ ସଂସ୍କରଣ ଲୋକାର୍ପଣ ହେବା ସହିତ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ରବି ଶତପଥି ଏବଂ ଡ ଝାନ୍ସୀ ସିଂ ଓ ସମାଜସେବା ନିମନ୍ତେ ଜଳେନ୍ଦ୍ର ତ୍ରିପାଠୀଙ୍କୁ ଉପଢୌକନ ପ୍ରଦାନ କରାଯାଇଥିଲା। ତୃତୀୟ ଅଧିବେଶନରେ ସ୍ମୃତି ରଞ୍ଜନ ପଣ୍ଡା ଏବଂ ଡ ସ୍ଵାତୀ ଚାଟାର୍ଜୀଙ୍କ ସଂଯୋଜନାରେ ନିର୍ବାଚିତ କବିଙ୍କ ଦ୍ଵାରା କବିତା ଆବୃତ୍ତି ହୋଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ ଯଜ୍ଞେଶ୍ଵର ପଣ୍ଡା, ଶ୍ରୀଧର ପରିଡ଼ା, ଭାଗ୍ୟଲତା ପାଣିଗ୍ରାହୀ, ଅଶୋକ ମହାରଣା, ସୌମେନ୍ଦ୍ର ସ୍ଵାଇଁ, ତନ୍ମୟ କୁମାର ଏବଂ ଜଳେନ୍ଦ୍ର ତ୍ରିପାଠୀ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.