ସୁବର୍ଣ୍ଣପୁରର ନିଆରା ପରମ୍ପରା “ଲଙ୍କାପୋଡ଼ି” ଉତ୍ସବ ଆଜି

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁରର ଐତିହ୍ୟ ଖୁବ ନିଆରା ହୋଇଥିବା ବେଳେ ଏଠାରେ ବାର ମାସରେ ତେର ପର୍ବ ପାଳିତ ହୋଇଥାଏ। ସେଥି ମଧ୍ୟରୁ ସପ୍ତପୁରୀ ଅମାବାସ୍ୟା ଏକ ସ୍ଵତନ୍ତ୍ର ଖୁବ ନିଆରା ପର୍ବ ହୋଇଥିବା ବେଳେ ଏହି ଦିନ ସନ୍ଧ୍ୟା ବେଳେ ସୋନପୁରରେ ଲଙ୍କାପୋଡ଼ି ଉତ୍ସବ ପାଳନ କରାଯାଏ l ବହୁ ଆବହମାନ କାଳରୁ କୁମ୍ଭାର ସମ୍ପ୍ରଦାୟର ଲୋକ ମାନେ ମାଟିରେ ବିଭିନ୍ନ ପ୍ରକାର ହନୁମାନ ସହ ମାଟି ନିର୍ମିତ କୁଁଢି କାଞ୍ଚି ସହ ରୋଷେଇ ସାମଗ୍ରୀର ଅବିକଳ ନକଲ ଦେଖା ଯାଉଥିବା ବିଭିନ୍ନ ସାମଗ୍ରୀ ତିଆରି କରି ଆସୁଥିବା ବେଳେ ଦିନ ବେଳା ଛୋଟ ଛୋଟ ଝିଅମାନେ ବିଭିନ୍ନ ସାମଗ୍ରୀ ଆଣି ସାଙ୍ଗ ମାନଙ୍କ ସହ ଖେଳିଥାନ୍ତି ଓ ଛୋଟ ଛୋଟ ପୁଅ ମାନେ କାଠ ରେ ନିର୍ମିତ ଘୋଡା ଟାଣିଥାନ୍ତି। ବିଭିନ୍ନ ପ୍ରକାର ଚଣା, ଲିଆ ଲଡୁ, ହୁଡୁମ୍ବ ରେ ପ୍ରସ୍ତୁତି ଜିନିଷ ସହ ଘୋଡା ଓ ହନୁମାନ ଙ୍କୁ ପୂଜାର୍ଚ୍ଚନା ପରେ ଛୋଟ ଛୋଟ ଛୁଆ ମାନଙ୍କୁ ବନ୍ଦାଣ କଲା ପରେ ଝିଅ ମାନେ କୁଣ୍ଡି କାଞ୍ଚି ଓ ପୁଅ ମାନେ ଘୋଡା ଟାଣିଥାନ୍ତି। ତା ପରେ ସନ୍ଧ୍ୟା ବେଳେ ଲଙ୍କା ପୋଡି ଉତ୍ସବ ଆନନ୍ଦ ଉତ୍ସାହ ସହ ପାଳନ କରାଯାଇ ଥାଏ। ମାଟି ନିର୍ମିତ ହନୁମାନଙ୍କୁ ବିଭିନ୍ନ ପ୍ରକାରରେ ସଜାଇ ସମସ୍ତ ଘରର ଛୋଟ ଛୁଆମାନେ ଲାଙ୍ଗୁଡ଼ରେ ଅଗ୍ନି ସଂଯୋଗ କରି ରାମ ଲକ୍ଷ୍ମଣ ଜାନ କି ଜୟ ବୀର ହନୁମାନ କି ନାରାରେ ପ୍ରକମ୍ପିତ କରି ବସ୍ତି ପରିକ୍ରମା କରି ପୁରୁଣା ଟାଉନ ହଲରେ ଆୟୋଜିତ ହନୁମାନ ପ୍ରତିଯୋଗୀତାରେ ଶ୍ରେଷ୍ଠ ତଥା ସୁନ୍ଦର୍ ହନୁମାନ ପ୍ରତିମୂର୍ତ୍ତି ପ୍ରତିଯୋଗୀକୁ ପୁରସ୍କୃତ କରାଯାଇଥାଏ। ଏହି ଦିନ ବିଭିନ୍ନ ଆଖଡ଼ା ଶାଳରୁ ମଧ୍ୟ କୁସ୍ତି ଯୋଦ୍ଧା ମାନେ ଗଦା ମୁଦଗର ବିଭିନ୍ନ ସାମଗ୍ରୀ ଧରି ବସ୍ତି ପରିକ୍ରମା ସହ ବିଭିନ୍ନ ଦୁଃସାହସିକ ଖେଳ ପ୍ରଦର୍ଶନ କରିଥାନ୍ତି। ଏହି ଲଙ୍କପୋଡ଼ି ଉତ୍ସବ ପାଇଁ ଏକ ସ୍ବତନ୍ତ୍ର ବଜାର ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ଠାରେ ବସିଥିବା ବେଳେ ବିଭିନ୍ନ ମାଟି ତିଆରି ହନୁମାନ ସହ ବିଭିନ୍ନ ମାଟି ନିର୍ମିତ ସାମଗ୍ରୀ ଓ ବିଭିନ୍ନ ପ୍ରକାର ଚଣା, ଲିଆ, ହୁଡୁମ୍ୱ ସହ ପୁଜା ସାମଗ୍ରୀ ନେବା ପାଇଁ ବେଶ ଭିଡ ପରିଲକ୍ଷିତ ହୋଇଥିବା ଦେଖା ଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.