ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (ନିଲେଶ କୁମାର ନାଗ): ଆଜି ବିଶ୍ୱ ଆଦିବାସୀ ଦିବସ। ବିଶ୍ବର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଲୋକଙ୍କ ଅଧିକାରର ସୁରକ୍ଷା ଓ ସେମାନଙ୍କ ଅଧିକାର ସଂପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଅଗଷ୍ଟ ୯ ତାରିଖକୁ ବିଶ୍ଵ ଆଦିବାସୀ ଦିବସ ରୂପେ ପାଳନ କରାଯାଏ। ଯଦି ଆମେ ଆମ ରାଜ୍ୟ ଓଡିଶା କଥା କହିବା ତେବେ ରାଜ୍ୟର ପ୍ରାୟ ଲୋକ ଜଙ୍ଗଲଜାତ ଦ୍ରବ୍ୟ ବ୍ୟବହାର କରିଥାନ୍ତି। ଏଥିରେ ଆଦିବାସୀମାନଙ୍କର ବଡ ଭୂମିକା ରହିଛି। ସେମାନଙ୍କ ସାହାଯ୍ୟରେ ହିଁ ଏହି ଦ୍ରବ୍ୟ ବଜାରରେ ସହଜରେ ପହଞ୍ଚି ପାରୁଛି। ହେଲେ ଏତେସବୁ ପରେ ବି ଆଦିବାସୀମାନେ କୌଣସି ସୁବିଧା ପାଇ ପାରୁନାହାଁନ୍ତି।
ସରକାର ଦ୍ୱାରା ହେଉ ଅବା ଲୋକମାନଙ୍କ ଦ୍ୱାରା ସେମାନେ ସବୁବେଳେ ଅବହେଳିତ। ଅନେକ ଆଦିବାସୀ ଅଞ୍ଚଳକୁ ଯିବାକୁ ରାସ୍ତାଟିଏ ନାହିଁ ଆଉ କେଉଁଠି ବିଦ୍ୟୁତ ଓ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ସେମାନେ। ଶିକ୍ଷା କ୍ଷେତ୍ରରେ ମଧ୍ୟ ସେମାନେ ପଛରେ। ଶିକ୍ଷା ସୁବିଧା ସେମାନଙ୍କ ପାଖରେ ପହଞ୍ଚିପାରୁ ନାହିଁ। ପାଠ ଦି ଅକ୍ଷର ପଢିବା ପାଇଁ ପାଖ ଗାଁକୁ ଯିବାକୁ ହେଉଛି ନଚେତ ପାଦରେ ଡୋରି ବାନ୍ଧି ଘରେ ବସୁଛନ୍ତି ପିଲା। ଅନ୍ଧକାରରେ ରହୁଛି କାଲିର ଭବିଷ୍ୟତ। ତେବେ ଆଦିବାସୀଙ୍କ ସୁବିଧା ସୁଯୋଗ ଯୋଗାଇବା ସହିତ ସେମାନଙ୍କୁ ଆଗକୁ ବଢିବାରେ ସହାୟତା କରିବା ନେଇ ଏହି ଦିନନଟିକୁ ଦେଶ ବ୍ୟାପି ପାଳନ କରାଯାଏ।