ବାଲିଗୁଡ଼ାରୁ ଉତ୍ତର-ପଶ୍ଚିମ ଓଡ଼ିଶାର ପ୍ରମୁଖ ସହରକୁ ସରକାରୀ ବସ ଚଳାଚଳ ପାଇଁ ଦାବୀ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ହେଉଛି ଓଡିଶା ର ବୃହତ୍ତମ ଉପଖଣ୍ଡ ଓ ବିଜ୍ଞାପିତ ଅଞ୍ଚଳର ମାନ୍ୟତା ପାଇସାରିଛି, କିନ୍ତୁ ଏଠାରେ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ସାଙ୍ଗକୁ ସ୍ଥାନୀୟ ଜନସାଧାରଣଙ୍କ ସରଳତାର ସୁଯୋଗ ନେଇ ସବୁ କିଛି ଅଭାବ ଅସୁବିଧା ଓ ସମସ୍ୟା ମଧ୍ୟରେ ଗତି କରି ଚାଲିଛି l ସେଥି ମଧ୍ୟରେ ଖୋଦ ବାଲିଗୁଡା ଠାରୁ ଉତ୍ତର-ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡା ଏବଂ ସମ୍ବଲପୁର ଭଳି ବିଭିନ୍ନ ସହରକୁ ଯିବା ଆସିବା କରିବା ପାଇଁ ସିଧା ସଳଖ ଗମନାଗମନର କୌଣସି ସୁବିଧା ନାହିଁ l ଛାତ୍ରଛାତ୍ରୀ ମାନେ ରାଉରକେଲା ନିଟ , ସମ୍ବଲପୁର ବିଶ୍ୱ ବିଦ୍ୟାଳୟ, ବୁର୍ଲା ମେଡିକାଲ କଲେଜ ଏବଂ ଏଠାରେ ବସବାସ କରୁଥିବା ଉକ୍ତ ଅଞ୍ଚଳର ଜନସାଧାରଣ ତଥା ବାସିନ୍ଦା ମାନେ ବାଲିଗୁଡା ଅଞ୍ଚଳରୁ ଯିବା ଆସିବା କରି ପାଠ ପଢିବା ସହ ଯାତାୟାତରେ ଘୋର ବ୍ୟାହତ ସୃଷ୍ଟି ହେଉଛି l ବିଶେଷ କରି ଏଠାରୁ ଗରିବ ହରିଜନ ଆଦିବାସୀ ଭାଇଭଉଣୀ ମାନେ ଜରୁରୀ କାଳୀନ ସମୟରେ ବୁର୍ଲା ମେଡିକାଲକୁ କୌଣସି ରୋଗୀକୁ ନେଇ ଚିକିତ୍ସା କରିବା ମଧ୍ୟ ସମ୍ଭବ ପର ହେଉନି l ଏହି ସବୁ ଅସୁବିଧା ନେଇ ସର୍ବସାଧାରଣଙ୍କ ମନରେ ଅଶାନ୍ତିର ବାତାବରଣ ସୃଷ୍ଟି ହେବାରେ ଲାଗିଲାଣି l ବର୍ତ୍ତମାନ ସରକାର ଲୋକଙ୍କ ଗମନାଗମନର ସୁବିଧା ପାଇଁ ରେଳଗାଡ଼ି ଠାରୁ ଆରମ୍ଭ କରି ଉଡ଼ାଜାହାଜ ପର୍ଯ୍ୟନ୍ତ ସବୁ ପ୍ରକାର ସୁବିଧା କରିବା ସହ ବର୍ତ୍ତମାନ ମଧ୍ୟ ଲଷ୍ମୀ ବସର ଶୁଭାରମ୍ଭ କରିଛନ୍ତି l ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡାର ବଣ ଜଙ୍ଗଲ ପାହାଡ଼ ତଳେ ବସବାସ କରୁଥିବା ଆଦିବାସୀ ହରିଜନ ତଥା ସାଧାରଣ ଜନତା ଙ୍କ ପ୍ରତି ଏ ସବୁ କ୍ଷେତ୍ରରେ ଅବହେଳା କାହିଁକି କରୁଛନ୍ତି l ଆଦିବାସୀ ମାନଙ୍କ ଉନ୍ନତି ଚାଲିଛି ବୋଲି ମିଛ ପ୍ରତିଶୃତି ଦେଇ କାହିଁକି ବାଜା ପିଟୁଛନ୍ତି ବୋଲି ଅଞ୍ଚଳର ଜୈନକ ଯାତ୍ରୀ ସନ୍ୟାସୀ ନାୟକ ଅତି ଦୁଃଖର ସହ ପ୍ରକାଶ କରିଛନ୍ତି l ସେ ଯାହା ବି ହେଉ ଏହି ବାଲିଗୁଡ଼ାରେ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ସମେତ ସବୁ ବର୍ଗର ଜନସାଧାରଣ ବସବାସ କରନ୍ତି l ଏ ସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପରିବହନ ବିଭାଗ ସ୍ଥାନୀୟ ଜନ ପ୍ରତିନିଧି ଏଥି ପ୍ରତି ଦୃଷ୍ଟି ଦେଇ ଖୋଦ ବାଲିଗୁଡା ଠାରୁ ଉତ୍ତର-ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର ଗୁଡିକୁ ଦିନରେ ଓ ରାତିରେ ଦୁଇଟି ବସ ନିୟମିତ ଚଳାଚଳ ବ୍ୟବସ୍ଥା କରାଇଦେଲେ ସ୍ଥାନୀୟ ଜନସାଧାରଣଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ବାଣିଜ୍ୟର ସମସ୍ତ ପ୍ରକାର ଉନ୍ନତି ହେବା ସଙ୍ଗେ ସଙ୍ଗେ ଅଞ୍ଚଳ ବାସୀ ଉପକୃତ ହୋଇ ପାରନ୍ତେ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.