ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ଠାରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର କାଉଗୁଡା ନିକଟରେ ଏକ ଆଲୁମିନିୟମ ବଲକର ଦୁର୍ଘଟଣାଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଓଡି ୧୪ ଏବି ୨୭୨୨ ନମ୍ବର ବିଶିଷ୍ଟ ବଲକରଟି କାକିନାଡା ଠାରୁ ଆଲୁମିନିୟମ ପାଉଡର ବୋଝେଇ କରି ଛତିଶଗଡ଼ ଅଭିମୁଖେ ଯାଉଥିଲା। କାଉଗୁଡା ନିକଟରେ ମଦ୍ୟପ ଚାଳକ ଜଣକ ଅତ୍ୟଧିକ ଦ୍ରୁତ ଗତିରେ ଗାଡି ଚଳାଉଥିବା ବେଳେ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ବାଡକୁ ଧକ୍କା ଦେଇଥିଲା। ଦୁର୍ଘଟଣାର ଖବର ପାଇ ସିକେରକୁପା ଫାଣ୍ଡି ଅଧିକାରୀ ମୁରଲୀ ମୋହନ ପିଡିକା ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ଚାଳକକୁ ଉଦ୍ଧାର କରି ସିକେରକୁପା ଫାଣ୍ଡିରେ ଅଟକ ରଖିଛନ୍ତି। ପ୍ରାଥମିକ ଯାଞ୍ଚରୁ ଚାଳକ ମଦ୍ୟପାନ କରିଥିବା ସ୍ପଷ୍ଟ ହୋଇଛି। ତେବେ ଆଲୁମିନିୟମ୍ ପାଉଡର ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ ହେବାରୁ ବଡ ଅଘଟଣ ଆଶଙ୍କା କରାଯାଉଥିଲା। ହେଲେ ସୌଭାଗ୍ୟବଶତଃ କୌଣସି ଜନହାନି ହୋଇନାହିଁ। ପୋଲିସ ବଲକରକୁ ଜବତ କରି ଘଟଣାର ଅଧିକ ତଦନ୍ତ ଚଳାଇଛି। ମଦ୍ୟପାନ କରି ବିପଜ୍ଜନକ ଭାବେ ଗାଡି ଚଳାଇବା ଅଭିଯୋଗରେ ଚାଳକ ଅଟକ ରଖାଯାଇଛି। ତେବେ ଏହି ରାଜ୍ୟ ରାଜପଥରରେ ପ୍ରତ୍ୟେକ ଦିନ ଦୁର୍ଘଟଣା ହେଉଥିବା ବେଳେ ପଥଚାରୀ ମାନେ ଯାତାୟାତ କରିବା ପାଇଁ ସୁରକ୍ଷିତ ମଣୁନାହାନ୍ତି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।





