ଜୁନାଗଡ଼ ବାଇପାସ୍ ନିର୍ମାଣ ଦାବି ଜୋରଦାର, ସର୍ବଦଳୀୟ ବୈଠକରେ ଆନ୍ଦୋଳନ ପାଇଁ ନିଷ୍ପତ୍ତି

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ସହରରେ ଦିନକୁ ଦିନ ବଢ଼ୁଥିବା ଟ୍ରାଫିକ୍ ସମସ୍ୟା ଓ ଭାରୀଯାନ ଚଳାଚଳ ଯୋଗୁଁ ସୃଷ୍ଟି ହେଉଥିବା ଦୁର୍ଘଟଣାକୁ ରୋକିବା ପାଇଁ ବାଇପାସ୍ ରାସ୍ତା ନିର୍ମାଣ ଦାବି ଜୋରଦାର ହୋଇଛି। ଏନେଇ ଗତ ୫ ତାରିଖରେ ଜୁନାଗଡ଼ ସ୍ଥିତ ଅଗ୍ରସେନ ଭବନ ଠାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇ ସହରର ଦୀର୍ଘ ଦିନର ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦାବି ଉଠିଥିଲା। ଜୁନାଗଡ଼ ସହର ଦେଇ ପ୍ରତିଦିନ ଶହ ଶହ ଭାରୀଯାନ ଚଳାଚଳ କରୁଥିବାରୁ ସହରରେ ଟ୍ରାଫିକ୍ ସମସ୍ୟା ଗମ୍ଭୀର ରୂପ ନେଉଛି। ଏହା ସହିତ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ଭାରୀଯାନ ଚଳାଚଳ ଯୋଗୁଁ ସାଧାରଣ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହେଉଛି। ତେଣୁ ସହର ବାହାରେ ବାଇପାସ୍ ରାସ୍ତା ନିର୍ମାଣ ହିଁ ଏହି ସମସ୍ୟାର ଏକ ସ୍ଥାୟୀ ସମାଧାନ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ବୁଦ୍ଧିଜୀବୀ, ବ୍ୟବସାୟୀ ସଂଘର ପ୍ରତିନିଧି ଓ ସାମାଜିକ କର୍ମୀମାନେ ଯୋଗଦେଇ ବାଇପାସ୍ ନିର୍ମାଣର ଆବଶ୍ୟକତା ଉପରେ ମତ ରଖିଥିଲେ। ସହରବାସୀଙ୍କ ଦୀର୍ଘଦିନର ଏହି ନ୍ୟାୟସଙ୍ଗତ ଦାବିକୁ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ବୈଠକରେ ଦାବି କରାଯାଇଥିଲା। ଆଗାମୀ ଦିନରେ ଏହି ଦାବି ନେଇ ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ଆବଶ୍ୟକ ପଡ଼ିଲେ ସମସ୍ତ ବର୍ଗର ଲୋକଙ୍କୁ ଏକଜୁଟ କରି ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନକୁ ଜୋରଦାର କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଜୁନାଗଡ଼ ସହରର ସୁରକ୍ଷିତ ଯାତାୟାତ ଓ ଉନ୍ନତ ଗମନାଗମନ ବ୍ୟବସ୍ଥା ପାଇଁ ବାଇପାସ୍ ନିର୍ମାଣ ଦାବି ଏବେ ଜନଆନ୍ଦୋଳନର ରୂପ ନେବାକୁ ଯାଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.