ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଜଗଦୀଶ ନାଏକ): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରରେ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ଆଜି ବିଧି ମତେ ସମ୍ପନ୍ନ ହୋଇଛି । ଆଦିବାସୀ ମାନଙ୍କ ଶୈବ ଅରାଧାନର ଏହା ହେଉଛି ଏକ ଅନନ୍ୟ ପୀଠ । ଶିବଙ୍କର ସାତଟି ରୂପ ମଧ୍ୟରୁ ଅଗ୍ନି ଭୈରବ ଅନ୍ୟତମ । ଏହି ପୀଠରେ ତାନ୍ତ୍ରିକ ଓ ଗୁପ୍ତ ପଦ୍ଧତିରେ ପୂଜାର୍ଚ୍ଚନା କରାଯାଉଥିବାରୁ ଝାମୁଯାତ୍ରା ଦିନ କାଳିସୀଙ୍କ ଦେହରେ ଅଗ୍ନି ଭୈରବ ପ୍ରବେଶ କରି ମନ୍ଦିରରୁ ବାହାରି ଗ୍ରାମ ପରିକ୍ରମା କରି ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥାନ୍ତି ।
କଞ୍ଚା ହାଣ୍ଡି ଉପରେ ବସି ତାକୁ ଅକ୍ଷତ ରଖିବା କଣ୍ଟା ଦୋଳିରେ ଝୁଲି ସାରିବା ପରେ ପ୍ରସ୍ତୁତ କରାଯାଇଥିବା ଅଗ୍ନି କୁଣ୍ଡରେ ପ୍ରବେଶ କରି ଚାଲିବା ଦୃଶ୍ୟ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ମନରେ ଭୟ ଓ ଭକ୍ତିର ମିଶ୍ରିତ ଭାବ ସୃଷ୍ଟି କରିଥାଏ । ଚଳିତ ବର୍ଷ ଯୁବକଲାଲ ପରିଚ୍ଛାଙ୍କ ଦେହରେ ଭୈରବ ଦେବ ପ୍ରବେଶ କରି ଅଗ୍ନି ପରୀକ୍ଷା ଦେଇଥିଲେ । ସେହିପରି ଶରତ ଚନ୍ଦ୍ର ପୂଝାlରୀଙ୍କ ଦେହରେ ମା ମାଣିକେଶ୍ୱରୀ କାଳିସୀ ରୂପରେ ପ୍ରବେଶ କରିଥିଲେ । ଥୁଅlମୁଳ ରାମପୁରର ଝାମୁଯାତ୍ରା ବହୁ ପ୍ରାଚୀନ । କୁହାଯାଏ, ତତ୍କାଳୀନ ଥୁଆମୂଳ ରାମପୁର ରାଜା ରାମଚନ୍ଦ୍ର ଦେବ ୧୮୯୧ ମସିହାରେ ଲାଞ୍ଜିଗଡରୁ ଭୈରବଦେବଙ୍କୁ ଆଣି ରାମପୁର ଠାରେ ସ୍ଥାପନ କରିବା ପରେ ଏହି ଯାତ୍ରା ଆହୁରି ଯାକ ଯମକରେ ପାଳନ କରାଯାଉଥିବା ଗବେଷକ ଯାନେ ମତବ୍ୟକ୍ତ କରିଥିବା ବେଳେ ଏହି ଯାତ୍ରର ଅନେକ କିମ୍ବଦନ୍ତୀ ରହିଛି ।
ଚଳିତ ବର୍ଷ ମନ୍ଦିରର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସହ ଏହି ଯାତ୍ରା ପାଳନ କରାଯାଇଛି । ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିବା ପୂଜାକମିଟି ପକ୍ଷରୁ ସୂଚନା ଦିଆଯାଇଛି । ଥୁଆମୂଳ ରାମପୁର ପୀଠର ଏକ ସ୍ୱତନ୍ତ୍ରତା ରହିଛି । ଏଠାରେ ଝାମୁଯାତ୍ରା ସମ୍ପନ୍ନ ହେବାପରେ ନିକଟସ୍ଥ ଅନ୍ୟାନ୍ୟ ପୀଠ ମାନଙ୍କରେ ପୂଜା ପାର୍ବଣ କରାଯାଏ । ପ୍ରକୃତି ଓ ମଣିଷ ଏବଂ କୃଷି ସହିତ ଏହି ପର୍ବର ରହିଛି ଘନିଷ୍ଠ ସମ୍ପର୍କ । ତେଣୁ ଏହା କେବଳ ଆଦିବାସୀ ମାନଙ୍କ ମଧ୍ୟରେ ସୀମିତ ନ ରହି ଏହି ପର୍ବକୁ ସମସ୍ତ ଅଞ୍ଚଳବାସୀ ପାଳନ କରିଥାନ୍ତି ।