ଗ୍ଲୋବାଲ ମଡେଲ ଇଣ୍ଡିଆ-୨୦୨୪ ମିସ୍ ପ୍ରିଟିନର ବିଜେତା ହେଲେ ସୁଚିସ୍ମିତା ବେହେରା

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଗ୍ଲୋବାଲ ମଡେଲ ଇଣ୍ଡିଆ-୨୦୨୪ ମିସ୍ ପ୍ରିଟିନର ବିଜେତା ହେଲେ ସୋନପୁର ସହରର ସୁଚିଶ୍ମିତା ବେହେରା। ଛୁଆ ଦିନରୁ ସଙ୍ଗୀତ, ନୃତ୍ୟ ଓ ମଡେଲିଂ ପ୍ରତି ରୁଚି ରଖୁଥିବା ସୁଚିସ୍ମିତା ଏବେ ମିସ୍ ପ୍ରିଟିନର ବିଜେତା ହୋଇ ପାରିଛନ୍ତି। ଗତ ଅକ୍ଟୋବର ମାସରେ ଭୁବନେଶ୍ୱର ସ୍ଥିତ ଖାରବେଳ ନଗର ଏସଏସ ଷ୍ଟୁଡିଓରେ ଏ ନେଇ ଅନୁଷ୍ଠିତ ଆଡିସନରେ ୫୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ସେ ବିଜେତା ହୋଇ ଫାଇନାଲ ରାଉଣ୍ଡକୁ ଯାଇଥିବା ବେଳେ ନିକଟରେ ମହାରାଷ୍ଟ୍ରର ସାଙ୍ଗଲି ସହରରେ ଫିନାଲେ ଅନୁଷ୍ଠିତ ହୋଇଥିଲା। ସାରା ଭାରତରୁ ମୋଟ ୪୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ଏଥିରେ ସୁଚିସ୍ମିତା ବେହେରା ମିସ୍ ପ୍ରିଟିନର ବିଜେତା ହେଇଛନ୍ତି। ଏକ ବର୍ଣ୍ଣାଢ଼୍ୟ ସମାରୋହ ଓ ପ୍ରାୟ ୨ ହଜାର ଲୋକଙ୍କ ସମାବେଶରେ ସମ୍ମାନିତ ଅତିଥି ମିଷ୍ଟର ଏଣ୍ଡ ମିସ ଗର୍ଜିଅସ ଇଣ୍ଟରନେସେନାଲର ସଭାପତି ଡେଭିଡ ଷ୍ଟ୍ରଙ୍ଗସନ୍ (ନାଇଜେରିଆ), ମିଷ୍ଟର୍ ପିଟାଇଟ ଗ୍ଲୋବାଲ ୧ମ ରନର୍ସଅପ୍ ସୁହାସ ଧୱଲେ, ୱାର୍ଲ୍ଡ ଫିଟନେସ ସୁପର ମଡେଲ ୨୦୨୩ ଋଷିକେଶ ପାଟିଲ, ମିଷ୍ଟର ଗର୍ଜିଅସ ଇଣ୍ଟରନେସନାଲ ୨୦୨୩ ସିଦ୍ଧାନ୍ତ କୁମାର ବାରିକ, ମିଷ୍ଟର ଏସିଆ ୨୦୨୦ ସୁରଜ କୁମାରଙ୍କ ଉପସ୍ଥିତିରେ ଯୋଗ ଦେଇଥିବା ମିସ୍ ମଡେଲ ଇଣ୍ଡିଆ ୨୦୨୨ ସାଗରିକା ପାଣିଗ୍ରାହୀ ସୁଚିସ୍ମିତାଙ୍କୁ ରୌପ୍ୟର ମୁକୁଟ ପିନ୍ଧାଇବା ସହ କ୍ରସ ଫିତା, କପ୍ ଓ ସମର୍ଦ୍ଧନା ତଥା ପ୍ରଶଂସା ପତ୍ର ପ୍ରଦାନ କରିଥିଲେ। ବାପା ମନୋରଞ୍ଜନ ବେହେରା ଓ ମା’ ପୁଜା ବେହେରାଙ୍କ ପ୍ରେରଣା, ସହଯୋଗ ତଥା ଆଶୀର୍ବାଦ ଏବଂ ତାଙ୍କ ଗୁରୁ ତଥା ଲେଭେଲ ଅପ୍ ଡ୍ୟାନ୍ସ ଷ୍ଟୁଡିଓ ର ଗୋବିନ୍ଦ ଦାସ ଙ୍କ ତାଲିମ ଏହି ବିଜୟର ଶ୍ରେୟ ତଥା ଅବଦାନ ବୋଲି ସୁଚିସ୍ମିତା କହିଛନ୍ତି। ଆସନ୍ତା ୨୦୨୪ ମାର୍ଚ୍ଚ ୨୮ ତାରିଖରେ ନେପାଳରେ ହେବାକୁ ଥିବା ଗ୍ଲୋବାଲ ମିସ ପ୍ରିଟିନ ଇଣ୍ଟରନେସନାଲ-୨୦୨୪ ରେ ଭାରତ ତରଫରୁ ସେ ଏକ ମାତ୍ର ପ୍ରତିନିଧିତ୍ଵ କରିବାକୁ ମନୋନୀତ ହୋଇଛନ୍ତି। ସୁଚିସ୍ମିତା ଘରକୁ ଫେରିବା ପରେ ତାଙ୍କ ସାଙ୍ଗ, ବନ୍ଧୁ ବାନ୍ଧବ, ସେ ପାଠ ପଢୁଥିବା ସେଣ୍ଟ ଏନିସ୍ ସ୍କୁଲର ଛାତ୍ର ଛାତ୍ରୀ ଓ ଓଡ଼ିଶା ସାମ୍ୱାଦିକ ସଂଘର ସୋନପୁର ଶାଖାର ସଭାପତି ମନୋରଂଜନ ତ୍ରିପାଠୀ, ସଂପାଦକ ମହାଦେବ ମଲ୍ଲିକ, ଦିଲିପ ପାତ୍ର, ରାଜ କିଶୋର ତ୍ରିପାଠୀ, ଭାସ୍କର ଦାଶ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.