ଓଡ଼ିଆ ବାର୍ତ୍ତା/ କୋକସରା ହିରଣ୍ୟ ବେହେରା: କୋକସରା ବ୍ଳକ ପୋଡ଼ାଗୁଡା ଗ୍ରାମର ମେହେରପଡା ଓ ଧାରୁଆପଡା ପାଇଁ ରହିଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ୮ ଦିନ ହେବ ପୋଡି ଅଚଳ ହୋଇଯାଇଛି। ଫଳରେ ଉକ୍ତ ପଡାବାସୀ ଅନ୍ଧାରରେ ରହି ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସୂଚନା ଅନୁସାରେ, ମେହେରପଡା ଓ ଧାରୁଆପଡା ପାଇଁ ସୈାଭାଗ୍ୟ ଯୋଜନାରେ ଲାଗିଥିବା ଏହି ବିଦ୍ୟୁତ୍ ଟ୍ରାନ୍ସଫର୍ମରରେ ସମୁଦାୟ ୬୦ଜଣ ଉପଭୋକ୍ତା ରହିଛନ୍ତି। ତେବେ ଗତ ୮ଦିନ ହେବ ଉକ୍ତ ଟ୍ରାନ୍ସଫର୍ମର ପୋଡ଼ି ଅଚଳ ହୋଇଯାଇଛି। ଏନେଇ ଉପଭୋକ୍ତା ମାନେ ନୂତନ ଟ୍ରାନ୍ସଫର୍ମର ସଂଯୋଗ କରିବାପାଇଁ ବିଦ୍ୟୁତ୍ ବିଭାଗକୁ ଜଣାଇବା ପରେ ବିଭାଗ ପକ୍ଷରୁ ବକେୟା ବିଲ୍ ପୈଠ କରିବା ପାଇଁ କହିଥିଲେ। ତେବେ ଉପଭୋକ୍ତା ମାନେ ୪୦ ହଜାର ଟଙ୍କା ଦେବାକୁ ରାଜି ହେଉଥିଲେ ହେଁ ବିଦ୍ୟୁତ୍ ବିଭାଗ ଅଧିକ ଟଙ୍କା ଦାବି କରୁଥିବା ସେମାନେ କହିଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଗରମ ଲାଗି ରହିଛି। ଏଭଳି ସମୟରେ ବିଦ୍ୟୁତ୍ ବିଭାଗ ପୋଡ଼ା ଟ୍ରାନ୍ସପୋର୍ଟକୁ ହଠାଇ ନୂତନ ଟ୍ରାନ୍ସଫର୍ମର ସଂଯୋଗ କରୁ ନ ଥିବାରୁ ପଡାବାସୀ ଅନ୍ଧାରରେ ରହିବା ସହ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମର ପଙ୍କଜ ଧରୁଆ, ପ୍ରେମଲାଲ ମେହେର, ମଲୟ ମେହେର, ମୋହନ ମେହେର, ଗଜାନନ ବଣିଆ, ସୁଲୋଚନା ନାଏକ, ରତନ ବାଗ, ଉଗ୍ରେ ନାଏକ, ଅମର ସୋରୀ, ହସ୍ତ ଧରୁଆ, ରାମ ସିଂ ଧାରୁଆ ସମେତ ଅନେକ ଉପଭୋକ୍ତା ପ୍ରକାଶ କରିଛନ୍ତି। ଏନେଇ ବିଦ୍ୟୁତ୍ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ୨ଲକ୍ଷ ପାଖାପାଖି ବକେୟା ବିଲ୍ ରହିଛି, ୬୦ ହଜାର ଟଙ୍କା ପାଖାପାଖି ବିଲ୍ ପୈଠ କଲେ ନୂତନ ଟ୍ରାନ୍ସଫର୍ମର ସଂଯୋଗ କରାଯିବ ବୋଲି କହିଛନ୍ତି।