ବୁକଲେଟରେ ଲାଗିବ ଚିପ୍, ୪.୫ କୋଟି ବୁକ୍‌ଲେଟ୍ ପ୍ରିଣ୍ଟିଂ ପାଇଁ ଅର୍ଡର

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଏବେ ଆପଣଙ୍କ ପାସ୍‌ପୋର୍ଟ ବି ଇଲେକ୍ଟ୍ରୋନିକ୍ ହେବ। ବୁକ୍‌ଲେଟରେ ଚିପ୍ ଲାଗିବ। ଯେଉଁଥିରେ ଆପଣଙ୍କର ପୂରା ଯାତ୍ରା ଇଲେକ୍ଟ୍ରୋନିକ୍ ରୂପରେ ରେକର୍ଡ ହୋଇ ରହିବ। ଆଉ କମ୍ପ୍ୟୁଟର ସେନ୍‌ସରରେ ଦେଖାଇବା ପରେ ପୂରା ଯାତ୍ରାର ବିବରଣୀ ସ୍କ୍ରିନ୍‌ରେ ଦେଖାଯିବ। ଏହି ପାସ୍‌ପୋର୍ଟକୁ ଇ-ପାସ୍‌ପୋର୍ଟ କୁହାଯିବ। ଏହି ଇ-ପାସ୍‌ପୋର୍ଟ କାମ ପାଇଲଟ ପ୍ରୋଜେକ୍ଟରେ ଆରମ୍ଭ ହେବ। ଏଥିରେ ପ୍ରଥମ ପର୍ଯ୍ୟାୟରେ ୧୦ ଲକ୍ଷ ଇ-ପାସ୍ପୋର୍ଟ ଜାରି କରିବାର ଲକ୍ଷ୍ୟ ରଖାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଅଧିକ ଭିଡ଼ ଥିବା କେନ୍ଦ୍ରର ନ ହୋଇ ଯେଉଁଠି କମ୍ ପାସପୋର୍ଟ ଜାରି ହେଉଛି ସେହିସବୁ କେନ୍ଦ୍ରରେ ଇ-ପାସ୍‌ପୋର୍ଟ କାମ ହେବ ବୋଲି ସୂଚନା ମିଳିଛି। ଏହା ସଫଳ ହେଲେ ଆସନ୍ତା ଦିନମାନଙ୍କରେ କେବଳ ଇ-ପାସ୍‌ପୋର୍ଟ ହିଁ ଚାଲୁ ହେବ। ସମସ୍ତ ପାସ୍‌ପୋର୍ଟକୁ ଇ-ପାସ୍‌ପୋର୍ଟରେ ପରିଣତ କରାଯିବ। ଏଥିରେ ଯାତ୍ରୀଙ୍କ ଯାତ୍ରା ସୁଗମ ହେବା ସହ ଯାତ୍ରୀଙ୍କ ବିଷୟରେ ସହଜରେ ଖବର ରଖି ହେବ। ବିଦେଶରେ ଥିବା ଇମ୍ମିଗ୍ରେସନ୍ ଚେକ୍‌ପଏଣ୍ଟ ଗୁଡିକରେ ସହଜ ପ୍ରମାଣ ଦେଖାଇ ଯାଇ ହେବ।

ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁସାରେ, ଇ-ପାସ୍ପୋର୍ଟ ସଫଳ ହେଲେ ପୁରୁଣା ବୁକ୍‌ଲେଟ୍ ପାସ୍‌ପୋର୍ଟକୁ ଚିପ୍‌ରେ ପରିଣତ କରାଯିବ। ଏଥିପାଇଁ ଆବେଦନର ଶୈଳୀ କ’ଣ ରହିବ ସେ ନେଇ ବର୍ତ୍ତମାନ ବିଚାର ବିମର୍ଶ ଚାଲିଛି। ତେବେ ନୂଆ ବୁକ୍‌ଲେଟ୍ ପ୍ରସ୍ତୁତି କାମ ଆରମ୍ଭ ହୋଇଗଲାଣି।ସୂଚନା ଥାଉକି ଦେଶରେ ବର୍ତ୍ତମାନ ୧୦ କୋଟି ଲୋକଙ୍କ ପାଖରେ ପାସ୍‌ପୋର୍ଟ ରହିଛି। ଚିପ୍ ଥିବା ବୁକ୍‌ଲେଟ୍‌ର ପ୍ରିଣ୍ଟିଙ୍ଗ୍  କାର୍ଯ୍ୟ ମହାରାଷ୍ଟ୍ରର ନାସିକରେ ଥିବା ଇଣ୍ଡିଆ ସିକ୍ୟୁରିଟି ପ୍ରେସ୍‌ରେ ହେଉଛି। ୪-୫ ବର୍ଷ ସମୟକୁ ଲକ୍ଷ୍ୟ ରଖି ମୋଟ ୪.୫ କୋଟି ବୁକ୍‌ଲେଟ ଛାପିବାକୁ ଅର୍ଡର ଦିଆଯାଇଥିବା ସୂଚନା ମିଳିଛି। ପ୍ରଥମ ବର୍ଷ ପାଇଁ ବୈଦେଶିକ ମନ୍ତ୍ରାଳୟ ୭୦ ଲକ୍ଷ ବୁକ୍‌ଲେଟ୍ ପ୍ରିଣ୍ଟିଂ କରିବାକୁ ପାଇଁ ଟାର୍ଗେଟ୍ ରଖିଛି। ଇ-ପାସ୍‌ପୋର୍ଟ ହେଲେ ଅପରାଧିମାନେ ଆଉ ନକଲି ପାସ୍‌ପୋର୍ଟ ନେଇ ଠକି ପାରିବେନି କି ଭାରତ  ବାହାରକୁ ଖସି ଯାଇପାରିବେନି।  ଏଥିପାଇଁ ଆବଶ୍ୟକ ଥିବା ସମସ୍ତ ଟେକ୍‌ନିକ୍ ଢାଞ୍ଚା ଜୁନ୍ ସୁଧା ହୋଇଯିବ ବୋଲି ସୂଚନା ମିଳିଛି। ସୂଚନା ଥାଉକି, ନିକଟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ସଞ୍ଜୟ ଭଟ୍ଟାଚାର୍ଯ୍ୟ ଦେଶରେ ଇ-ପାସ୍‌ପୋର୍ଟ ଲାଗୁ ହେବା ନେଇ ଘୋଷଣା କରିଥିଲେ। ଏନେଇ ସେ ଟ୍ୱିଟ୍ କରି ସୂଚନା ଦେବା ସହ ଇ-ପାସ୍‌ପୋର୍ଟ ଯାତ୍ରୀଙ୍କ ସମସ୍ତ ତଥ୍ୟ ସୁରକ୍ଷିତ କରି ରଖିବ ବୋଲି କହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.