ପ୍ରମାଣିତ ହେଲା କେସିଙ୍ଗାବାସୀଙ୍କ ଏକତାର ବଳ; ସହରରେ  ଚାଲିଛି ଚର୍ଚ୍ଚା !

ସହରରେ ରହିଥିବା ପ୍ରମୁଖ ଦାବି ଗୁଡିକ ଉପରେ ଆବଶ୍ୟକ  ଗଣଆନ୍ଦୋଳନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ଏନ୍ଏସି ନିର୍ବାହୀ ଅଧିକାରୀଙ୍କ ବଦଳି ଦାବିକୁ ନେଇ ଗତ ଦୁଇ ଦିନ ତଳେ ଯେଉଁଭଳି ଭାବେ କେସିଙ୍ଗା ସହରବାସୀ ଏକତ୍ରିତ ହୋଇ ଆନ୍ଦୋଳନ କଲେ ଓ ସଫଳ ହୋଇପାରିଲେ ସେହି ବିଷୟ ଉପରେ ବର୍ତ୍ତମାନ ସହରରେ ବିଭିନ୍ନ ଚର୍ଚ୍ଚା ଓ ଆଲୋଚନାର ବିଷୟ ହୋଇଛି। ଇଓଙ୍କ ବଦଳି କରିବା ଦାବି ପ୍ରସଙ୍ଗକୁ ନେଇ କେସିଙ୍ଗାବାସୀ ତାଙ୍କର ଏକତାର ବଳ ଦ୍ଵିତୀୟ ଥର ପ୍ରମାଣିତ କରିଛନ୍ତି ବୋଲି ସହରରେ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରଥମେ କେସିଙ୍ଗା ରେଳ ଅଣ୍ଡର ବ୍ରିଜ ଉପରେ ଆନ୍ଦୋଳନ କରିବାର ଯଥାର୍ଥକୁ ନେଇ ଅଞ୍ଚଳବାସୀଙ୍କ ତରଫରୁ ଏକ ବିରାଟ ଆନ୍ଦୋଳନ କରାଯାଇଥିଲା ଏବଂ ତାହାର ସଫଳତା ମିଳିଥିଲା। ତେବେ ଜଣେ ସାଧାରଣ ସରକାରୀ ଅଧିକାରୀଙ୍କୁ ବଦଳି ଦାବୀ ନେଇ ତିନି ଦିନ ଧରି କେସିଙ୍ଗା ବିକାଶ ମଞ୍ଚର ଆହ୍ଵାନକ୍ରମେ ଆନ୍ଦୋଳନ କରିବା ଓ ଆନ୍ଦୋଳନରେ ସଫଳ ହୋଇଥିବା ବିଷୟକୁ ନେଇ ସହରରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। କେସିଙ୍ଗା ଅଞ୍ଚଳବାସୀଙ୍କ ଆହୁରି ଅନେକ ନ୍ୟାର୍ଯ୍ୟ ଦାବୀ ଗୁଡିକ ରହିଛି ଯାହାକୁ ନେଇ ଏହିପରି ଗଣ ଆନ୍ଦୋଳନର ଆବଶ୍ୟକତା ଅନୁଭୂତ ହୁଏ। ସେହି ପ୍ରମୁଖ ଦାବି ଗୁଡିକ ହେଲା:- କେସିଙ୍ଗାରୁ ସିଧାସଳଖ ରାଜଧାନୀ ଭୁବନେଶ୍ୱରକୁ ରେଳ ଯୋଗାଯୋଗ ତଥା ଇସ୍ପାତ ଓ ଦୁର୍ଗ-ପୁରୀ ଏକ୍ସପ୍ରେସକୁ କେସିଙ୍ଗା ପର୍ଯ୍ୟନ୍ତ ସମ୍ପ୍ରସାରଣ, କେସିଙ୍ଗା ବିଧାନସଭା କ୍ଷେତ୍ରକୁ ପୁନଃ ସ୍ଥାପନ, କେସିଙ୍ଗା ସବ ଡିଭିଜନ ଦାବୀ, କେସିଙ୍ଗାରେ ପୂର୍ତ୍ତ ବିଭାଗର ସବ ଡିଭିଜନ ସ୍ଥାପନ, କେସିଙ୍ଗା ଡାକ୍ତରଖାନାକୁ ଉପଖଣ୍ଡିୟ ଡାକ୍ତରଖାନା ଘୋଷଣା, ଅଞ୍ଚଳର ଚାଷୀ ଓ ବେକାରୀ ସମସ୍ୟାର ସମାଧାନ ପାଇଁ କେସିଙ୍ଗା କୋଣାର୍କ ସ୍ପିନିଙ୍ଗ ଓ ଜିନିଙ୍ଗ ମିଲକୁ ପୁନରୁଦ୍ଧାର ଇତ୍ୟାଦି। ପୂର୍ବରୁ ସଚେତନ ନାଗରିକ ମଞ୍ଚ, ନାଗରିକ କମିଟି, ସିଟିଜେନ ଫୋରମ, ସାମ୍ବାଦିକ ସଂଘ, ବଣିକ ସଂଘ ଭଳି ଅନେକ ସଂଗଠନ ମାନ କେସିଙ୍ଗାରେ ରହିଥିଲେ ମଧ୍ୟ ଏବେ କେସିଙ୍ଗା ବିକାଶ ମଞ୍ଚ ନାମରେ ଏକ ସଂଗଠନର ଜନ୍ମ ଏକ ଭିନ୍ନ ଆଭିମୁଖ୍ୟ ନେଇ ଆସିଛି। ଯାହାକି କେସିଙ୍ଗା ଅଞ୍ଚଳବାସୀ ଆଶା ରଖିବେକି କେସିଙ୍ଗା ବିକାଶ ମଞ୍ଚ ଅଧିକ ସକ୍ରିୟ ହୋଇ ସହରର ବିଭିନ୍ନ ଜନହିତକର ତଥା ଉନ୍ନତିମୂଳକ କାମର ବିକାଶରେ ସହଭାଗୀ ହୋଇପାରିବ ବୋଲି ସାଧାରଣରେ ଆଲୋଚନାର ବିଷୟ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.