ତ୍ରେତୟା ଯୁଗରେ ଗାଥା ବଖାଣୁଛି ଡୋକରୀ ଚଞ୍ଚରାର ମଣ୍ଡେଇ ଯାତ୍ରା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଅତିତରେ ଆଟବିକ ବିଦ୍ୟାଧର ରାଜ୍ୟ କାନ୍ତାର ମହାକାନ୍ତାର ଇନ୍ଦ୍ରବନ କମଳମଣ୍ଡଳ ଆଦି ବିଭିନ୍ନ ନାମରେ ନାମିତ କଳାହାଣ୍ଡିର ଏକ ସମୃଦ୍ଧ ଇତିହାସ ରହିଛି। କୋକସରା ବ୍ଲକ ସହାଜଖୋଲ ସଂରକ୍ଷିତ ଜଙ୍ଗଲ ପାଦଦେଶରେ ଥିବା ଡୋକରୀ ଚଞ୍ଚରା ଗୁଡହାଣ୍ଡିର ଶିଳାଲେଖ ୧୫ ହଜାର ବର୍ଷ ପୁରୁଣା। ଏହା ପ୍ରାକ ପ୍ରସ୍ତର ଯୁଗୀୟ ସଭ୍ୟତା ବୋଲି ଐତିହାସିକ ମାନେ ମତପ୍ରକାଶ କରିଛନ୍ତି। ଏହା ବ୍ୟତିରେକ ଲୋକକଥା ଅନୁଯାୟୀ ତ୍ରେତୟା ଯୁଗରେ ଭଗବାନ ଶ୍ରୀରାମ ବନବାସରେ ଆସି ଏହି ସ୍ଥାନରେ ପହଞ୍ଚିଥିଲେ। ଏଠାକାର ଆଦିବାସୀ ମାନଙ୍କ ସହିତ ତାଙ୍କର ସମ୍ପର୍କ ନିବିଡ଼ ହୋଇଥିଲା। ଏକ ବୀର ଜାତିର ସ୍ବାକ୍ଷର ବହନ କରୁଥିବା ଆଦିବାସୀ ମାନଙ୍କ ଠାରୁ ଶ୍ରୀରାମ ଧର୍ନୁବିଦ୍ୟା ଶିକ୍ଷା ପ୍ରାପ୍ତ ହୋଇଥିଲେ। ଏହାସହ ଆଦିବାସୀଙ୍କ ଖାଦ୍ୟପେୟ ଓ ସଂସ୍କୃତି ପ୍ରତି ପ୍ରଭାବିତ ହୋଇଥିଲେ ଶ୍ରୀରାମ। ତେବେ ଫେରିବା ସମୟରେ ଶ୍ରୀରାମ ମର୍ଯ୍ୟାଦା ପୁରୁଷୋତ୍ତମ ହୋଇ ଫେରିଥିବା ଅନେକ କୁହନ୍ତି। ତେଣୁ ଏହି ପରମ୍ପରାକୁ ବଜାୟ ରଖିବା ପାଇଁ ପ୍ରତିବର୍ଷ ଜାନୁଆରୀ ମାସର ପ୍ରଥମ ମଙ୍ଗଳବାର ଦିନ ଆଦିବାସୀ ମାନଙ୍କ ଆଦୀମ ପରମ୍ପରା ଅନୁସାରେ ପାଳିତ ହୋଇ ଆସୁଛି ଡୋକରୀ ଦେବୀଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା । ପରମ୍ପରା ଅନୁଯାୟୀ ମଣ୍ଡେଇ ହେବା ପୂର୍ବରୁ ସୋମବାର ଝାଡେଶ୍ବର ମହାଦେବ ଓ ଶ୍ରୀରାମ ମନ୍ଦିରରୁ ଆଜ୍ଞାମାଳ ଆସିଥାଏ। ଚଳିତ ବର୍ଷ ମଧ୍ୟ ଡୋକରୀ ଦେବୀଙ୍କ ପୀଠରେ ସକାଳୁ ପାରମ୍ପରିକ ରୀତିନୀତିରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ଦେବୀଙ୍କ ଏହି ମଣ୍ଡେଇ ଯାତ୍ରାରେ କୈାଣସି ଦେବା ଦେବୀଙ୍କୁ ନିମନ୍ତ୍ରଣ କରାଯାଇ ନଥାଏ । ହେଲେ ବିଭିନ୍ନ ଗ୍ରାମର ଦେବାଦେବୀ ମାନଙ୍କ ଲାଠି କାଳିଶୀ ସ୍ବଇଚ୍ଛାରେ ସାମିଲ ହୋଇଥାନ୍ତି । ଟେମେରାରୁ ଠାକୁରାଣୀ ଓ ମା’ ମାଉଳୀ, ମହିମା ଗ୍ରାମରୁ ବସ୍ତରେନ ଓ ବରଦାୟୀନି ସମେତ ବିଭିନ୍ନ ଗ୍ରାମର ଦେବାଦେବୀ ମାନେ ମା’ ଡୋକରୀ ଦେବୀଙ୍କ ଯାତ୍ରାରେ ଏଥର ସାମିଲ ହୋଇଥିଲେ । ସମସ୍ତ ଦେବାଦେବୀ ସାମିଲ ହେବାପରେ ଡୋକରୀ ଦେବୀଙ୍କ ପୀଠରୁ ଗୁଡହାଣ୍ଡି ଡୋକରୀ ଚଞ୍ଚରା ପର୍ଯ୍ୟଟନ ସ୍ଥଳୀ ପରିସରରେ ବିଭିନ୍ନ ଦେବାଦେବୀଙ୍କ ଲାଠି କାଳିଶୀ ସହ ପରିକ୍ରମା କରି ଝାଡେଶ୍ଵର ମହାଦେବ ଓ ଶ୍ରୀରାମ ମନ୍ଦିରକୁ ଦେବାଦେବୀ ମାନେ ଦର୍ଶନ କରି ପୁଣି ପୀଠକୁ ଫେରିଥିଲେ । ଏହି ସମୟରେ ଶହଶହ ଲୋକେ ମା’ଙ୍କୁ ଦର୍ଶନ କରିବା ସହିତ ଆର୍ଶିବାଦ ଭିକ୍ଷା କରି ମାନସିକ କରିଥିଲେ । ପରେ ଡୋକରୀ ଦେବୀଙ୍କ ନିକଟରେ ବଳି ପଡ଼ିଥିଲା । ଯାତ୍ରାରେ କୋକସରା ତହସିଲଦାର ଦେବବ୍ରତ କରାଟି ଯୋଗଦେଇ ଡୋକରୀ ଦେବୀଙ୍କ ଦର୍ଶନ କରିଥିଲେ । ଡୋକରୀ ଦେବୀଙ୍କ ମୂଖ୍ୟ ପୁଝାରୀ ରତନ ପୁଝାରୀ ଓ ସୂକଚନ ପୁଝାରୀ ସମସ୍ତ ପୁଜା କାର୍ଯ୍ୟ ସମ୍ପାଦନ କରିଥିବାବେଳେ ଡୋକରୀ ଚଞ୍ଚରା ଉନ୍ନୟନ ସମିତିର ସଭାପତି ଭଦ୍ରେଶ୍ବର ପାତ୍ର, ଉପ ସଭାପତି ଘନଶ୍ୟାମ ନାଏକ, ଅଇରୀ ନାଶନ ଚିନ୍ଦା, ସମ୍ପାଦକ ନିଲାମ୍ବର ନାଏକ, ସହ ସମ୍ପାଦକ ମଧୁବନ ପାତ୍ର, ସୁଧୀର ପାତ୍ର, ଜିତେନ୍ଦ୍ର ପ୍ରଧାନୀ, ହିମାଞ୍ଚଳ ପାତ୍ର, ଜତୀନ ମାଝୀ, ଚକାଡୋଳା ପାତ୍ର, ପବିତ୍ର ନାଏକ, ଗରୁଡ଼ଧ୍ବଜ ମାଝି, ଟେମେରା ସରପଞ୍ଚ କ୍ଷିତିରାମ ପାତ୍ର ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.