ମନ ମୋହିଲା ଆସାମର ବିହୁ ନୃତ୍ୟ
ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀର ଜାତୀୟ ପାରମ୍ପରିକ ଲୋକ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ସୋମବାର ନୂତନ ବର୍ଷ ଦିନ ମହା ସମାରୋହରେ ଉଦ୍ଘାଟିତ ହୋଇଯାଇଛି। ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଯୋଗଦେଇ ଲୋକ ଗୀତ ସଂଗୀତ ମାଧ୍ୟମରେ ପଏଁରୀ ଆଜି ସାରା ଭାରତରେ ଆମ ଜିଲ୍ଲାର ସୁନାମ ଅର୍ଜନ କରିପାରିଛି ବୋଲି କହିଥିଲେ। ସମ୍ମାନୀତ ଅତିଥି ଭାବେ ବିଶ୍ଵନାଥ ବାରିକ୍ (ପ୍ରକଳ୍ପ ନିର୍ଦେଶକ(ଡୁଡା), ପ୍ରଫେସର ନୀଳାମ୍ବର ଶତପଥି, ନାଟ୍ୟଶ୍ରୀ ଗଦାଧର ବାରିକ ଯୋଗଦେଇ ଆୟୋଜକ ଓ କଳାକାରଙ୍କୁ ଉତ୍ସାହିତ କରିଥିଲେ। ପଏଁରୀ ସଭାପତି ଲଡୁ କିଶୋର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଟିତ ଏହି ସଭାକୁ ସମ୍ପାଦକ ଚୌଧୁରୀ ବିଭାର ସଂଯୋଜନା କରିଥିବା ବେଳେ ଉପ ସଭାପତି ପ୍ରଫୁଲ୍ଲ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଜାନୁଆରୀ ୧ ସକାଳ ୧୦ ଟାରେ ସୋନପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀଙ୍କ ଠାରୁ ଆଜ୍ଞାମାଳ ନେଇ ୫୦୦ ରୁ ଉର୍ଦ୍ଧ୍ବ କଳାକାର ଏକ ଶୋଭାଯାତ୍ରା ନଗର ପରିକ୍ରମା କରି ସ୍ଥାନୀୟ ନୂତନ ଟାଉନ୍ ହଲ୍ ଠାରେ ପହଞ୍ଚିଥିଲେ। ପରେ ପରେ ବିଶିଷ୍ଟ କଳାକାର ଯୁଧିଷ୍ଟିର ବାରିକ ଉତ୍ସବକୁ ଉଦ୍ଘାଟନ କରିଥିବା ବେଳେ ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପଧାନ, ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନ ଉପଦେଷ୍ଟା ଅଭିମନ୍ୟୁ କୁଶଳ, ଗଦାଧର ବାରିକ, ଶ୍ରୀବତ୍ସ ମଲ୍ଲିକ ପ୍ରମୁଖ ଯୋଗଦାନ କରିଥିଲେ। ଜିଲ୍ଲାର ଲୋକ କଳାକାରମାନଙ୍କ ଦ୍ଵାରା ଲୋକନୃତ୍ୟ ପରିବେଷଣ ହୋଇଥିଲା। ସେହିପରି ସଂଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶିଷ୍ଟ କଳାକାର ଶତ୍ରୁଘ୍ନ ଲୁହା, ବ୍ରହ୍ମା କୁମ୍ଭାର, ହରିଓଁ କୁଶଳ, ଲିପିକା ବିଭାର ଓ ମୁଷ୍କାନ ମଲ୍ଲିକଙ୍କ ଦ୍ଵାରା ଲୋକ ଗୀତ ପରିବେଷଣ କରାଯାଇଥିବା ବେଳେ ମମତା ଫେସନ୍ ସୋ ପ୍ରଦର୍ଶିତ ହୋଇଥିଲା। ପରେ ସୋନପୁର ପଏଁରୀର ନଚନିଆଁ, ଆସାମର ବିହୁ ନାଚ, ବଲାଙ୍ଗୀର ସାତ କୁଆଁରୀ ପରିଷଦ ର ରସରକେଲି, ମଧ୍ୟପ୍ରଦେଶ କଳାକାରଙ୍କ ଦ୍ଵାରା ବଧାର ଲୋକ ନୃତ୍ୟ ପରିବେଷଣ କରାଯାଇଥିଲା। ବିଳମ୍ୱିତ ରାତି ଯାଏଁ ହଜାର ହଜାର ଦର୍ଶକ ନାଚ ଗୀତ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ଆସାମର ବିହୁ ନୃତ୍ୟରେ ଦର୍ଶକ ବିମୁଗ୍ଧ ହୋଇ ଉଠିଥିବା ଦେଖିବାକୁ ମିଳିଥିଲା।
