ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବେହେରାପାଟି ଠାରେ ନର୍ଲା ସେବାକାରୀ କିନ୍ନର ମାନଙ୍କ ପାଇଁ ନିର୍ମିତ ଏକ କମ୍ୟୁନିଟି ହଲ ଉଦଘାଟିତ ହୋଇଯାଇଛି। ନର୍ଲା ବିଧାୟକ ଭୂପିନ୍ଦର ସିଂ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଫିତାକାଟି ଏହାର ଶୁଭ ଉଦ୍ଘାଟନ କାରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ନର୍ଲା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକତ୍ସାଧିକାରୀ ଡ଼ ଅକ୍ଷୟ କୁମାର ଗୋଛାୟତ, ସର୍ଗିଗୁଡ଼ା ଗ୍ରାମ ପଞ୍ଚାୟତର ସମିତି ସଦସ୍ୟ ଚିରଞ୍ଜିବୀ ଗୌଡ଼ିଆ, ଯୁବନେତା ହମେଶ କୁମାର ଜୈନ ପ୍ରମୁଖ ଯୋଗଦାନ କରିଥିଲେ। ଏହା ନର୍ଲା ବିଧାୟକଙ୍କ ଅନୁଦାନ ପାଣ୍ଠିରୁ ୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ଜଣାପଡିଛି।
ଦିନଥିଲା କିନ୍ନର ମାନଙ୍କୁ ଲୋକେ ଏକ ଭିନ୍ନ ନଜର ରେ ଦେଖୁଥିଲେ ସେମାନେ ନିଜ ଘରେ ମଧ୍ୟ ସ୍ନେହ ଶ୍ରଦ୍ଧାରୁ ବଞ୍ଚିତ ହୋଇ ଘର ଛାଡ଼ି ଯାଯାବର ପରି ଜୀବନ ଯାପନ କରିଥିଲେ କିନ୍ତୁ ଯୁଗ ବଦଳିବା ସହିତ ଲୋକଙ୍କ ମାନସିକତା ପରିବର୍ତ୍ତନ ହୋଇଛି। ସରକାର ମଧ୍ୟ କିନ୍ନର ମାନଙ୍କୁ ସରକାରୀ ଚାକିରୀର ସୁଯୋଗ ଦେଉଥିବା ସହିତ କିନ୍ନର ମାନେ ସ୍ବାବଲମ୍ବୀ ହେବା ପାଇଁ ଅନେକ କାର୍ଯକ୍ରମ ହାତକୁ ନେଇଛନ୍ତି। ଆମେ ନର୍ଲା ସେବାକାରୀ କିନ୍ନର ସଂଘର ସଦସ୍ୟମାନଙ୍କ ସେମିତି କିଛି ଆଖିଦୃଶିଆ ରୋଜଗାରର ପନ୍ଥା ନଥିବା ବେଳେ ଏଇଠି ସେଇଠି ଭଡ଼ାଘରେ ଅତି ଦୟନୀୟ ସ୍ଥିତିରେ ରହି ଆସୁଛୁ। ଏବେ ନର୍ଲା ବିଧାୟକଙ୍କ ଅନୁଗ୍ରହରୁ, ତାଙ୍କ ଅନୁଦାନରୁ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡେ ହୋଇ ପାରିଲା। ଏଣୁ ମାନ୍ୟବର ନାର୍ଲା ବିଧାୟକଙ୍କୁ କୃତଜ୍ଞତା ଜଣାଉଛୁ ବୋଲି ନର୍ଲା ସେବାକରୀ କିନ୍ନର ସଂଘର ସଭାପତି କାମିନୀ କିନ୍ନର ତାଙ୍କ ପ୍ରତିକ୍ରିୟାରେ କହିବା ସହିତ କିନ୍ନର ମାନଙ୍କୁ ଭିନ୍ନ ଦୃଷ୍ଟିରେ ନ ଦେଖି ସରକାରଙ୍କ ସହିତ ସମାଜର ସମସ୍ତ ବର୍ଗର ଲୋକ ସହଯୋଗର ହାତ ବଢାଇଲେ କିନ୍ନରମାନେ ଆହୁରି ଦୁଇ ପାଦ ଆଗକୁ ଯାଇପାରିବେ ବୋଲି ମତବ୍ୟକ୍ତ କରିଛନ୍ତି।