ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଲଗାତାର ଗୁଇନ୍ଦା ସୂଚନା ଆଧାରରେ ପାରଳାଖେମୁଣ୍ଡି ପୋଲିସ ଆଜି ଭୋର ପ୍ରାୟ ୫ ଟା ସମୟରେ ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ କାଶୀନଗର ବ୍ଳକର ସିଙ୍ଗିପୁର ଗ୍ରାମରେ ଅବକାରୀ ଚଢ଼ାଉ କରି ରେଳ ଲାଇନ ନିକଟରେ ଓ ବିଭିନ୍ନ ଘରର ପଛପଟେ ଚାଲିଥିବା ବେଆଇନ ଦେଶୀ ମଦ ପ୍ରସ୍ତୁତି କେନ୍ଦ୍ର ଗୁଡ଼ିକୁ ଠାବ କରିଥିଲା। ପୋଲିସକୁ ଦେଖି ଏଥିରେ ସମ୍ପୃକ୍ତ ବ୍ୟକ୍ତିମାନେ ଘଟଣାବସ୍ଥଳରୁ ଫେରାର ହୋଇ ଯାଇଥିଲେ। ଚଢ଼ାଉ ସମୟରେ ପ୍ରାୟ ୧୦୦ ଲିଟର ବେଆଇନ ଦେଶୀ ରନ୍ଧା ମଦ , ଏହାର ପ୍ରସ୍ତୁତିରେ ବ୍ୟବହୃତ କଣ୍ଡେନସର ପାଇପ , ଫନେଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା । ଏହାସହ ପ୍ରାୟ ୬୦୦ ଲିଟର ମହୁଲ ପଚା ରସକୁ ଘଟଣାସ୍ଥଳରେ ନଷ୍ଟ କରା ଯାଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅତ୍ୟନ୍ତ ଅପରିଷ୍କାର ପରିବେଶରେ ଦୂଷିତ ପାଣି ଓ ଅନ୍ୟାନ୍ୟ କ୍ଷତିକାରକ ପଦାର୍ଥ ମିଶାଇ ଏହି ମଦ ପ୍ରସ୍ତୁତ କରାଯାଉଥିଲା ଯେ, ଯାହା ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଗୁରୁତର ବିପଦ ସୃଷ୍ଟି କରୁଅଛି । ତଦନ୍ତରୁ ଜଣାପଡ଼ିଛି ଯେ , ଗ୍ରାମର କେତେକ ବ୍ୟକ୍ତି ସଙ୍ଗଠିତ ଭାବରେ ଏହି ବେଆଇନ ଦେଶୀ ମଦ ପ୍ରସ୍ତୁତ କରି ପାରଳାଖେମୁଣ୍ଡି ସହର ଓ ଆଖପାଖ ଗ୍ରାମାଞ୍ଚଳକୁ ବହୁବର୍ଷ ହେବ ଯୋଗାଣ କରୁଥିଲେ । ଏହି ଘଟଣାରେ ପାରଳାଖେମୁଣ୍ଡି ଥାନା କେସ ନଂ. ୨୬୦/୨୦୨୬ ରୁଜୁ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି ଏବଂ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏକ ପ୍ରେସ ବିବୃତ୍ତିରେ ପାରଳା ଆଦର୍ଶ ଥାନାର ଥାନାଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ଭୂପତି ସୂଚନା ଦେଇଛନ୍ତି । ଏହି ଅବକାରୀ ଚଢାଉ ଏସଡିପିଓ ଶ୍ରୀ ମାଧବl ନନ୍ଦ ନାୟକ ଓ ଥାନାଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ଭୂପତି ନେତୃତ୍ୱରେ ହୋଇଥିବା ଜଣାଯାଇଛି। ।





