ଓଡ଼ିଶାରେ ପ୍ରଥମ ଥର ଆୟୋଜିତ ହେଉଛି ‘ରାଇଟର୍ ଇନ୍ ରେସିଡେନ୍ସ’ କାର୍ଯ୍ୟକ୍ରମ: ‘ବସାରେ ଲେଖକ-୨୦୨୬’ ପାଇଁ ମନୋନୀତ ହେଲେ ୧୦ ତରୁଣ ଲେଖକ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଡ଼ିଶାରେ ପ୍ରଥମ ଥର ପାଇଁ ‘ରାଇଟର୍ ଇନ୍ ରେସିଡେନ୍ସ’ ବା ‘ବସାରେ ଲେଖକ-୨୦୨୬’ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଯାଉଛି ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ। ସବୁବେଳେ କିଛି ନା ଅଭିନବ କାର୍ଯ୍ୟକ୍ରମ କରୁଥିବା ଏହି ସଂସ୍ଥାର ୨୧ତମ ବର୍ଷ ପୂର୍ତ୍ତି ଅବସରରେ ଜୁଲାଇ ମାସରେ ଚିଲିକା ହ୍ରଦ କୂଳରେ ଆୟୋଜିତ ହେବାକୁ ଥିବା ଏହି ସପ୍ତାହବ୍ୟାପୀ ଆବାସିକ କର୍ମଶାଳାରେ ୨୫ ବର୍ଷରୁ କମ୍ ବୟସର ୧୦ ଜଣ ତରୁଣ ଲେଖକ ଭାଗ ନେବାକୁ ମନୋନୀତ ହୋଇଛନ୍ତି। ‘ପେନ୍ ଇନ୍ ବୁକ୍ସ’ ପକ୍ଷରୁ ପ୍ରକାଶିତ ଏକ ବିବୃତି ଅନୁଯାୟୀ, କାର୍ଯ୍ୟକ୍ରମ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମୋଟ ୧୪୩ଟି ଆବେଦନ ଆସିଥିଲା। ପ୍ରଥମ ପର୍ଯ୍ୟାୟରେ ୩୦ ଜଣଙ୍କୁ ଚୟନ କରାଯାଇ ସେମାନଙ୍କୁ ଉପନ୍ୟାସର ଗୋଟିଏ ଲେଖାଏଁ ଅଧ୍ୟାୟ ଲେଖିବାକୁ କୁହାଯାଇଥିଲା। ସେଥିରୁ ଚୂଡ଼ାନ୍ତ ପର୍ଯ୍ୟାୟରେ ୧୦ ଜଣ ତରୁଣ ଲେଖକ ମନୋନୀତ ହୋଇଛନ୍ତି।

ମନୋନୀତ ଲେଖକମାନେ ହେଲେ ବରଗଡ଼ର ଧର୍ମରାଜ ମହାମଲ୍ଲିକ, ଢେଙ୍କାନାଳର ବିଶ୍ୱଜିତ ସାହୁ, କଟକର ପ୍ରୀତିକୃଷ୍ଣା ସାହୁ ଓ ଶୁଭଶ୍ରୀ ଦାସ, ଜଗତସିଂହପୁରର ସୁରଜିତ ପ୍ରଧାନ, ଯାଜପୁରର ସଞ୍ଜୟ ରାଉଳ, ଗଞ୍ଜାମର ବାଦଲ ପଲେଇ, ଅନୁଗୋଳର ତୃପ୍ତିମୟୀ ରାଉଳ, ଭଦ୍ରକର ସସ୍ମିତା ବେହେରା ଏବଂ କେନ୍ଦ୍ରାପଡ଼ାର ଜ୍ୟୋତିରଞ୍ଜନ ଦାସ। ବିଶିଷ୍ଟ କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ଓ ମିୟୋଗ ରଞ୍ଜନ ପାତ୍ର ଏହି କାର୍ଯ୍ୟକ୍ରମର ପରାମର୍ଶଦାତା (ମେଣ୍ଟର) ଭାବେ ଦାୟିତ୍ୱ ତୁଲାଇବେ ବୋଲି ବିବୃତିରେ କୁହାଯାଇଛି। ଚଳିତ ବର୍ଷର ବିଷୟ ‘କ୍ୟାମ୍ପସ୍ ଉପନ୍ୟାସ’ ରଖାଯାଇଛି। ଗତ ତିନି ମାସ ଧରି ମେଣ୍ଟରମାନଙ୍କ ତତ୍ତ୍ୱାବଧାନରେ ମନୋନୀତ ଲେଖକମାନେ ଗୋଟିଏ ଲେଖାଏଁ ଉପନ୍ୟାସ ରଚନା କରିଛନ୍ତି।

ସାତ ଦିନିଆ ଏହି ଆବାସିକ କର୍ମଶାଳାରେ ସେହି ଉପନ୍ୟାସଗୁଡ଼ିକର ମୂଲ୍ୟାଙ୍କନ କରାଯିବା ସହ ସଂଶୋଧନ, ସମ୍ପାଦନ, ପୁନର୍ଲିଖନ ଓ ପରିମାର୍ଜନ ସମ୍ପର୍କରେ ପରାମର୍ଶ ଦିଆଯିବ। ଏହା ସହିତ ରାଜ୍ୟର ବହୁ ବରିଷ୍ଠ କଥାକାର ଏଥିରେ ବିଷୟ ବିଶେଷଜ୍ଞ ଭାବେ ଯୋଗଦେଇ ଉପନ୍ୟାସ ରଚନାର ବିଭିନ୍ନ କୌଶଳ ଓ ଦିଗ ଉପରେ ଆଲୋଚନା କରିବେ ବୋଲି ସୂଚନା ଦିଆଯାଇଛି। କର୍ମଶାଳା ପରେ ମନୋନୀତ ୧୦ ଜଣ ଲେଖକଙ୍କ ଉପନ୍ୟାସ ପୁସ୍ତକ ଆକାରରେ ପ୍ରକାଶ ପାଇବା ସହିତ ଆସନ୍ତା ସେପ୍ଟେମ୍ବର ମାସରେ ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ପୁସ୍ତକଗୁଡ଼ିକ ଉନ୍ମୋଚିତ ହେବା ସହ ସମସ୍ତ ତରୁଣ ଲେଖକଙ୍କୁ ସମ୍ମାନିତ କରାଯିବ। ସମ୍ପୂର୍ଣ୍ଣ ନିଃଶୁଳ୍କ ଏହି କାର୍ଯ୍ୟକ୍ରମରେ ଭାଗ ନେଉଥିବା ଲେଖକମାନଙ୍କର ଯାତାୟାତ, ରହଣି ଏବଂ ଅନ୍ୟାନ୍ୟ ସମସ୍ତ ଖର୍ଚ୍ଚ ଓଡ଼ିଆ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ବହନ କରିବ ବୋଲି ପେନ୍ ଇନ୍ ବୁକ୍ସ ପକ୍ଷରୁ ସୂଚନା ଦିଆଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.