କୃଷକ ବିକାଶ ମଞ୍ଚର ନୂତନ କମିଟି ଗଠିତ: ସୁରେନ୍ଦ୍ର ମାଝୀ ସଭାପତି, ସୁଶୀଲ ବାଗ ସାଧାରଣ ସଂପାଦକ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଇନ୍ଦ୍ରାବତୀ ବୃହତ ଜଳବିଦ୍ୟୁତ ପ୍ରକଳ୍ପ ପରେ ଜିଲ୍ଲାରେ ଦ୍ଵିତୀୟ ଜଳସେଚନ ପ୍ରକଳ୍ପ ଭାବେ କଳାହାଣ୍ଡି ଜିଲ୍ଲାର ନର୍ଲା ଓ ଲାଞ୍ଜିଗଡ଼ ବ୍ଲକର ସୀମାନ୍ତରେ ପ୍ରବାହିତ ରେତ ନଦୀ ଉପରେ ନିର୍ମାଣ ହୋଇଥିଲା ରେତ ମଧ୍ୟମ ଜଳସେଚନ ପ୍ରକଳ୍ପ। ଏହି ପ୍ରକଳ୍ପ ଦ୍ୱାରା ଉଭୟ ବ୍ଲକ ସମେତ କେସିଙ୍ଗା ବ୍ଲକର କିଛି ଅଞ୍ଚଳକୁ ମିଶାଇ ସମୁଦାୟ ୧୦ ହଜାର ହେକ୍ଟର ଜମିକୁ ଜଳସେଚନ ପାଇଁ ବ୍ୟବସ୍ଥା ହୋଇଥିଲା। କିନ୍ତୁ ଦୁଃଖ ଓ ପରିତାପର ବିଷୟ ହେଲା, ଲାଞ୍ଜିଗଡ଼ ବ୍ଲକର ଶତାଧିକ ହେକ୍ଟର ଜମି ଏହି ପ୍ରକଳ୍ପରେ ବୁଡ଼ିଯାଇଥିବାବେଳେ ଲାଞ୍ଜିଗଡ଼ ବ୍ଲକର ଗୁଣ୍ଡରୀ ପଞ୍ଚାୟତର ଲୋକେ ବିସ୍ଥାପିତ ହୋଇଥିଲେ। ଆଉ ଲାଞ୍ଜିଗଡ଼ ବ୍ଲକର ୧୫ରୁ ଅଧିକ ଗାଁ ଏହି ପ୍ରକଳ୍ପ ଯୋଗୁଁ ଜଳବନ୍ଦୀ ହୋଇଥିଲେ। କିନ୍ତୁ ନର୍ଲା ଓ କେସିଙ୍ଗା ବ୍ଲକରେ ରେତ ପ୍ରକଳ୍ପର ପାଣି ପହଞ୍ଚି ସାରିଥିବାବେଳେ ଆଜି ବି ଲାଞ୍ଜିଗଡ଼ ବ୍ଲକର ଗୋବର୍ଦ୍ଧନପୁର ପଞ୍ଚାୟତ ଏବଂ ନର୍ଲା ବ୍ଲକର କିଛି ଗାଁ ଆଜି ବି ଚାଷ ପାଇଁ ଇନ୍ଦ୍ର ଭରସାରେ ରହିଛନ୍ତି। ରେତ ଡାହାଣ କେନାଲ ସମ୍ପ୍ରସାରଣ ପାଇଁ ଏସବୁ ଅଞ୍ଚଳର ଚାଷୀମାନେ ଏବେ ଅଣ୍ଟା ଭିଡ଼ିଛନ୍ତି। ଚାଷୀମାନେ ଗୋଟିଏ ମଞ୍ଚରେ ସମବେତ ହେବା ସହ ଗଠନ କରିଛନ୍ତି କଳାହାଣ୍ଡି କୃଷକ ବିକାଶ ମଞ୍ଚ। ନର୍ଲା ଓ ଲାଞ୍ଜିଗଡ଼ ବ୍ଲକର ୨୦ଖଣ୍ଡ ଗାଁର ଚାଷୀଙ୍କୁ ନେଇ ଗଠିତ କୃଷକ ବିକାଶ ମଞ୍ଚର ଦ୍ଵିତୀୟ ବୈଠକ ଆଜି ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ଗୋପାଳପୁରଠାରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଚାଷୀ ଅନୀଲ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରେତ ଡାହାଣ କେନାଲ ସମ୍ପ୍ରସାରଣ ପାଇଁ ଜୋରଦାର ଲଢ଼େଇ ପାଇଁ ଏକସୂତ୍ରୀ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଅଞ୍ଚଳର ଚାଷୀମାନଙ୍କ ଏହି ଦାବିକୁ ସରକାର ଓ ପ୍ରଶାସନ ନିକଟରେ ଦୃଢ଼ ଭାବେ ଉପସ୍ଥାପନ ପାଇଁ କୃଷକ ବିକାଶ ମଞ୍ଚର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଏଥିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ମାଝୀ, ସାଧାରଣ ସଂପାଦକ ଭାବେ ସାମ୍ବାଦିକ ତଥା ସମାଜସେବୀ ସୁଶୀଲ କୁମାର ବାଗଙ୍କୁ ମନୋନୀତ କରାଯାଇଥିଲା। ସେହିପରି ଉପସଭାପତି ଭାବେ ରତ୍ନାକର ପାତ୍ର, ଉମାଶଙ୍କର ବେହେରା, ଯୁଗ୍ମ ସଂପାଦକ ଭାବେ ବଳରାମ ଗଉଡ଼, କୋଷାଧ୍ୟକ୍ଷ ନୀଲେଶ କୁମାର ପାଢ଼ୀ, ସହ କୋଷାଧ୍ୟକ୍ଷ ଭକ୍ତରାମ ସାହୁ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା। ଉପଦେଷ୍ଟା ମଣ୍ଡଳୀରେ ବିଜୟ ପାଢ଼ୀ, ଅନୀଲ ପାଢ଼ୀ, ପୁରୁଷୋତ୍ତମ ପୁଟେଲ, ରୁଦ୍ରପ୍ରସାଦ ସାହୁ, ଟଙ୍କଧର ମେହେର, କିରଣ ମାଝୀ, ଅଶୋକ ପୁରୋହିତ, ବାଟି ମାଝୀ, କର୍ପୁର ଗଉଡ଼, ବୈବ ପୁଟେଲ, ମନୋଜ ପ୍ରଧାନ, ବିନୋଦ ପ୍ରସାଦ ସାହୁ, ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା। ସୁଶୀଲ କୁମାର ବାଗ ସଭା ପରିଚାଳନା କରିଥିବାବେଳେ ବୀରେନ କୁମାର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ଭକ୍ତରାମ ପୁଟେଲ, ସଞ୍ଜୟ ପାଢ଼ୀ, ତପିନ୍ଦ୍ର ପଧାନ, ସଞ୍ଜୟ ବିଶ୍ୱାଳ, ରଞ୍ଜିତ ପଣ୍ଡା, ଲଖଣ ବାଗ, ମୋହନ ପୁଟେଲ, ମଗଶିର ଗଉଡ଼, ଥବିର ପୁଟେଲ, ଭବାନୀଶଙ୍କର ବିଶ୍ୱାଳ, ପ୍ରଦ୍ୟୁମ୍ନ ବେହେରା, ଅଶୋକ ପୁରୋହିତ, ଯୁଧିଷ୍ଠିର କରୁଆଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ଅବସରରେ ନର୍ଲା ବ୍ଲକର ବଡ଼ଧାରପୁର, ଘଣ୍ଟମାଳ ତଥା ଲାଞ୍ଜିଗଡ଼ ବ୍ଲକର ଗୋବର୍ଧନପୁର ପଞ୍ଚାୟତର ୨୦ଖଣ୍ଡ ଗାଁରୁ ଦୁଇଶହରୁ ଉର୍ଦ୍ଧ୍ଵ ଚାଷୀ ବୈଠକରେ ସାମିଲ ହୋଇଥିଲେ।





