ପ୍ରଭାବିତ ହେଉଛି ବିଭିନ୍ନ ପରିବହନ ସେବା
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ହିଟ୍ ଆଣ୍ଡ ରନ୍ ମାମଲାରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ରେ ରଖାଯାଇଥିବା ନୂଆ ବର୍ଦ୍ଧିତ ଦଣ୍ଡ ବ୍ୟବସ୍ଥା ବିରୋଧରେ ଏବଂ ଓଡିଶା ସରକାର ଡ୍ରାଇଭର ମହାସଂଘକୁ ଦେଇଥିବା ପ୍ରତିଶୃତି ଆଜି ପର୍ଯ୍ୟନ୍ତ ପୂରଣ କରି ନ ଥିବାରୁ ଡ୍ରାଇଭରମାନଙ୍କ ଭବିଷ୍ୟତର ସୁରକ୍ଷାକୁ ଆଖି ଆଗରେ ରଖି ଓଡିଶା ରାଜ୍ୟ ଡ୍ରାଇଭର ମହାସଂଘର ଡାକରା କ୍ରମେ ରାୟଗଡା ଜିଲ୍ଳା ସଦର ବ୍ଳକ୍ ଓଡିଶା ଡ୍ରାଇଭର ସଂଘ ଶାଖା ପକ୍ଷରୁ ଆଜି ଠାରୁ ଷ୍ଟିୟରିଂ ଛାଡ ତଥା ଗାଡି ନ ଚଳାଇବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଆଜି ପୂର୍ବାହ୍ନରେ ରାୟଗଡା ଜିଲ୍ଳା ଡ୍ରାଇଭର ମହାସଂଘ ସଭାପତି ଜିତେନ୍ଦ୍ର କୁମାର ନାୟକଙ୍କ ତତ୍ୱାବଧାନରେ ସଦର ବ୍ଳକ ଶାଖା ସଂଘ ସଭାପତି ବିରେନ୍ଦ୍ର ପ୍ରସାଦ ତୁରୁକ ଓ ସଂପାଦକ ନବୀନ ହିଆଲଙ୍କ ନେତୃତ୍ୱରେ ଶତାଧିକ ଡ୍ରାଇଭରମାନେ କେନ୍ଦ୍ର ସରକାରଙ୍କ ନୂଆ ଆଇନ ଏବଂ ରାଜ୍ୟ ସରକାରଙ୍କ ଅଣଦେଖା ନୀତି ବିରୁଦ୍ଧରେ ସ୍ଳୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରି ଷ୍ଟିୟରିଂ ଛାଡ ଆନ୍ଦୋଳନରେ ସାମିଲ ହୋଇଥିଲେ । ଡ୍ରାଇଭର ମହାସଂଘର ଏହି ଆନ୍ଦୋଳନ ଯୋଗୁଁ ଜିଲ୍ଳାରେ ପନିପରିବା,କ୍ଷୀର,ମାଛ ସହ ଅନ୍ୟାନ୍ୟ ସାମଗ୍ରୀ ପରିବହନ ବ୍ୟବସ୍ଥା ଏକ ପ୍ରକାର ବହୁଳ ଭାବରେ ପ୍ରଭାବିତ ହୋଇଛି । ହିଟ୍ ଆଣ୍ଡ ରନ୍ ମାମଲାରେ ଭାରତ ସରକାରଙ୍କ ବିଏନଏସରେ ରଖାଯାଇଥିବା ନୂଆ ବର୍ଦ୍ଧିତ ଦଣ୍ଡ ବ୍ୟବସ୍ଥାରେ ଡ୍ରାଇଭର ଗିରଫ ହେଲେ ତାକୁ ୭ଲକ୍ଷ ଟଙ୍କା ଜୋରିମାନା ସହ ୧୦ବର୍ଷ ଜେଲ୍ ଦଣ୍ଡ ରହିଛି । ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ସଡକ ଦୁର୍ଘଟଣା ଓ ହିଟ୍ ଆଣ୍ଡ ରନ୍ ମାମଲାରେ ମୃତ୍ୟୁ ସଂଖ୍ୟା ଅଧିକ ରହୁଛି । ତେବେ ଏହି ନୂଆ ଆଇନକୁ ବିରୋଧ କରି ଦେଶର ୨୭ଟି ରାଜ୍ୟର ଡ୍ରାଇଭର ସଂଘ ମାନେ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ କରୁଛନ୍ତି ତେଣୁ ଓଡିଶା ଡ୍ରାଇଭର ମହାସଂଘର ଡାକରା କ୍ରମେ ରାୟଗଡା ଜିଲ୍ଳା୍ରେ ମଧ୍ୟ ଡ୍ରାଇଭରମାନଙ୍କ ମାନ ସମ୍ମାନ ପାଇଁ ଏବଂ କଳା ଆଇନକୁ ବିରୋଧ କରି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନରେ ସାମିଲ ହୋଇଛୁ ଏବଂ ଏଥିରେ ଜିଲ୍ଳାର ୧୧ଗୋଟି ବ୍ଳକର ଶତାଧିକ ଡ୍ରାଇଭର ବୃନ୍ଦ ସାମିଲ ହୋଇଛନ୍ତି ବୋଲି ଓଡିଶା ଡ୍ରାଇଭର ସଂଘ ରାୟଗଡା ଜିଲ୍ଳା ଶାଖା ସଭାପତି ଜିତେନ୍ଦ୍ର କୁମାର ନାୟକ ପ୍ରକାଶ କରିଛନ୍ତି ।