ମଣ୍ଡିରେ ଧାନ ଜଗି ଶୀତ ରାତି କାଟୁଛି ଚାଷୀ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପୂର୍ବ ବର୍ଷ ଗୁଡିକରେ ଧାନ କିଣା ପ୍ରକ୍ରୀୟାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସରକାର ଘୋଷଣା କରିଥିଲେ ଯେ ଏବେ ଚାଷୀଙ୍କୁ ଆଉ ଧାନ ମଣ୍ଡିରେ ରାତ୍ରୀ ଯାପନ କରିବାକୁ ପଡିବ ନାହିଁ । ଯେଉଁ ଦିନର ଧାନ ସେ ଦିନ ହିଁ ମଣ୍ଡିରେ ସଂଧ୍ୟା ସୁଦ୍ଧା ଉଠାଇ ନିଆଯିବ । ହେଲେ ସରକାରଙ୍କର ଘୋଷଣା ଫେଲ ମାରିଛି । ଗତ ଦୁଇ ସପ୍ତାହ ଧରି ନର୍ଲା ମଣ୍ଡି ତଥା ଏହାର ଉପ ମଣ୍ଡି ଘଣ୍ଟମାଳ ଓ ମାଣ୍ଡେଲ ମଣ୍ଡିରେ ଚାଷୀଙ୍କୁ ନିଜ ନିଜର ଧାନ ଜଗିବା ପାଇଁ ରାତ୍ରୀ ଜଗୁଆଳି ସାଜିବାକୁ ପଡୁଥିବା ଦେଖିବାକୁ ମିଳୁଛି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଞ୍ଚଳରେ ଚାଲିଥିବା ୭ ଗୋଟି ମଣ୍ଡି ଓ ୧୩ ଗୋଟି ଉପ ମଣ୍ଡିରେ ଧାନ ସଂଗ୍ରହ ଯୋରଦାର ଭାବରେ ଚାଲିଛି । ସେଥି ମଧ୍ୟରୁ ଭାନପୁର, ତୁଳାପଡା ଓ ଶାନ୍ତପୁର ମଣ୍ଡିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ ଧାନ କିଣା ଚାଲିଛି । ନର୍ଲା ସଦର ମହକୁମାରେ ରହିଥିବା ନର୍ଲା ମଣ୍ଡି ଗତ ନଭେମ୍ବର ୩୦ ରେ ଉଦ୍ଘାଟିତ ହୋଇଥିବା ବେଳେ ସୋମବାର ପର୍ଯ୍ୟନ୍ତ ୬୨୦ ଜଣ ଚାଷୀଙ୍କ ଠାରୁ ୩୦, ୪୯୦ କ୍ୱିଣ୍ଟାଲ ଧାନ କିଣା ଯାଇଥିବା ପ୍ୟାକ୍ସ ସମ୍ପାଦକ ଲବକାନ୍ତ ସାଙ୍କ ଠାରୁ ସୂଚନା ମିଳିଛି । ନର୍ଲା ପ୍ୟାକ୍ସରେ ବୁଢୀପଦରର ଶ୍ରୀ ରାମାନୁଜ ଏଗ୍ରୋଟେକ, କହ୍ନେଇଆ ଏଗ୍ରୋଟେକ ନର୍ଲାରୋଡ, ବିକେ ଫୁଡ୍ସ କେସିଙ୍ଗା, ଶ୍ରୀ ଜଗନ୍ନାଥ କେସିଙ୍ଗା, କନକଦୁର୍ଗା ରାଇସମିଲ ତୁଳାପଡା ପ୍ରମୁଖଙ୍କୁ ସଂଯୋଗ କରାଯାଇଥିବା ବେଳେ ସୋମବାରରୁ ଗୁରୁବାର ଯାଏଁ ନର୍ଲା ମୁଖ୍ୟ ମଣ୍ଡି, ଶୁକ୍ରବାର ଘଣ୍ଟମାଳ ଉପମଣ୍ଡି ଓ ଶନିବାର ମାଣ୍ଡେଲ ଉପ ମଣ୍ଡିରୁ ଧାନ ଉଠା ଯାଉଥିବା ଜଣାପଡିଛି । ନର୍ଲା ଓ ଏହାର ଦୁଇ ଉପମଣ୍ଡିରେ ଚାଷୀଙ୍କ ଧାନ ପରୀକ୍ଷଣ ପାଇଁ ଆରଏମସି ଷ୍ଟାଫ୍ ଜଗତରାମ ନାଏକ କାର୍ଯ୍ୟ କରୁଥିବା ବେଳେ ମଣ୍ଡିରେ ଚାଷୀଙ୍କ ସୁବିଧା ପାଇଁ ପାନୀୟ ଜଳ, ବିଜୁଳି ଆଲୁଅର ବ୍ୟବସ୍ଥା କରାଯାଇଛି ଠିକ କଥା ହେଲେ ଚାଷୀ ଆଣିଥିବା ଯେଉଁ ଦିନର ଧାନ ସେ ଦିନ ମଣ୍ଡିରୁ ଉଠା ଯାଇ ପାରୁନଥିବା ଅଭିଯୋଗ କରିଛନ୍ତି ଚାଷୀ । ନିଜ ଧାନ ଉଠି ନପାରୁଥିବାରୁ ଚାଷୀ ବାଧ୍ୟ ହୋଇ ନିଜ ଧାନ ଜଗିବା ପାଇଁ ମଣ୍ଡିରେ ଶୀତ କାକରରେ ରାତ୍ରୀ ଯାପନ କରୁଥିବା ଦେଖିବାକୁ ମିଳୁଛି । ଏ ଭଳି ଅବ୍ୟବସ୍ଥା କାହିଁକି ହେଉଛି ବୋଲି ନର୍ଲା ପ୍ୟାକ୍ସର ଭାରପ୍ରାପ୍ତ ସମ୍ପାଦକ ଲବକାନ୍ତ ସାଙ୍କ ମତାମତ ନେବାରୁ ସେ କହିଛନ୍ତି ଯେ, ଟୋକନ ପାଇଥିବା ଚାଷୀ ଟୋକନ ଅନୁଯାୟୀ ଧାର୍ଯ୍ୟ ତାରିଖର ୪/୫ ଦିନ ପୂର୍ବରୁ ମଣ୍ଡିରେ ଧାନ ଆଣି ଥୋଉଛନ୍ତି । ଯେଉଁ ଚାଷୀ ମାନଙ୍କର ଉକ୍ତ ଦିନ ସମୟ ଧାର୍ଯ୍ୟ ରହିଛି ସେ ଚାଷୀ ମାନଙ୍କର ଧାନ ପ୍ରଥମେ ଉଠା ଯାଉଛି । ଆଉ ଯେଉଁ ଚାଷୀ ମାନଙ୍କର ଟୋକନ ତାରିଖ ୫ ଦିନ ପରେ ରହିଛି ହେଲେ ଉକ୍ତ ଚାଷୀ ମାନେ ୫ ଦିନ ପୂର୍ବରୁ ନିଜ ଧାନ ସମୟ ପୂର୍ବରୁ ଉଠାଇବା ଆଶା ନେଇ ମଣ୍ଡିରେ ଜମା କରି ରଖୁଥିବାରୁ ମଣ୍ଡିରେ ତ ଭିଡ ଜମୁଛି ଏହା ବାଦ୍ ଉକ୍ତ ଦିନ ଟୋକନ ପାଇଥିବା ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି । ଏଣୁ ଚାଷୀ ମାନେ ଟୋକନ ମିଳିଥିବା ତାରିଖ ଦିନ ମଣ୍ଡିକୁ ଧାନ ଆଣିଲେ ଏଭଳି ଅବ୍ୟବସ୍ଥା ହୁଅନ୍ତା ନାହିଁ । ଏଭଳି ପରିସ୍ଥିତିରେ ଆମେ କେବଳ ଚାଷୀଙ୍କୁ ବୁଝାଇ ପାରିବୁ । ହେଲେ ଅମାନିଆ ଚାଷୀଙ୍କ ପାଇଁ ଆଉ କିଛି ଔଷଧ ନାହିଁ । ବହୁ ଦିନ ପୂର୍ବରୁ ମଣ୍ଡିକୁ ଧାନ ଆଣି ନିଜେ ତ ହଇରାଣ ହେଉଛନ୍ତି । ମଣ୍ଡିରେ ଧାନ ବହୁ ପୁର୍ବରୁ ଆଣି ଭିଡ ଜମାଉଥିବା ଯୋଗୁଁ ଆମେ ମଧ୍ୟ ହଇରାଣ ହେଉଛୁ ବୋଲି ସମ୍ପାଦକ ଶ୍ରୀ ସା ମତବ୍ୟକ୍ତ କରିଛନ୍ତି । ଏଭଳି ସମସ୍ୟା କେବଳ ନର୍ଲା ମଣ୍ଡି କିମ୍ବା ଏହାର ଉପମଣ୍ଡି ବୋଲି ନୁହଁ ନର୍ଲା ବ୍ଲକ୍ ଅଧିନସ୍ଥ ଅଧିକାଂଶ ମଣ୍ଡି ଓ ଉପମଣ୍ଡି ଗୁଡିକରେ ଚଳିତ ବର୍ଷ ଏଭଳି ଅଭାନୀୟ ପରିସ୍ଥିତି ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.