ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (କୃଷ୍ଣ କୁମାର ମହାନ୍ତି): ମଧ୍ୟଯୁଗୀୟ ଭାରତର ଶକ୍ତିଶାଳୀ ଓଡ଼ିଆ ଶାସକ ଗଜପତି କପିଳେନ୍ଦ୍ର ଦେବଙ୍କ ୫୯୧ତମ ରାଜ୍ୟାଭିଷେକ ଉତ୍ସବ ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ‘ଗଜପତି ଦିବସ’ ଆୟୋଜିତ ହେବାକୁ ଯାଉଛି।ବିଶ୍ୱବିଦ୍ୟାଳୟର ଆନୁକୂଲ୍ୟରେ ‘ବିୟଣ୍ଡ ହେରିଟେଜ୍ ଟ୍ରଷ୍ଟ’ ଏବଂ ‘ଓଡ଼ିଶା ସାହିତ୍ୟ ଏକାଡେମୀ’ର ମିଳିତ ସହଯୋଗରେ ଆସନ୍ତା ୨୯ ଜୁନ୍ ୨୦୨୬, ସୋମବାର ପୂର୍ବାହ୍ନ ୧୦ ଘଟିକା ସମୟରେ ବିଶ୍ୱବିଦ୍ୟାଳୟର ଏମ୍.କେ.ସି.ଜି. ପ୍ରେକ୍ଷାଳୟ ଠାରେ ଏହି ସମାରୋହ ଅନୁଷ୍ଠିତ ହେବ। ଏହି ଭବ୍ୟ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହା ସହିତ କଟକ ସାଂସଦ ଭର୍ତ୍ତୃହରି ମହତାବ, ଐତିହାସିକ ପ୍ରଫେସର କୁଲଦୀପ୍ ଚନ୍ଦ୍ର ଅଗ୍ନିହୋତ୍ରୀ, ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, ପ୍ରଫେସର କିଶୋର କୁମାର ବାସା ଏବଂ ପଦ୍ମଶ୍ରୀ ଅଦ୍ୱୈତ ଚରଣ ଗଡ଼ନାୟକଙ୍କ ଭଳି ବହୁ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଏଥିରେ ଅତିଥି ଓ ବକ୍ତା ଭାବେ ସାମିଲ ହେବେ। ଏହି କାର୍ଯ୍ୟକ୍ରମରେ ଗଜପତିଙ୍କ ବୀରତ୍ୱକୁ ନେଇ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ “ସମର, ସମ୍ରାଟ, ଓ ସନାତନ” ଏବଂ କ୍ଷୁଦ୍ର ଚଳଚ୍ଚିତ୍ର “ଲକ୍ଷେ ରଜାର ମଉଡ଼ମଣି” ଉନ୍ମୋଚିତ ହେବ। ଏଥିସହ ଓଡ଼ିଶାର ଇତିହାସ ଓ ଓଡ଼ିଆ ଅସ୍ମିତାକୁ ନେଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଆଲୋଚନାଚକ୍ର ମଧ୍ୟ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ସମ୍ପର୍କରେ ମତ ଦେଇ, ଓଡ଼ିଶାର ଇତିହାସ କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନୁହେଁ, ଏହା ଅତି ସମୃଦ୍ଧ ଓ ବିସ୍ତୃତ ବୋଲି ଗୁରୁତ୍ୱାରୋପ କରିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ। ସେ କହିଛନ୍ତି, ‘ଗଜପତି ଦିବସ’ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଆଜିର ଯୁବପିଢ଼ି, ବିଶେଷ କରି ‘ଜେନ୍-ଜି’ଙ୍କ ପାଇଁ ରାଜ୍ୟର କିମ୍ବଦନ୍ତୀ ଶାସକମାନଙ୍କୁ ପୁନଃ ଆବିଷ୍କାର କରିବା ସହ ଓଡ଼ିଆ ଜାତି ପ୍ରତି ସେମାନଙ୍କର ଚିରନ୍ତନ ଅବଦାନକୁ ବୁଝିବାର ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ। ମଧ୍ୟଯୁଗୀୟ ଭାରତର ଅନ୍ୟତମ ଶକ୍ତିଶାଳୀ ସାମ୍ରାଜ୍ୟ ଗଠନ କରିଥିବା ସୂର୍ଯ୍ୟବଂଶୀ ଗଜପତି ରାଜବଂଶର ପ୍ରତିଷ୍ଠାତା ଗଜପତି କପିଳେନ୍ଦ୍ର ଦେବଙ୍କ ସମ୍ପର୍କରେ ସୂଚନା ଦେଇ ପ୍ରଫେସର ନନ୍ଦ କହିଛନ୍ତି, “ତାଙ୍କର ଅଭିଷେକ ଉତ୍ସବକୁ ସ୍ମରଣ କରିବା କେବଳ ଜଣେ କିମ୍ବଦନ୍ତୀ ଶାସକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ନୁହେଁ, ବରଂ ଏହା ‘ଓଡ଼ିଆ ଅସ୍ମିତା’କୁ ଜାଗ୍ରତ କରିବା ଏବଂ ଓଡ଼ିଶାର ସମୃଦ୍ଧ ଐତିହାସିକ ତଥା ସାଂସ୍କୃତିକ ଗୌରବ ପାଇଁ ଆଗାମୀ ପିଢ଼ିକୁ ଅନୁପ୍ରାଣିତ କରିବା ଦିଗରେ ଏକ ସାର୍ଥକ ପଦକ୍ଷେପ।” ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମସ୍ତ ଇତିହାସ ପ୍ରେମୀ, ଗବେଷକ ଓ ଜନସାଧାରଣଙ୍କକୁ ଏହି ଐତିହାସିକ ଉତ୍ସବରେ ଯୋଗଦେବା ପାଇଁ ସାଦର ନିମନ୍ତ୍ରଣ କରାଯାଇଛି।





