ଡିପ୍‌ଫେକ୍ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ସତର୍କ କଲେ ସରକାର

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଡିପ୍‌ଫେକ୍ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ସତର୍କ କଲେ ସରକାର । ଏହାକୁ ନ ମାନିଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ମଙ୍ଗଳବାର ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ଏପରି ଏକ ଉପଦେଶାବଳି ଜାରି କରିଛି । ଏଥିସହିତ ଡିପ୍‌ଫେକ ସମସ୍ୟାର ମୁକାବିଲା ପାଇଁ ଉଦ୍ଦିଷ୍ଟ ଆଇଟି ନିୟମ ମାନିବାକୁ ନିର୍ଦ୍ଦେଶ ଦେଇଛି । ଉପଦେଶାବଳି ଅନୁଯାୟୀ, ସୋସିଆଲ୍ ମିଡିଆ ପ୍ଲାଟଫର୍ମଗୁଡିକ ସେମାନଙ୍କ ଉପଭୋକ୍ତାଙ୍କୁ ନିଷିଦ୍ଧ ବିଷୟବସ୍ତୁ ବିଷୟରେ ଜଣାଇବା ବାଧ୍ୟତାମୂଳକ, ଯାହା ଆଇଟି ନିୟମରେ ନିର୍ଦ୍ଦିଷ୍ଟ କରାଯାଇଛି । ଆଇଟି ନିୟମର ଧାରା ୩(୧) (ଖ) ଅନୁଯାୟୀ ଏପରି ବିଷୟବସ୍ତୁ ସେୟାର କରିବା ଉପରେ ବାରଣ ରହିଛି, ଯାହା ବ୍ୟକ୍ତିର ଶାରୀରିକ ଗୋପନୀୟତାକୁ ଉଲ୍ଲଂଘନ କରିବା ସହ ଅଶ୍ଳୀଳ କିମ୍ବା ଯୌନୋଦ୍ଦୀପକ ହୋଇଥିବ । ଏଥିସହ ସୋସିଆଲ୍ ମିଡିଆ ଉପଭୋକ୍ତାଙ୍କୁ କୌଣସି ବିଷୟବସ୍ତୁର ଉତ୍ପତ୍ତି ବିଷୟରେ ବିଭ୍ରାନ୍ତ କରୁଥିବା କିଂବା ଉଦ୍ଦେଶ୍ୟମୂଳକ ଭାବରେ ଅନ୍ୟ କାହାର ଛଦ୍ମଚେହେରା ବ୍ୟବହାର ହୋଇଥିବା କଣ୍ଟେଣ୍ଟମଧ୍ୟ ଆଇନ ସମ୍ମତ ନୁହେଁ । ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ଏହାର ସେବା ସର୍ତ୍ତାବଳୀ ଏବଂ ଉପଭୋକ୍ତା ଚୁକ୍ତିନାମା ମାଧ୍ୟମରେ ୩(୧) (ଖ) ଅନୁଯାୟୀ ତାଲିକାଭୁକ୍ତ ନିଷେଧ ବିଷୟବସ୍ତୁ ବିଷୟରେ ଉପଭୋକ୍ତାମାନଙ୍କୁ ଅବଗତ କରାଇବା ଆବଶ୍ୟକ ବୋଲି କୁହାଯାଇଛି । ଅଧିକନ୍ତୁ, ପ୍ଲାଟଫର୍ମ ବ୍ୟବହାର ଲାଗି ଆବଶ୍ୟକ ପଞ୍ଜୀକରଣ ସମୟରେ ଉପଭୋକ୍ତାଙ୍କୁ ଏହିପରି ନିଷେଧ ବିଷୟବସ୍ତୁ ବିଷୟରେ ଅବଗତ କରାଯିବା ଉଚିତ୍ ।ଏହି ଆଇନର ଉଲ୍ଲଂଘନ ହେଲେ କେନ୍ଦ୍ର ସରକାର କଡା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସତର୍କ କରାଇଛନ୍ତି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.