ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ପିତାମହଲ ଆଶ୍ରମ ବିଦ୍ୟାଳୟରେ ପିଲାଙ୍କ ଦ୍ଵାରା ଗାନ୍ଧିଜୀଙ୍କ ଚିତ୍ର ପ୍ରଦର୍ଶନୀ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହାକୁ ରାୟଗଡା ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ । ବିଦ୍ୟାଳୟର ପିଲାଙ୍କ ଦ୍ଵାରା ଅଙ୍କନ କରାଯାଇଥିବା ଗାନ୍ଧୀଙ୍କ ବିଭିନ୍ନ ପ୍ରକାରର ରଙ୍ଗୀନ ଓ କଳା ଧଳା ଚିତ୍ର ଗୁଡିକୁ ପ୍ରଦର୍ଶନ କରାଯାଇଥିଲା । ଏଥିରେ ଗାନ୍ଧୀଙ୍କ ବିଭିନ୍ନ କାର୍ଯ୍ୟାବଳୀକୁ ଦର୍ଶାଯାଇଥିଲା । ନିଖୁଣ ଭାବରେ ଅଙ୍କିତ ଚିତ୍ରଗୁଡିକ ଦେଖି ଉଚ୍ଚ ପ୍ରଶଂସା କରିଥିଲେ ଜିଲ୍ଲା ମଙ୍ଗଳ ଅଧିକାରୀ । ପରେ ପ୍ରଧାନ ଶିକ୍ଷକ ଦ୍ବିତୀଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଆଲୋଚନା ଚକ୍ରରେ ପିଲାମାନେ ଗାନ୍ଧୀଙ୍କ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ଶତପଥୀ ଗାନ୍ଧିଜୀଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିବା ସହ ଗାନ୍ଧୀଙ୍କ ପଦାଙ୍କ ଅନୁସରଣ କରିବାକୁ ଆହ୍ବାନ ଦେଇଥିଲେ । ଏହି ଅବସରରେ ପିଲାମାନଙ୍କ ଦ୍ଵାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଦ୍ୟାଳୟର ଛାତ୍ର ଚିଣ୍ଟୁ କାଡ୍ରାକା ଓ ଛାତ୍ରୀ ମିକି ତାଡ଼ିଙ୍ଗି ତମାମ କାର୍ଯ୍ୟକ୍ରମକୁ ମିଳିତ ଭାବେ ସଂଯୋଜନା କରିଥିବା ବେଳେ ଶିକ୍ଷୟିତ୍ରୀ ସୁଦଷ୍ଣା ନାୟକ, ମେଟ୍ରୋନ ସୁଜାତା ମହାଙ୍କୁଡ଼, ନିବେଦିତା ତାଡିଙ୍ଗି, ସସ୍ମିତା କାଡ୍ରାକା ପ୍ରମୁଖ ସହଯୋଗ କରିଥିଲେ ।