ଦ୍ରୁତଗାମୀ ବାଇକ୍ ଧକ୍କାରେ ଯୁବକ ମୃତ, ଜଣେ ଗୁରୁତର

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ନିକଟ ହିଞ୍ଜିଲିବାହାଲି କେନାଲ ରାସ୍ତାରେ ସୋମବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତଗତିରେ ଆସୁଥିବା ବାଇକ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ସୋମବାର ରାତିରେ ଜୁନାଗଡ଼ର ଚାରିଜଣ ଯୁବକ ହିଞ୍ଜିଲିବାହାଲି କେନାଲ ରାସ୍ତା କଡ଼ରେ ଠିଆ ହୋଇଥିଲେ। ସେହି ସମୟରେ ଏକ ଟିଭିଏସ୍ ଆପାଚି ବାଇକ୍‌ରେ ଦୁଇଜଣ ଯୁବକ ଦ୍ରୁତ ଗତିରେ ଆସି ଠିଆ ହୋଇଥିବା ଯୁବକମାନଙ୍କୁ ଜୋରରେ ଧକ୍କା ଦେଇଥିଲେ। ଘଟଣାସ୍ଥଳରେ ଜୁନାଗଡ଼ ବଜାରପଡ଼ାର ସୁବାଷ ନାଗ ଓ ବଡ଼ ପଡାର ରାହୁଲ ବାଗ ଗୁରୁତର ଆହତ ହୋଇଥିଲେ। ଦୁଇଜଣଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ସୁବାଷ ନାଗଙ୍କୁ ମୃତ ଘୋଷଣା କରିଥିଲେ। ରାହୁଲ ବାଗଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମଙ୍ଗଳବାର ସକାଳେ ଶବ ବ୍ୟବଚ୍ଛେଦ ପରେ ପୋଲିସ ପକ୍ଷରୁ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଦୁର୍ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବାଇକ୍ ଚାଳକଙ୍କ ମଧ୍ୟରୁ ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ଦୁର୍ଘଟଣାଗ୍ରସ୍ତ ବାଇକ୍‌କୁ ମଧ୍ୟ ଜବତ କରାଯାଇଛି। ଏହି ଘଟଣାକୁ ନେଇ ଜୁନାଗଡ଼ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ରାସ୍ତାରେ ବେପରୁଆ ଗାଡି ଚାଳନା ଉପରେ ରୋକ ଲଗାଇବା ଓ ପେଟ୍ରୋଲିଂ ବଢ଼ାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.