୪୮ ଘଣ୍ଟାରେ କାର୍ଯ୍ୟାନୁଷ୍ଠାନ ନହେଲେ ଘେରାଉ ଚେତାବନୀ
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱରର ଯୁବ ବ୍ୟବସାୟୀ ସେକ୍ ହମିଦଙ୍କୁ ଗୁଳିମାଡ଼ରେ ହତ୍ୟା ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି। ଶନିବାର ବିଜୁ ଜନତା ଦଳର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଜିଲ୍ଲା ପୁଲିସ ଅଧୀକ୍ଷକ ପ୍ରତ୍ୟୁଷ ଦିବାକରଙ୍କୁ ଭେଟି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଯଦି ୪୮ ଘଣ୍ଟା ମଧ୍ୟରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହୁଏ, ତେବେ ଏସପି ଅଫିସ ଘେରାଉ କରାଯିବ ବୋଲି ଦଳ ଚେତାବନୀ ଦେଇଛି।
ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଗଠିତ ଏହି ଟିମ୍ ଶନିବାର ସକାଳେ ପ୍ରଥମେ ଗଣେଶ୍ୱରପୁରସ୍ଥିତ ହମିଦଙ୍କ ବାସଭବନରେ ପହଞ୍ଚିଥିଲା। ସେଠାରେ ହମିଦଙ୍କ ପତ୍ନୀ ଭୋ ଭୋ ହୋଇ କାନ୍ଦି ହାତ ଯୋଡି ନ୍ୟାୟ ଭିକ୍ଷା କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ, ଘଟଣା ପରେ ଏଯାଏଁ ପୁଲିସ ତାଙ୍କ ଘରେ ପହଞ୍ଚିନାହିଁ।
ଏହାପରେ ଟିମ୍ ଅରଡ଼ବଜାରସ୍ଥିତ ଗୁଳିକାଣ୍ଡ ସ୍ଥଳ ପରିଦର୍ଶନ କରି ସ୍ଥାନୀୟ ଲୋକ ଓ ବ୍ୟବସାୟୀଙ୍କ ସହ ଆଲୋଚନା କରିଥିଲା। ଟିମର ସଂଯୋଜକ ତଥା ଜିଲ୍ଲା ସଭାପତି ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ପୂର୍ବତନ ସାଂସଦ ପ୍ରାର୍ଥୀନୀ ଡ. ଲେଖାଶ୍ରୀ ସାମନ୍ତସିଂହାର, ସୋର ବିଧାୟକ ମାଧବ ଧଡ଼ା, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ଓ ସୁକାନ୍ତ ନାୟକ ପ୍ରମୁଖ ଏସପିଙ୍କୁ ଭେଟିଥିଲେ।
ବିଜେଡି ଅଭିଯୋଗ କରିଛି ଯେ ବାଲେଶ୍ୱର ଜିଲ୍ଲା ଏବେ ଅପରାଧୀଙ୍କ ଚରାଭୂଇଁ ପାଲଟିଛି ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ଗୁରୁବାର ଦିବାଲୋକରେ ୮ ରାଉଣ୍ଡ ଗୁଳି ଚାଳନା ହୋଇ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ମୃତ୍ୟୁ ସହରରେ ଭୟର ବାତାବରଣ ସୃଷ୍ଟି କରିଛି। ଟିମ ସ୍ପଷ୍ଟ କରିଛି ଯେ ଏହି ଘଟଣାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଆଗାମୀ ୪୮ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନ ହେଲେ ପ୍ରମୁଖ ବିରୋଧୀ ଦଳ ଭାବେ ବିଜେଡି ଜନହିତ ପାଇଁ ଏସପି ଅଫିସ ଘେରାଉ କରିବ। ଏହି ଅବସରରେ ପୂର୍ବତନ ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଟାଉନ ସଭାପତି ମନୋଜ କୁମାର ରାଉତ, ପୌର ଉପାଧ୍ୟକ୍ଷ କୈଳାଶ ସେଠୀଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ।





