ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (କୃଷ୍ଣ କୁମାର ମହାନ୍ତି): ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ସୂର୍ଯ୍ୟବଂଶୀ ଗଜପତି ରାଜବଂଶର ପ୍ରତିଷ୍ଠାତା ଗଜପତି କପିଳେନ୍ଦ୍ର ଦେବଙ୍କ ୫୯୧ତମ ରାଜ୍ୟାଭିଷେକ ଉତ୍ସବ ‘ଗଜପତି ଦିବସ’ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ବିୟଣ୍ଡ ହେରିଟେଜ୍ ଟ୍ରଷ୍ଟ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ସହଯୋଗରେ ଏମ୍.କେ.ସି.ଜି. ପ୍ରେକ୍ଷାଳୟ ଠାରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଗଜପତିଙ୍କ ବୀରତ୍ୱକୁ ନେଇ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ‘ଲକ୍ଷେ ରଜାର ମଉଡ଼ମଣି: ଗଜପତିଙ୍କ ଗୌରବମୟ ଗାଥା’ ଉନ୍ମୋଚିତ ହେବା ସହ “ସମର, ସମ୍ରାଟ, ଓ ସନାତନ” ଶୀର୍ଷକ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥିଲା । ‘ଆଞ୍ଚଳିକ ନାୟକରୁ ଜାତୀୟ ପ୍ରତୀକ’ ବିଷୟରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଆଲୋଚନାଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଭାଷା, ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଲେ, “କେବଳ ଓଡ଼ିଆ ବୋଲି ଗର୍ବ କରିବା ଯଥେଷ୍ଟ ନୁହେଁ। ଏହି ଗୌରବଶାଳୀ ଜାତିକୁ ଆଜି ଆତ୍ମ-ଅନୁଶୀଳନ କରିବାର ସମୟ ଆସିଛି । ପ୍ରଥମ ଓଡ଼ିଆ ସମ୍ରାଟ ଗଜପତି କପିଳେନ୍ଦ୍ର ଦେବ ଜଗନ୍ନାଥ ସଂସ୍କୃତି ଓ ଜାତୀୟତାର ସୂତ୍ରରେ ନିଜର ବିଶାଳ ସାମ୍ରାଜ୍ୟକୁ ବାନ୍ଧିଥିଲେ। ସେ ବିଶ୍ୱକୁ ବାର୍ତ୍ତା ଦେଇଥିଲେ ଯେ ଉତ୍କଳର ପ୍ରକୃତ ସମ୍ରାଟ ସ୍ୱୟଂ ଶ୍ରୀଜଗନ୍ନାଥ ଏବଂ ଗଜପତି ମାତ୍ର ତାଙ୍କର ପ୍ରଥମ ସେବକ । ତାଙ୍କର ଏହି ସନାତନ ନୀତି ହିଁ ଆମ ଜାତୀୟ ଚେତନାର ମୂଳଦୁଆ ।”
ସମ୍ମାନିତ ଅତିଥି କଟକ ସାଂସଦ ଭର୍ତ୍ତୃହରି ମହତାବ କହିଲେ, “ଦିଗ୍ବିଜୟୀ ରାଜା କପିଳେନ୍ଦ୍ର ଦେବଙ୍କୁ ନେଇ ଅନେକ ଲୋକକଥା ଅଛି । କିନ୍ତୁ ଆଜିର ପିଢ଼ି ତାଙ୍କର ପ୍ରକୃତ ଇତିହାସ ଜାଣିବା ଜରୁରୀ । ଏଥିପାଇଁ ଅଧିକ ଗବେଷଣା ହେବା ଦରକାର ।” ଐତିହାସିକ ପ୍ରଫେସର କୁଲଦୀପ୍ ଚନ୍ଦ୍ ଅଗ୍ନିହୋତ୍ରୀ ବିଦେଶୀ ଚଷମା ଖୋଲି ଭାରତୀୟ ଦୃଷ୍ଟିକୋଣରୁ ପୂର୍ବପୁରୁଷଙ୍କ ବୀରତ୍ୱକୁ ଜାଣିବା ଏବଂ ଗଜପତି ରାଜାମାନଙ୍କ ତଥ୍ୟକୁ ପାଠ୍ୟପୁସ୍ତକରେ ସ୍ଥାନ ଦେବା ଉପରେ ଗୁରୁତ୍ୱ ଦେଇଥିଲେ ।

ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ କହିଥିଲେ, “ପ୍ରକୃତ ‘ଓଡ଼ିଆ ଅସ୍ମିତା’ର ସନ୍ଧାନ ପାଇଁ ଆମକୁ ଅତୀତକୁ ଚାହିଁବାକୁ ହେବ। କପିଳେନ୍ଦ୍ର ଦେବଙ୍କ ଶାସନ କାଳରେ ହିଁ ଓଡ଼ିଶାର ଭିତ୍ତିଭୂମି ସୁଦୃଢ଼ ହୋଇଥିଲା । ଏହି ଉତ୍ସବ ଜେନ-ଜି ଯୁବପିଢ଼ିଙ୍କୁ ତାଙ୍କ ଅବଦାନ ବୁଝିବାରେ ସାହାଯ୍ୟ କରିବ ।”
ସମାରୋହରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର (ମୁଖ୍ୟବକ୍ତା), ପଦ୍ମଶ୍ରୀ ଅଦ୍ୱୈତ ଚରଣ ଗଡ଼ନାୟକ (ବିଶିଷ୍ଟ ଅତିଥି), ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ଏବଂ ବିୟଣ୍ଡ ହେରିଟେଜ୍ ଟ୍ରଷ୍ଟର ଅଧ୍ୟକ୍ଷ ଆର୍କିଟେକ୍ଟ ସୁଭଜ ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ।
ଆଲୋଚନାଚକ୍ରରେ ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ପ୍ରଫେସର କିଶୋର କୁମାର ବାସା, ସତ୍ୟଜିତ ଓଝା, ନିର୍ଦେଶକ ଅନୁପମ ପଟ୍ଟନାୟକ ଓ ଗବେଷକ ଦୀପକ କୁମାର ନାୟକ ଯୋଗଦେଇ ସାରଗର୍ଭକ ମତ ରଖିଥିଲେ । ଏହି ଉତ୍ସବରେ ବହୁ ସଂଖ୍ୟାରେ ଇତିହାସ ପ୍ରେମୀ, ଗବେଷକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।





