ବାଲେଶ୍ୱରରେ ଜାତୀୟ ପଲସ ପୋଲିଓ ଅଭିଯାନର ହେଲା ଶୁଭାରମ୍ଭ : ଜିଲ୍ଲାରେ ୧,୪୦,୯୫୧ ଜଣ (୮୦ ପ୍ରତିଶତ) ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ରବିବାର ଜାତୀୟ ପଲସ ପୋଲିଓ ଟୀକାକରଣ ଦିବସ ଅବସରରେ ଜିଲ୍ଲା ଟୀକାକରଣ କେନ୍ଦ୍ର କକ୍ଷରେ ଶୁଭ ଉଦ୍‌ଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷର ବାର୍ତ୍ତା ରହିଛି, “ଦୁଇ ବୁନ୍ଦା ପ୍ରତ୍ୟେକ ଥର, ପୋଲିଓ ଉପରେ ବିଜୟ ରହୁ ନିରନ୍ତର।” ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗର ଅଧିକାରୀ ଡାକ୍ତର ଗିରିଜା ଶଙ୍କର ଦାସ ଜଣେ ଶିଶୁଙ୍କୁ ପୋଲିଓର ଦୁଇ ବୁନ୍ଦା ଖୁଆଇ ଅଭିଯାନର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଡାକ୍ତର ପରେଶ ଚନ୍ଦ୍ର ନନ୍ଦୀ, ଡାକ୍ତର ସଞ୍ଜୀବ ପ୍ରଧାନ, ଡାକ୍ତର ଅନ୍ନପୂର୍ଣ୍ଣା ଜେନା, ଡାକ୍ତର ସ୍ମୃତି ପ୍ରକାଶ ମିଶ୍ର, ଚକ୍ରଧର ଜେନା, ଜିତେନ୍ଦ୍ର ବିଶ୍ୱାଳ, ପ୍ରଦୀପ କୁମାର ସାହୁ, ରଞ୍ଜନ ମହାନ୍ତ, ଶାଶ୍ଵତୀ ମିଶ୍ର ଓ ନୂତନ ପ୍ରଭା ସାମଲ ପ୍ରମୁଖ ଉପସ୍ଥିତ ରହି ଶିଶୁମାନଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରିଥିଲେ।

ଚଳିତ ବର୍ଷ ଜୁନ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଜିଲ୍ଲାରେ ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ୧,୯୨,୭୬୧ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରିବା ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୧,୦୬୩ଟି ଟୀକାକରଣ କେନ୍ଦ୍ର, ୪୬ଟି ଟ୍ରାନ୍‌ଜିଟ୍ ଦଳ ଏବଂ ୨୩ଟି ଭ୍ରାମ୍ୟମାଣ ଦଳ ନିୟୋଜିତ ହୋଇଛନ୍ତି।

ଅଭିଯାନର ସଫଳ ରୂପାୟନ ପାଇଁ ୪,୩୯୦ ଜଣ ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ସ୍ୱେଚ୍ଛାସେବୀ, ସେହିପରି ୨୧୯ ଜଣ ସ୍ୱାସ୍ଥ୍ୟ ପରିଦର୍ଶକ ନିୟୋଜିତ ହୋଇଛନ୍ତି। ଆସନ୍ତା ଦୁଇ ଦିନ, ଅର୍ଥାତ୍ ଜୁନ ୨୯ ଓ ୩୦ ତାରିଖରେ ଦଳଗୁଡ଼ିକ ୪,୯୮,୨୬୩ଟି ଘରକୁ ଯାଇ କୌଣସି ଶିଶୁ ଯେପରି ପୋଲିଓ ବୁନ୍ଦାରୁ ବଞ୍ଚିତ ନ ରହନ୍ତି, ସେଥିପାଇଁ ଘରକୁ ଘର ବୁଲି ଟୀକାକରଣ କରିବେ। ଜୁନ ୨୮ ତାରିଖ ସନ୍ଧ୍ୟା ସୁଦ୍ଧା ଜିଲ୍ଲାରେ ୧,୪୦,୯୫୧ ଜଣ (୮୦ ପ୍ରତିଶତ) ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯାଇଛି। ଅବଶିଷ୍ଟ ଶିଶୁମାନଙ୍କୁ ଆସନ୍ତା ଦୁଇ ଦିନ ମଧ୍ୟରେ ଘରକୁ ଘର ବୁଲି ପୋଲିଓ ବୁନ୍ଦା ଖୁଆଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.