ସାମିଲ ହେଲେ ଜିଲ୍ଲାପାଳ, ସମସ୍ତ ବ୍ୟାଙ୍କ୍ କର୍ମଚାରୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ
ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ରୟାଲ ପଡିଆ ଠାରୁ ଆର୍ଥିକ ସାକ୍ଷରତା ଓ ସଚେତନତା ଉପରେ ଏକ ଗଣ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରାକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ପତାକା ଦେଖେଇ ଉଦ୍ଘାଟନ କରି ହଜାର ଯୁବକ ଯୁବତୀ ସମସ୍ତ ଜନସାଧାରଣଙ୍କୁ ସଚେତନ କରିଥଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ମଧୁକର ଆନନ୍ଦ ଡିଜିଏମ ରିଜର୍ଭ ବ୍ୟାଙ୍କ ଓଡିଶା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପାଢ଼ୀ, ଏଡିଏମଓ ଡ଼ା. ଦୁର୍ଗାଦତ୍ତ ଦାଶ ଓ ଲିଡ ବ୍ୟାଙ୍କ ମ୍ୟାନେଜର କାମରାଜ ଦୋରାଙ୍କ ଉପସ୍ଥିତରେ ଏ ଗଣ ପଦଯାତ୍ରା ଆରମ୍ଭ ହୋଇଥିଲା। ଏହି ଗଣ ପଦଯାତ୍ରାରେ ମିଡ଼ିଆ, ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା, ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ, କୃଷକ, ବିଭିନ୍ନ ବ୍ୟବସାୟୀ ଓ ସାମାଜିକ ସଂଗଠନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଗଣ ପଦଯାତ୍ରା ସହର ସାରା ପରିକ୍ରମା କରି ନୂଆ ଟାଉନ ହଲରେ ଏକ ସଚେତନତା ସଭାର ଅୟୋଜନ କରାଯାଇଥିଲା। ସଭାରେ ରିଜର୍ଭ ବ୍ୟାଙ୍କ ତରଫରୁ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଠକେଇରୁ କିପରି ସୁରକ୍ଷିତ ରହିବା ସେ ବିଷୟରେ ପରାମର୍ଶ ଦେଇଥିଲେ। ଅଭିଷେକ ପରମାଣିକ ଓ ମହମ୍ମଦ ଅବଜାଲ ସରିଫ ଆରବିଆଇର ବ୍ୟବସ୍ଥାକୁ ଉପସ୍ଥାପନ କରାଇଥିଲେ ଓ ଲୋକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ସମସ୍ତ ବ୍ୟାଙ୍କ ତରଫରୁ ଷ୍ଟଲରେ ବିଭିନ୍ନ ଡେମୋ ମାଧ୍ୟମରେ ଲୋକଙ୍କୁ ଆର୍ଥିକ ସାକ୍ଷରତା ଓ ବିଭିନ୍ନ ବ୍ୟାଙ୍କ ର ଯୋଜନା ବିଷୟରେ ପରାମର୍ଶ ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଏଲଡିଏମ କାମରାଜ ଦୋରା ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।